ଇମ୍ରାନଙ୍କ ପ୍ରତି ଆମେରିକାର ଅଣଦେଖାକୁ ନେଇ ଗଳାଖଙ୍କାରିଲେ ପାକ୍ ମନ୍ତ୍ରୀ, ଜାଣନ୍ତୁ କହିଛନ୍ତି କ’ଣ
22/09/2019 at 6:45 PM

ଇସ୍ଲାମାବାଦ: ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ଆୟୋଜନ ପରିପ୍ରେକ୍ଷୀରେ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଆମେରିକାରେ ଅଣଦେଖା କରାଯିବା ଘଟଣାକୁ ଏବେ ବରଦାସ୍ତ କରିପାରୁନି ପାକ୍। ଦେଶବାସୀଙ୍କ ନିକଟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପରିହାସର ପାତ୍ର ପାଲଟିଥିବା ବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପାକ୍ ରେଳମନ୍ତ୍ରୀ ଶେଖ ରସିଦ । ପ୍ରସଙ୍ଗରେ ରସିଦ କାଶ୍ମୀରକୁ ପୁରାଇ ମରିବା ମାରିବା କଥା ବି କହିଛନ୍ତି। ତେବେ ଆସନ୍ତୁ ଜାଣିବା କଣ କହିଛନ୍ତି ରସିଦ।

ଜାତିସଂଘ ସାଧାରଣ ଅଧିବେଶନ ପରିପ୍ରେକ୍ଷୀରେ ଭାରତୀୟ ପ୍ରଧାନମନ୍ତ୍ରୀ ଆମେରିକାରେ ପହଞ୍ଚିଥିବା ବେଳେ ହ୍ୟୁଷ୍ଟନରେ ତାଙ୍କୁ ରେଡକାର୍ପେଟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିଲାଗି ଟ୍ରମ୍ଫ ପ୍ରଶାସନର ଉଚ୍ଚାଧିକାରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ବରିଷ୍ଠ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ। ହେଲେ ଏହି ସମୟରେ ସାଉଦି ପ୍ରିନ୍ସଙ୍କ ନିଜସ୍ୱ ଜେଟ୍ ରେ ଆମେରିକାରେ ପହଞ୍ଚିଥିବା ଇମ୍ରାନଙ୍କପ୍ରତି କାହାର ନଜର ପଡିନଥିଲା। ଏଥିରେ ପାକିସ୍ତାନ ଏବେ ନିଜକୁ ଖୁବ୍ ଲଜ୍ଜିତ ମନେ କରୁଥିବା ବେଳେ ଆମେରିକା ସମ୍ପର୍କର ଲାଭ ଆମକୁ ଏତେଦିନରେ ମିଳିଲା ବୋଲି ରେଳମନ୍ତ୍ରୀ ରସିଦ କହିଛନ୍ତି।

ରସିଦ ଚୀନକୁ ବିଶ୍ୱସ୍ତ ବନ୍ଧୁ କହିଥିବା ବେଳେ ଏବେ କାଶ୍ମୀର ପ୍ରସଙ୍ଗରେ ଆଉ ଆମେରିକା ନୁହେଁ ନିଜକୁ ନିଷ୍ପତ୍ତି ନେବାର ବେଳ ଆସିଯାଇଛି। ପାକିସ୍ତାନରେ ଜନତା ଜାଗି ଯାଇଛନ୍ତି ଏବେ ଦରକାରପଡିଲେ ଆମେ ମାରିବୁ ନ ହେଲେ ମରିବୁ ବୋଲି ବି କହିଦେଇଛନ୍ତି। କିଛି ଦିନ ପୂର୍ବରୁ ପାକିସ୍ତାନରେ କାଶ୍ମୀର ଆୱାର ପାଳନ ବେଳେ ଜନସଭାକୁ ସମ୍ବୋଧିତ କରିବା ବେଳେ ମୋଦିଙ୍କ ନାମ ନେବାରୁ ତାଙ୍କୁ ମାଇକରୁ କରେଣ୍ଟ ଲାଗିଥିଲା। ତେବେ ଏବେ ଇଜ୍ଜତର ପ୍ରସଙ୍ଗ ଉଠିବା ବେଳକୁ ମରିବା ମାରିବା କଥା କହିଛନ୍ତି।