ପାକ୍ ସେନାଧ୍ୟକ୍ଷ ବାଜଓ୍ବାଙ୍କୁ ଭେଟିବାକୁ ମନାକରିଦେଲେ ସାଉଦି କ୍ରାଉନ୍ ପ୍ରିନ୍ସ, ଫେଲ୍ ମାରିଲା ପାକିସ୍ତାନର ପ୍ଲାନ୍ ବି

Published By : Prameya-News7 Bureau | August 19, 2020 IST

ରିୟାଦ ୧୯।୮: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀଙ୍କ ଉପରେ ମନ୍ତବ୍ୟକୁ ନେଇ ରାଗିଥିବା ସାଉଦି ଆରବକୁ ମନାଇବା ପାଇଁ ଦୌଡି ଆସିଥିବା ସେନା ଅଧ୍ୟକ୍ଷ ଜେନେରାଲ କମର ଜାବେଦ ବାଜଓ୍ବାଙ୍କୁ ଅସମ୍ମାନୀତ ହେବାକୁ ପଡିଛି । ସେନା ଅଧ୍ୟକ୍ଷଙ୍କୁ ସାଉଦି ଆରବ ଗୁରୁତ୍ବ ନଦେଇ ଏହା ପ୍ରମାଣ କରିଦେଇଛି ଯେ ସଂପର୍କରେ ପଡିଥିବା ଫାଟ ଯଥାଶୀଘ୍ର ଠିକ୍ ହୋଇପାରିବନାହିଁ । ପାକିସ୍ତାନୀ ମିଡିଆ ଅନୁସାରେ ବାଜଓ୍ବାଙ୍କ ସମସ୍ତ ପ୍ରଚେଷ୍ଟା ସତ୍ବେ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ତାଙ୍କୁ ଭେଟିବାକୁ ସମୟ ଦେଇନଥିଲେ ।

ସୋମବାର ଦିନ ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସର ପ୍ରମୁଖ ଜେନେରାଲ ଫୈଜ ହମ୍ମିଦଙ୍କ ସହ ସାଉଦି ଆରବ ପହଞ୍ଚିଥିବା ବାଜଓ୍ବାଙ୍କର ସାଉଦି ଆରବର ପ୍ରତିରକ୍ଷା ରାଜ୍ୟ ମନ୍ତ୍ରୀ ଖାଲିଦ ବିନ୍ ସଲମାନ ଏବଂ ସାଉଦି ଆରବର ସେନା ଅଧ୍ୟକ୍ଷ ଜେନେରାଲ ଫୟାଦ ବିନ୍ ଅହମ୍ମଦ୍ ଉଲ୍ ରୁଆଇଲିଙ୍କ ସହ ସାକ୍ଷାତ ହୋଇଥିଲା । ମାତ୍ର ସେ କ୍ରାଉନ ପ୍ରିନ୍ସଙ୍କଠାରୁ ସମୟ ନେବା ପାଇଁ ଅସଫଳ ହୋଇଥିଲେ ।

ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ଯେତେବେଳେ କାଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ ସମର୍ଥନ ନଦେବା ପାଇଁ ସାଉଦିକୁ ଚେତାବନୀ ଦେଇଥିଲେ ସେବେଠାରୁ ଦୁଇ ଦେଶ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା । ଭାରତ ପକ୍ଷରୁ ଜମ୍ମୁକାଶ୍ମୀରୁ ଧାରା ୩୭୦ ଉଠିଯିବା ପରେ କୁରେଶୀ ଏକ ଟେଲିଭିଜନ ଇଣ୍ଟରଭ୍ୟୁରେ ସାଉଦି ଆରବକୁ ଟାର୍ଗେଟ୍ କରିଥିଲେ ।

କୁରେଶୀଙ୍କ ବୟାନରେ ରାଗିଯାଇଥିବା ସାଉଦି ପାକିସ୍ତାନକୁ ୧ ଅରବ ଡଲାରର କରଜ ଫେରସ୍ତ କରିବାକୁ ବାଧ୍ୟ କରିଦେଇଥିଲା । ଏହାସହ ଅଧିକ ୧ ଡଲାର ମଧ୍ୟ ମଗାଯାଇଥିଲା । ପାକିସ୍ତାନ ଚୀନ୍ ଠାରୁ କରଜ ନେଇ ୧ ଅରବ ଡଲାର ସାଉଦିକୁ ସୁଝିଛି । ସାଉଦି ସହ ସଂପର୍କରେ ତିକ୍ତତା ଆସିବା ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଏଥିପାଇଁ ଖୁବଶୀଘ୍ର ବିବାଦ ତୁଟାଇବାକୁ ପାକିସ୍ତାନ ଚାହୁଛି ।

ରିୟାଦ ପାକିସ୍ତାନକୁ ଅନେକ ଥର ସାହାଯ୍ୟ କରିଛି । ସାଉଦି ୧୯୮୦ ଦଶକରେ ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନ ଯୋଗାଇଦେଇଥିଲା । ଦୁଇ ବର୍ଷ ପୂର୍ବେ ମଧ୍ୟ ୬ ଅରବ ଡଲାରର ଆର୍ଥିକ ସହାୟତା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.