ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଆଦେଶ, ୨ ସପ୍ତାହରେ ପୁଣି ଥରେ ମନ୍ଦିର ନିର୍ମାଣ କର, ଭାଙ୍ଗିଥିବା ଲୋକଙ୍କଠୁ ହେଉ ଅର୍ଥ ଆଦାୟ
5/01/2021 at 4:20 PM

ନୂଆଦିଲ୍ଲୀ ୦୫।୦୧: ପାକିସ୍ତାନରେ ମନ୍ଦିର ଭଙ୍ଗା ଯିବା ମାମଲାକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ସମୟରେ ଅଦାଲତ ମଙ୍ଗଳବାର ଖୈବର ପଖତୁନଖଓ୍ଵାର ରାଜ୍ୟ ସରକାରଙ୍କୁ କରକ ଜିଲ୍ଲାର ତେରି ଗାଁରେ କୃଷ୍ଣ ମନ୍ଦିର ସହିତ ଶ୍ରୀ ପରମହଂସ ଜୀ ମହାରାଜଙ୍କ ସମାଧି ଦୁଇ ସପ୍ତାହ ଭିତରେ ପୁନଃନିର୍ମାଣ କରିବାକୁ ଆଦେଶ ଦେଇଛନ୍ତି। ମନ୍ଦିର ଭଙ୍ଗାରୁଜା କରିଥିବା ଲୋକଙ୍କଠୁ ମନ୍ଦିରର ନିର୍ମାଣ ନିମନ୍ତେ ଅର୍ଥ ଆଦାୟ କରିବାକୁ ମୁଖ୍ୟ ବିଚାରପତି ଆଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ଡିସେମ୍ବର ୩୦ରେ ଧର୍ମସ୍ଥଳର ସଂପ୍ରସାରଣ କାର୍ଯ୍ୟକୁ ବିରୋଧ କରି କଠୋରପନ୍ଥୀ ଜମିୟତ ଉଲେମା-ଏ-ଇସଲାମ ପାର୍ଟିର ସଦସ୍ୟଙ୍କ ନେତୃତ୍ଵରେ ଉଗ୍ର ଭିଡ ମନ୍ଦିର ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ। ସେଠାରେ ଜଣେ ହିନ୍ଦୁ ଧାର୍ମିକ ନେତା ଶ୍ରୀ ପରମହଂସ ଜୀ ମହାରାଜଙ୍କ ସମାଧି ମଧ୍ୟ ରହିଥିଲା। ଏହି କେସ୍ରେ ୩୫୦ରୁ ଅଧିକ ଲୋକଙ୍କ ବିରୋଧରେ ଏତଲା ଦାୟର ହୋଇଛି। ମାମଲାରେ ଏ ପର୍ଯ୍ୟନ୍ତ ୧୦୦ଜଣଙ୍କୁ ଗିରଫ କରାଯାଇଛି।
ସଂଖ୍ୟାଲଘୁ ଆଇନ ବିଶାରଦ ରମେଶ କୁମାର ଗତ ସପ୍ତାହରେ କରାଚିରେ ବୈଠକ ସମୟରେ ମନ୍ଦିର ଭଙ୍ଗାରୁଜା ହେଉଥିବାର ସୂଚନା ଦେଇଥିଲେ। ଏହା ପରେ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ମନ୍ଦିରର ପୁନଃନିର୍ମାଣ କରିବା ଏବଂ ଦୁଇ ସପ୍ତାହ ଭିତରେ ପ୍ରଗତି ରିପୋର୍ଟ ଦେବାକୁ ଖୈବର ପଖତୁନଖଓ୍ଵା ସରକାର ଏବଂ ଓକାଫ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପଟେ ମନ୍ଦିର ଉପରେ ଆକ୍ରମଣକୁ ମାନବାଧିକାର କର୍ମୀ ତଥା ସଂଖ୍ୟାଲଘୁ ହିନ୍ଦୁ ସଂପ୍ରଦାୟର ନେତା ଦୃଢ ନିନ୍ଦା କରିଛନ୍ତି। ଭାରତ ମଧ୍ୟ ମନ୍ଦିର ଭଙ୍ଗାରୁଜା ନେଇ ପାକିସ୍ତାନଠାରେ ଅସନ୍ତୋଷ ପ୍ରକାଶ କରିବା ସହିତ ଏହି କାର୍ଯ୍ୟକୁ ବିରୋଧ କରିଛି। ଏହି ଘଟଣାରେ ଦାୟୀ ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତ ଦାବି କରିଛି।