ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପୁଣି ଥରେ ଲଜ୍ଜିତ ହେଲା ପାକିସ୍ତାନ, ମିଥ୍ୟାର ହେଲା ପର୍ଦ୍ଦାଫାଶ: ଜାତିସଂଘ ସୁରକ୍ଷା ପରିଷଦରେ ରେକର୍ଡ ହେବ ନାହିଁ ବୟାନ

Published By : Prameya-News7 Bureau | August 26, 2020 IST

ନୂଆଦିଲ୍ଲୀ ୨୬।୦୮: ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପୁଣି ଥରେ ପାକିସ୍ତାନକୁ ଜୋରଦାର ଝଟକା ଲାଗିଛି। ମିଳିତ ଜାତିସଂଘରେ ଭାଷଣ ଦେବାକୁ ନେଇ ପାକିସ୍ତାନ ନିଜର ଏକ ସ୍ଥାୟୀ ମିଶନ ଓ୍ଵେବ୍‌ସାଇଟ୍‌ରେ ଏକ ମିଥ୍ୟା ଦାବି କରିଥିଲା। ଯାହା ଏବେ ତା ଉପରେ ଭାରି ପଡିଛି। ବିଶ୍ଵ ଦରବାରରେ ପୁଣି ଥରେ ଏହି ଆତଙ୍କୀ ଦେଶ ଲଜ୍ଜିତ ହୋଇଛି। ପାକିସ୍ତାନ ଦାବି କରିଥିଲା ତାରି ପକ୍ଷରୁ ଆତଙ୍କବାଦ ପ୍ରସଙ୍ଗରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦ  ବୈଠକରେ ଭାଷଣ ଦିଆଯାଇଛି। ହେଲେ ପାକିସ୍ତାନର ସବୁ ମିଥ୍ୟା ପର୍ଦ୍ଦାଫାଶ ହୋଇଛି। ସୂତ୍ର ଅନୁଯାୟୀ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ବର୍ତ୍ତମାନ ସଭାପତି ଇଣ୍ଡୋନେସିଆ ଭାରତକୁ ଭରସା ଦେଇଛି ପାକିସ୍ତାନର ବୟାନ ରେକର୍ଡ କରାଯାଇ ନାହିଁ।

ସୂତ୍ର ଅନୁଯାୟୀ ଇଣ୍ଡୋନେସିଆ ଭାରତକୁ କହିଛି ଇସଲାମାବାଦର ବୟାନ ସୁରକ୍ଷା ପରିଷଦରେ ରେକର୍ଡ କରାଯିବ ନାହିଁ। ଏହା ପୂର୍ବରୁ ପାକିସ୍ତାନର ମିଶନ ଏକ ମିଥ୍ୟା ଦାବି କରିଥିଲା ଯେ ମିଳିତ ଜାତିସଂଘରେ ଏହାର ରାଷ୍ଟ୍ରଦୂତ ମୁନିର ଅକରମ ଆତଙ୍କବାଦୀଙ୍କ ଗତିବିଧି କାରଣରୁ ଅନ୍ତରାଷ୍ଟ୍ରୀୟ ଶାନ୍ତି ଏବଂ ସୁରକ୍ଷା ପ୍ରତି ବିପଦ ଥିବା ଉପରେ ଭାଷଣ ଦେଇଥିଲେ। କିନ୍ତୁ ମିଳିତ ଜାତିସଂଘ ଜର୍ମାନୀର ମିଶନ  ବୈଠକର ଏକ ଫଟୋ ଟ୍ଵିଟ୍ କରିଛି, ଯେଉଁଥିରେ ବୈଠକରେ କେବଳ ସୁରକ୍ଷା ପରିଷଦ ୧୫ ସଦସ୍ୟ ଦେଶର ରାଷ୍ଟ୍ରଦୂତଙ୍କୁ ଦେଖିବାକୁ ମିଳିଛି। ଏଥିରେ ପାକିସ୍ତାନ ସୁରକ୍ଷା ପରିଷଦର ସଦସ୍ୟ ମଧ୍ୟ ନାହିଁ।  

ଭାରତ ପାକିସ୍ତାନର କହିଲା ୫ ମିଥ୍ୟା

ପାକିସ୍ତାନର ମିଥ୍ୟା ଦାବି ଉପରେ ଭାରତ ମିଳିତ  ଜାତିସଂଘକୁ ଔପଚାରିକ ଭାବେ ଚିଠି ଲେଖିଥିଲା। ଏଥିରେ ଭାରତ ସ୍ଥାୟୀ ମିଶନକୁ କହିଥିଲା, ଆମେ ମିଳିତ ଜାତିସଂଘରେ ପାକିସ୍ତାନର ମିଶନଙ୍କ ବୟାନ ଦେଖିଲୁ ଏବଂ ଶୁଣିଲୁ, ଯେଉଁଥିରେ ଦାବି କରାଯାଇଛି ଏହି ବୟାନ ଜାତିସଂଘର ସୁରକ୍ଷା ପରିଷଦରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ଦେଇଛନ୍ତି। ଭାରତ ମିଶନ କହିଛନ୍ତି, ଆମେ ଏହା ବୁଝି ପାରୁ ନାହୁଁ ଯେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ବାସ୍ତବରେ ନିଜର ବୟାନ କେଉଁଠି ଦେଇଛନ୍ତି କାରଣ ସୁରକ୍ଷା ପରିଷଦର ଅଧିବେଶନ ଅଣ ସଦସ୍ୟ ରାଷ୍ଟ୍ର ପାଇଁ ଖୋଲା ନଥିଲା। ଏଥିରେ ପାକିସ୍ତାନର ପାଞ୍ଚ ବଡ ମିଥ୍ୟାର ପର୍ଦ୍ଦାଫାଶ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.