ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦର ୩ ସହଯୋଗୀଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଲେ ପାକ୍ ଆତଙ୍କବାଦ ବିରୋଧୀ କୋର୍ଟ
23/01/2021 at 6:50 PM

ଲାହୋର ୨୩/୦୧ : ପାକିସ୍ତାନର ଏକ ଆତଙ୍କବାଦ ବିରୋଧୀ କୋର୍ଟ ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ହାଫିଜ ସଇଦର ୩ଜଣ ସହଯୋଗୀଙ୍କୁ ୬ ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଜମାତ-ଉଦ-ଦାୱା ଆତଙ୍କବାଦୀ ସଂଗଠନର ଏହି ୩ ଜଣ ସଦସ୍ୟ ଆତଙ୍କବାଦୀଙ୍କୁ ଆର୍ଥିକ କାରବାର କରୁଥିବା ମାମଲା କୋର୍ଟରେ ବିଚାରଧୀନ ଥିଲା ।
ହାଫିଜ୍ ସଇଦ୍ର ଭିଣୋଇ ହାଫିଜ୍ ଅବଦୁର ରେହେମାନ ମକ୍କୀ, ଜେୟୁଡିର ମୁଖପାତ୍ର ଓ୍ବାୟା ମୁଜାହିଦ ଏବଂ ଜାଫର ଇକବାଲକୁ ପାକିସ୍ତାନର ଏକ ଆତଙ୍କବାଦ ବିରୋଧୀ କୋର୍ଟ ୬ ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଶୁକ୍ରବାରର କୋର୍ଟ ଦଣ୍ଡାଦେଶ ଶୁଣାଇବା ପରେ ମୁଜାହିଦ୍ ଏବଂ ଇକବାଲଙ୍କ ସାମୂହିକ କାରାଗାର ଯଥାକ୍ରମେ ୮୦ ଏବଂ ୫୬ ବର୍ଷକୁ ବୃଦ୍ଧି ପାଇଛି ।
ପଞ୍ଜାବ ପୋଲିସର ଆତଙ୍କବାଦ ବିରୋଧୀ ବିଭାଗ (CTD) ଦ୍ବାରା ଏମାନଙ୍କ ବିରୁଦ୍ଧରେ ଆତଙ୍କବାଦୀଙ୍କୁ ଆର୍ଥିକ କାରବାର କରୁଥିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ଏହି ଅଭିଯୋଗ ଆଧାରରେ ଅଭିଯୁକ୍ତମାନଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି କୋର୍ଟ । ଜେୟୁଡିର ମୁଖପାତ୍ର ଓ୍ବାୟା ମୁଜାହିଦ ବିରୁଦ୍ଧରେ ବିଭିନ୍ନ ସ୍ଥାନରେ ପ୍ରାୟ ୪୧ଟି ମାମଲା ରହିଛି । ଏଥିମଧ୍ୟରୁ ୩୭ଟି ମାମଲାର ଶୁଣାଣି ହୋଇଛି ।
କିଛି ଦିନ ପୂର୍ବରୁ ଲସ୍କର-ଇ-ତୋଇବାର ଅପରେସନ କମାଣ୍ଡର ଜାକି-ଉର-ରେହେମାନ ଲଖଭୀକୁ ଟେରର୍ ଫଣ୍ଡିଂ ମାମଲାରେ ୧୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଚଳିତ ସପ୍ତାହରେ ଏଟିସି ଇକବାଲ ଏବଂ ମୁଜାହିଦ ଉଭୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିବା ବେଳେ ଅନ୍ୟ ଏକ ଆତଙ୍କବାଦୀ ଆର୍ଥିକ ମାମଲାରେ ମକ୍କିଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏପର୍ଯ୍ୟନ୍ତ ପାଞ୍ଚଟି ମାମଲାରେ ଆତଙ୍କବାଦ ଆର୍ଥିକ ଅଭିଯୋଗରେ ଏଟିସି ସଇଦଙ୍କୁ ୩୬ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛି। ଜେୟୁଡି ମୁଖ୍ୟ ସଇଦ ନେତୃତ୍ୱରେ ଲସ୍କର-ଇ-ତୋଇବା ୨୦୦୮ରେ ମୁମ୍ବାଇରେ ବିସ୍ଫୋରଣ ଘଟାଇଥିଲା । ଯେଉଁଥିରେ ୬ ଜଣ ଆମେରିକୀୟଙ୍କ ସମେତ ୧୬୬ ଜଣଙ୍କର ମୃତ୍ୟୁ ଘଟିଥିଲା।