ଇସ୍ଲାମାବାଦ ୧/୦୭: ଚୀନରେ ଉଇଗର ମୁସଲମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଦେଖି ନଦେଖିଲା ପରି ରହୁଥିବା ପାକିସ୍ତାନ ମୁସଲମାନଙ୍କ ପ୍ରତି ସମ୍ବେଦନଶୀଳ ବୋଲି ଡିଣ୍ଡିମ ପିଟୁଛି। କାଶ୍ମୀର ପ୍ରସଙ୍ଗରେ ଅଯଥା ମୁଣ୍ଡ ପୂରାଉଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଉଇଗର ମୁସଲମାନଙ୍କୁ ନେଇ ଡ୍ରାଗନକୁ କ୍ଲିନ୍ ଚିଟ୍ ଦେଇଛନ୍ତି । ଏହା ସହ ସେ କହିଛନ୍ତି, ଚୀନ ଯାହା କହେ ତାହା ହିଁ ସତ୍ୟ।
ଶିନଜିଆଙ୍ଗରେ ଉଇଗର ମୁସଲମାନଙ୍କ ପ୍ରତି ହେଉଥିବା ବ୍ୟବହାରକୁ ନେଇ ଚୀନ ଦସ୍ତାବିଜ୍ ଉପରେ ପାକିସ୍ତାନ ସହମତ ବୋଲି ଗୁରୁବାର ଇମ୍ରାନ ଖାନ କହିଛନ୍ତି। ଚୀନରେ କମ୍ୟୁନିଷ୍ଟ ପାର୍ଟିକୁ ୧୦୦ ବର୍ଷ ପୂରୁଥିବା ବେଳେ ଇମ୍ରାନ୍ ଖାନ ଗୁରୁବାର ସାମ୍ବାଦିକ ସମ୍ମଳନୀ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଉଇଗର ମୁସଲମାନଙ୍କ ପ୍ରତି ହେଉଥିବା ବ୍ୟବହାରକୁ ନେଇ ପାଶ୍ଚାତ୍ୟ ଗଣମାଧ୍ୟମ ଯାହା ଦେଖାଉଛନ୍ତି ତାହା ଚୀନର ପ୍ରତିକ୍ରିୟାଠୁ ସମ୍ପୂର୍ଣ୍ଣ ଭିନ୍ନ ।
ଡନ୍ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଇମ୍ରାନ କହିଛନ୍ତି, ଚୀନ ସହିତ ଆମର ଭଲ ଏବଂ ମଜଭୁତ ସମ୍ପର୍କ ଥିବାରୁ ଆମେ ଚୀନର କଥାକୁ ସ୍ବୀକାର କରୁଛୁ।’ ଏହା ସହ ଉଇଗର ଏବଂ ହଙ୍ଗକଙ୍ଗ ପ୍ରସଙ୍ଗକୁ ପ୍ରଥମିକତା ଭିତ୍ତିରେ ଉତ୍ଥାପନ କରାଯାଉଥିବା ବେଳେ କାଶ୍ମୀରରେ ମାନବାଧୀକାର ଉଲ୍ଲଂଘନ ଉପରେ କାହାର ଦୃଷ୍ଟି ପଡ଼ୁପନାହିଁ ବୋଲି ଇମ୍ରାନ୍ ଖାନ କହିଛନ୍ତି।
ସେ ଆହୁରି କହିଛନ୍ତି, ‘କାଶ୍ମୀରରେ ମାନବାଧୀକାର ଉଲ୍ଲଂଘନ ହେଉଛି। କିନ୍ତୁ ପାଶ୍ଚାତ୍ୟ ଗଣମାଧ୍ୟମ ବଡ଼ ମୁସକିଲ୍ରେ ଏହି ପ୍ରସଙ୍ଗ ଉଠାଉଛନ୍ତି।’ ସାମ୍ବାଦିକ ସମ୍ମିଳନୀରେ ଇମ୍ରାନ ଖାନ ଚୀନର କମ୍ୟୁନିଷ୍ଟ ପାର୍ଟିକୁ ଭୂୟସୀ ପ୍ରଶଂସା କରିଛନ୍ତି। ଏହାକୁ ପାଶ୍ଚାତ୍ୟ ଦେଶରେ ଲୋକତନ୍ତ୍ରର ବିକଳ୍ପ ବୋଲି ସେ କହିଛନ୍ତି ।