ସୋଆ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ପକ୍ଷରୁ ପଖାଳ ଉତ୍ସବ ଆରମ୍ଭ : ମୁଖ୍ୟ ଆକର୍ଷଣ ହର୍ବାଲ୍ ପଖାଳ

Published By : Prameya-News7 Bureau | April 01, 2019 IST

ଭୁବନେଶ୍ୱର ୦୧/୪: ଖରାର ପ୍ରକୋପ ଧିରେ ଧିରେ ବଢ଼ିବାରେ ଲାଗିଛି । ପ୍ରଚଣ୍ଡ ରୈାଦ୍ରତାପରେ ଜର୍ଜରିତ ମଣିଷର ଖାଇବାର ଆଗ୍ରହ ମଧ୍ୟ ସେହି ଅନୁପାତରେ ବଦଳିଛି । ପଖାଳ ଖାଇବା ପାଇଁ ବଢ଼ୁଛି ଆଗ୍ରହ । ଖରା ସାଙ୍ଗକୁ ପଖାଳ ଖାଇବାର ଆଗ୍ରହ, ସେ ପୁଣି ସ୍ୱାସ୍ଥ୍ୟକର ଖାଦ୍ୟ ମିଳିଲେ କାହାର ବା ଇଚ୍ଛା ନ ହେବ ଖାଇବାକୁ । ଠିକ୍ ଏତିକି ବେଳେ ଯଦି ହର୍ବାଲ୍ ପଖାଳ ମିଳିଯାଏ ତେବେ ହୁଏତ ଖାଇବାର ଇଚ୍ଛା ଦ୍ୱିଗୁଣିତ ହୋଇଯିବ । ସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ପକ୍ଷରୁ ଆରମ୍ଭ ହୋଇଛି ପଖାଳ ଉତ୍ସବ “ଆମ ରୋଷେଇ” ।

ଉତ୍କଳ ଦିବସ ଅବସରରେ ଆରମ୍ଭ ହୋଇଥିବା ଏହି ପଖାଳ ଉତ୍ସବକୁ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଶ୍ରୀମତି ଦାସ କହିଛନ୍ତି ପଖାଳ ଓଡ଼ିଆଙ୍କ ମୁଖ୍ୟ ଖାଦ୍ୟ । ସବୁ ଓଡ଼ିଆଙ୍କୁ ପ୍ରାୟତଃ ପଖାଳ ଖାଇବାକୁ ଭଲ ଲାଗେ । ଏହି ଓଡ଼ିଆ ଖାଦ୍ୟର ମଜା ଉଠାଇବାକୁ ପଖାଳ ଉତ୍ସବର ଆୟୋଜନ କରାଯାଇଛି ବୋଲି ସେ କହିଛନ୍ତି ।

ସାତ ଦିନ ବ୍ୟାପି ଚାଲିବାକୁ ଥିବା ଏହି ପଖାଳ ଉତ୍ସବର ମେନ୍ୟୁ ଗୁଡିକ ହେଲା ଉଷୁନା ପଖାଳ, ଅରୁଆ ପଖାଳ, ସାଦା ଦହି ପଖାଳ, ଛୁଙ୍କ ପଖାଳ, ଅଦା ପଖାଳ, ଆମ୍ବ ପଖାଳ, ଫ୍ରୁଡ ଫ୍ଲେଭର୍ଡ ପଖାଳ, ଲେମ୍ବୁ ପଖାଳ, ମିକ୍ସଡ ପଖାଳ, ପୋଦିନା ପଖାଳ ଏବଂ ହର୍ବାଲ୍ ପଖାଳ ।

ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ହର୍ବାଲ ପଖାଳ ପ୍ରସ୍ତୁତ କରାଯାଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ବ୍ରାଉନ୍ ରାଇସ୍, ପିଆଜ ସଣ୍ଢା, ତୁଳସୀ ପତ୍ର ପ୍ରଭୃତିରେ ପ୍ରସ୍ତୁତ ହୋଇଛି ହର୍ବାଲ୍ ପଖାଳ । ଏହା ଖୁବ୍ ସ୍ୱାସ୍ଥ୍ୟକର ଏବଂ ସୁସ୍ୱାଦୁ ବୋଲି ହୋଟେଲ୍ ମ୍ୟାନେଜମେଂଟର ଛାତ୍ରଛାତ୍ରୀମାନେ କହିଛନ୍ତି ।

ପଖାଳ ସହିତ ଅନେକ ପ୍ରକାରର ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ମେନ୍ୟୁରେ ସାମିଲ୍ ରହିଛି । ଏହି ତାଲିକାରେ ରହିଛି ଶାଗବଡି ଭଜା, ଆଳୁ ଭରତା, ଗୋଟା କଲରା, ବଡି ଚୁରା, ମିକ୍ସଡ ପରିବା ଭଜା, ଛୁଇଁଆଳୁ ବେସର ଭଜା, ଭେଣ୍ଡି ଆଳୁ ଭଜା, ଆମ୍ବ ଛେଚା, ପନିର ଭରତା ଓ ଛତୁ ପତ୍ରପୋଡା । ସେହିପରି ଆମିଷ ଖାଦ୍ୟ ତାଲିକାରେ ରହିଛି ଚିଙ୍ଗୁଡି ଛେଚା, ମାଛ ପତ୍ରପୋଡା ଓ ଶୁଖୁଆ ବେସର ।

ସ୍ପେଶାଲ୍ ମେନ୍ୟୁରେ ରହିଛି ମଟନ୍ ଟୁକ୍ଟୁକା, କିମା କଲିଜା କଷା, ଆଚାରି କୁକୁଡା, ଚିଙ୍ଗୁଡି ଝରଝରି, ଚୁନାମାଛ ଭଜା ଓ ପଣସ କଷା ।

ଖାଦ୍ୟ ଶେଷରେ ଡେଜଟରେ ରହିଛି ଛେନା ଗଜା ଓ କାକରା । ସୁସ୍ୱାଦୁ ପାନ ଓ ନଡିଆ ଆଇସ୍କ୍ରିମ୍ ମଧ୍ୟ ଖାଇବାକୁ ମିଳୁଛି ଏହି ପଖାଳ ଫେଷ୍ଟିଭାଲରେ ।

ଓଡ଼ିଆ ଖାଦ୍ୟ ଏବଂ ଓଡ଼ିଶାର ଗ୍ରାମାଂଚଳ ସଂସ୍କୃତି ସହିତ ଛାତ୍ରଛାତ୍ରୀଙ୍କୁ ପରିଚିତ କରାଇବାର ଲକ୍ଷ୍ୟ ନେଇ ଏହି ପଖାଳ ଉତ୍ସବ ଆୟୋଜନ କରାଯାଇଛି । ଖାଦ୍ୟ ପ୍ରସ୍ତୁତିରେ ସ୍ୱାସ୍ଥ୍ୟଗତ ଦିଗ ପ୍ରତି ମଧ୍ୟ ଯତ୍ନ ନିଆଯାଉଛି ବୋଲି ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର କହିଛନ୍ତି ।

ପଖାଳ ଦିବସ ଉତ୍ସବ ଅବସରରେ ଅନୁଷ୍ଠାନକୁ ସମ୍ପୂର୍ଣ୍ଣ ଗ୍ରାମୀଣ ସଂସ୍କୃତି ଓ ପରମ୍ପରାରେ ସଜ୍ଜିତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ମଧ୍ୟ ଓଡ଼ିଶାର ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ଅତିଥିମାନଙ୍କୁ ଖାଦ୍ୟ ପରିବେଷଣ କରିଥିଲେ । ଚାରିବର୍ଷ ଧରି ଏସ୍ଏଚ୍ଏମରେ ଏହି ପଖାଳ ଉତ୍ସବ ଅନୁଷ୍ଠିତ ହୋଇ ଆସୁଛି ।

{"id":99168,"width":596,"height":422}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.