ପାକିସ୍ତାନ ପୋଲିସରେ ହିନ୍ଦୁ ମହିଳା ନିଯୁକ୍ତ ହେଉଥିବାବେଳେ ମୁସଲମାନ ମହିଳା କନ୍‌ଷ୍ଟେବଲ ଦେଲେ ଇସ୍ତଫା, ଜାଣନ୍ତୁ କାରଣ

Published By : Prameya-News7 Bureau | September 10, 2019 IST

ନିକଟରେ ପାକିସ୍ତାନର ସିନ୍ଧ ପୋଲିସରେ ପ୍ରଥମ ହିନ୍ଦୁ ଯୁବତୀ ସାମିଲ ହୋଇଥିବା ନେଇ ଖୁସି ପାଳନ ହୋଇଥିଲା। ପୁଷ୍ପା କୋହଲୀ ନାମକ ଜଣେ ଯୁବତୀ ଆସିଷ୍ଟାଣ୍ଟ ସବ ଇନ୍‌ସ୍ପେକଟର ପଦରେ ନିଯୁକ୍ତି ପାଇଥିଲେ। ତେବେ ଅପରପକ୍ଷରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଦ୍ବାରା ପୁଣିଥରେ ସିଷ୍ଟମର ପୋଲ ଖୋଲିଯାଇଛି।

ଫୈଜା ନୱାଜ ନାମକ ଜଣେ ମହିଳା କନ୍‌ଷ୍ଟେବଲ ନିଜ ପଦ ତ୍ୟାଗ କରିଛନ୍ତି। ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ ଫୈଜାଙ୍କ ସହ ସେଠାରେ ଦୁର୍ବବ୍ୟହାର କରାଯାଉଥିଲା। ଏହି କାରଣ ପାଇଁ ସେ ଏତେ ବଡ ନିଷ୍ପତ୍ତି ନେଇଛନ୍ତି। ଫୈଜା ଇସ୍ତଫା ଦେଇଥିବା ନେଇ ଗୋଟେ ଭିଡିଓ କରିଛନ୍ତି।  

ଭିଡିଓରେ ଫୈଜା କହିଛନ୍ତି ଯେ, ଏମିତି ଖରାପ ସିଷ୍ଟମରେ କାମ କରି କିଛି ଲାଭ ନାହିଁ। ସୂଚନାଯୋଗ୍ୟ ଯେ, ଫୈଜା ପଂଜାବ ପୋଲିସରେ କନ୍‌ଷ୍ଟେବଲ ପଦରେ ରହି କାମ କରୁଥିଲେ। ତାଙ୍କ ସହ ଘଟିଥିବା ଘଟଣା ପରେ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି।

ଗତ ଶୁକ୍ରବାର ଦିନ ଫିରୋଜୱାଲା ସହରରେ ଜଣେ ଓକିଲ ଭୁଲ ସ୍ଥାନରେ ପାର୍କିଂ କରିଥିବା ନେଇ ଫୈଜା ବିରୋଧ କରିଥିଲେ। ତାଙ୍କୁ ଅଟକାଇବା ପାଇଁ ଉଦ୍ୟମ କରିଥିବାରୁ ଓକିଲ ଫୈଜାଙ୍କ ସହ ଦୁର୍ବବ୍ୟହାର କରିଥିଲେ । ଫୈଜାଙ୍କୁ ସେ ଚାପୁଡା ମଧ୍ୟ ମାରିଥିଲେ।

ଫୈଜାଙ୍କ ଅଭିଯୋଗ ଅନୁସାରେ ପ୍ରଥମେ ଓକିଲକୁ ପୋଲିସ ହେପାଜାତକୁ ନେଇଥିଲା। ହେଲେ ତାପର ଦିନ ସକାଳେ ଜଣେ ମ୍ୟାଜିଷ୍ଟ୍ରେଟ୍‌ ତାଙ୍କୁ ଜାମିନରେ ଖଲାସ କରିଥିଲେ । ଏହି ଖବର ଶୁଣିଲା ପରେ ଫୈଜାଙ୍କୁ ଏକ ବଡ ଝଟ୍‌କା ଲାଗିଥିଲା। ଓକିଲ ଙ୍କ ନାଁ ଭୁଲ ଲେଖାଯାଇଥିବାରୁ ତାଙ୍କର ଜାମିନ ହୋଇଥିଲା ବୋଲି କୁହାଯାଉଛି।

ଫୈଜା ଅଭିଯୋଗ କରିଛନ୍ତି ଯେ, ବିଭାଗର ଲୋକେ ହିଁ ଅଭିଯୁକ୍ତ ଓକିଲଙ୍କୁ ସାହାର୍ଯ୍ୟ କରିଥିବେ। ଭିଡିଓରେ ଫୈଜା କହିଛନ୍ତି ଯେ, ସେ ଲୋକଙ୍କ ସାହାଯ୍ୟ କରିବା ପାଇଁ ଗର୍ବ ସହ ପୋଲିସ ବିଭାଗରେ ସାମିଲ ହୋଇଥିଲେ। ହେଲେ ନିଜକୁ ହିଁ ନ୍ୟାୟ ଦେଇପାରିନାହାନ୍ତି। ଏଭଳି ପରିସ୍ଥିତିରେ ଅନ୍ୟମାନଙ୍କୁ ସାହାଯ୍ୟ ସେ କେମିତି କରିବେ ବୋଲି କହିଛନ୍ତି।

 ଏହି ଘଟଣା ପରେ କିଛି ଓକିଲ ଫୈଜାଙ୍କ ଚରିତ୍ର ନେଇ ପ୍ରଶ୍ନ ଉଠାଇଛନ୍ତି। କିନ୍ତୁ ସେଦିନ ଫୈଜା କେବଳ ତାଙ୍କ ଡ୍ୟୁଟି କରୁଥିଲେ। ଏହି ଫ୍ରଡ ସିଷ୍ଟମ ସହ କାମ କରିବାକୁ ତାଙ୍କର ଆଉ କୌଣସି ଇଚ୍ଛା ନାହିଁ। ସେ ଏଭଳି ବିଭାଗରେ କାମ କରିବା ପାଇଁ ଖୁବ ଭୟଭୀତ ଓ ଅସୁରକ୍ଷିତ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.