କନିଆଁ ୧୪ ବର ୫୦ : ସ୍କୁଲରେ ପଢୁଥିବା ନାବାଳିକାକୁ ବିବାହ କଲେ ପାକିସ୍ତାନୀ ରାଜନେତା !

Published By : Prameya-News7 Bureau | February 23, 2021 IST

ଲାହୋର,୨୩/୦୨:  ପାକିସ୍ତାନର ଜଣେ ରାଜନେତା ତଥା ନ୍ୟାଶନାଲ ଆସେମ୍ବଲୀ ଅଫ୍ ପାକିସ୍ତାନର ସଦସ୍ୟ ମୌଲାନା ଆୟୁବି ଜଣେ ୧୪ ବର୍ଷୀୟା ନାବାଳିକାକୁ ବିବାହ କରିଛନ୍ତି । ଆୟୁବି ୨୦୧୮ରୁ ନ୍ୟାଶନାଲ ଆସେମ୍ବଲୀର ସଦସ୍ୟ ରହିଛନ୍ତି ।

ସୂତ୍ରାନୁସାରେ, ସ୍ଥାନୀୟ ପୋଲିସ କହିଛି ଯେ, ତଦନ୍ତ ଆରମ୍ଭ ହୋଇଛି । ଏକ ଏନଜିଓ ଏନେଇ ଅଭିଯୋଗ ଆଣିଥିଲା । ରାଜନେତାଜଣଙ୍କ ଜଣେ ଚିତ୍ରାଲ ଯୁବତୀଙ୍କୁ ବିବାହ କରିଥିଲେ । ଏହି ଏନଜିଓ ଦୀର୍ଘ ଦିନ ଧରି ଚିତ୍ରାଲ ମହିଳାଙ୍କ ପାଇଁ କାମ କରୁଛି । ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ ଆରମ୍ଭ ହୋଇଛି ।

ଡନ୍‌ର ରିପୋର୍ଟ ଅନୁସାରେ, ନାବାଳିକାଜଣଙ୍କ ଜୁଘୁରର ଏକ ସରକାରୀ ସ୍କୁଲର ଛାତ୍ରୀ । ନାବାଳିକାଜଣଙ୍କ ସ୍କୁଲ ରେକର୍ଡ ଅନୁସାରେ ୨୦୦୬ ଅକ୍ଟୋବର ମାସ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଯେଉଁଥିରୁ ତାଙ୍କର ବିବାହ ବୟସ ହୋଇନଥିବା ସ୍ପଷ୍ଟ ହୋଇଛି । ତେବେ ଆୟୁବିଙ୍କ ବୟସ ହେଉଛି ୫୦ ।

ଚିତ୍ରାଲ ଥାନା ଅଧିକାରୀ ସେହଜାଦ ଅହମ୍ମଦ କହିଛନ୍ତି ଯେ, ପୋଲିସ ଅଭିଯୋଗ ପାଇବା ପରେ ନାବାଳିକାଙ୍କ ଘରକୁ ଯାଇଥିଲା । ନାବାଳିକା ଘରେ ନଥିଲେ । ତାଙ୍କ ପିତା ଝିଅର ବିବାହକୁ ଖଣ୍ଡନ କରିଛନ୍ତି । ଏହାକୁ ନେଇ ଏକ ସତ୍ୟପାଠ ମଧ୍ୟ ଦାଖଲ କରିଛନ୍ତି । ଏହାସହ ଝିଅକୁ ୧୬ ବର୍ଷ ନହେଲା ଯାଏଁ ବିବାହ କରିବେ ନାହିଁ ବୋଲି କହିଛନ୍ତି ।

ପାକିସ୍ତାନର ଆଇନ ଅନୁସାରେ, ଯୁବତୀଙ୍କ ସର୍ବନିମ୍ନ ବିବାହ ବୟସ ହେଉଛି  ୧୬ ବର୍ଷ । ତେବେ ପାକିସ୍ତାନୀ ସାଂସଦଜଣଙ୍କ ତାଙ୍କ ବୟସରୁ ୪ ଗୁଣ ସାନ ଝିଅଙ୍କୁ ବିବାହ କରିଛନ୍ତି । ଯାହା ବେଆଇନ୍ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.