ପାକିସ୍ତାନରେ ରାଜନୈତିକ ସଙ୍କଟ ଗମ୍ଭୀର, ସଂସଦରୁ ବିରୋଧୀ ଏମପିଙ୍କ ଗଣ ଇସ୍ତଫା: ୩୧ ସୁଦ୍ଧା ଖାଲି ହୋଇଯିବ ବିରୋଧୀ ଆସନ
9/12/2020 at 5:28 PM

ଇସ୍ଲାମାବାଦ ୦୯/୧୨: ପାକିସ୍ତାନ ମୁସ୍ଲିମ୍ ଲିଗ- ନଓ୍ବାଜ (ପିଏମଏଲ୍-ଏନ)ର ଉପାଧ୍ୟକ୍ଷା ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ଝିଅ ମରିୟମ୍ ନଓ୍ବାଜ୍ ଦେଇଥିବା ମନ୍ତବ୍ୟ ସତ ହେଉଛି। ପାକିସ୍ତାନର ଇମ୍ରାନ ସରକାରଙ୍କୁ ଲାଗିବାକୁ ଯାଉଛି ବଡ଼ ଝଟକା। ପାକିସ୍ତାନରେ ଘନଉଛି ବଡ଼ ରାଜନୈତିକ ସଙ୍କଟ। ବିରୋଧୀ ଦଳର ସାଂସଦମାନେ ଇସ୍ତଫା ଦେବା ଆରମ୍ଭ କରିଛନ୍ତି। ଦୁଇ ଜଣ ସାଂସଦ ଏନେଇ ବୁଧବାର ସୂଚନା ଦେଇଛନ୍ତି। ୩୧ ଡିସେମ୍ବର ପର୍ଯ୍ୟନ୍ତ ସମସ୍ତ ବିରୋଧୀ ସାଂସଦ ଇସ୍ତଫା ଦେଇଦେବେ ବୋଲି ଜଣାପଡ଼ିଛି। ସେପଟେ ୧୩ ନଭେମ୍ବରରେ ହେବାକୁ ଥିବା ରାଲିରେ ମରିୟମ ନଓ୍ବାଜ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିପାରନ୍ତି ବୋଲି ପୋଲିସ କହିଛି।
ପାକିସ୍ତାନରେ ବିରୋଧୀ ଦଳ ଲଗାତର ଇମ୍ରାନ ସରକାରଙ୍କ ଚିନ୍ତା ବଢ଼ାଉଛି। ସଂସଦରେ ସରକାରଙ୍କୁ ପଙ୍ଗୁ କରିବାକୁ ସାଂସଦଙ୍କ ସାମୂହିକ ଇସ୍ତଫା ଘୋଷଣା କରିଛନ୍ତି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ପଞ୍ଜାବ ପ୍ରାନ୍ତର ସାଂସଦ ଅଲି ହାଇଦର ଗିଲାନି ନିଜର ଇସ୍ତଫା ପତ୍ର ପାର୍ଟି ଅଧ୍ୟକ୍ଷ ବିଲାବୁଲ୍ ଭୁଟ୍ଟୋଙ୍କୁ ପଠାଇଥିବା ଜଣାପଡ଼ିଛି। ପିଏମଏଲ୍-ଏନ ସାଂସଦ ହାମିଦ ହସିଦ ମଧ୍ୟ ଇସ୍ତଫା ଦେଇଛନ୍ତି। ୧୧ ବିରୋଧୀ ଦଳର ମହାମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ୍ ମୁଭ୍ମେଣ୍ଟ (ପିଡିଏମ୍) ମୁଖ୍ୟ ଫଜଲୁର ରହମାନ କହିଛନ୍ତି, ସମସ୍ତ ପାର୍ଟିର ସାଂସଦ ୩୧ ଡିସେମ୍ବର ପର୍ଯ୍ୟନ୍ତ ନିଜର ଇସ୍ତଫା ପତ୍ର ପାର୍ଟି ଅଧ୍ୟକ୍ଷକୁ ଦେଇଦେବେ।
ସାମୂହିକ ଇସ୍ତଫାକୁ ନେଇ ପିପିଇ ପ୍ରଥମେ ରାଜି ନଥିବା ବେଳେ ନଓ୍ବାଜ ଶରିଫ ପିପିପିର ଉପାଧ୍ୟକ୍ଷ ଆସିଫ ଅଲି ଜର୍ଦ୍ଦାରିଙ୍କ ସହ ଆଲୋଚନା ପରେ ସହମତି ପ୍ରକାଶ କରିଥିଲା ଦଳ । ଅନ୍ୟପଟେ ମହାମେଣ୍ଟ ଦ୍ବାରା ୧୩ ନଭେମ୍ବରରେ ଆୟୋଜିତ ହେବାକୁ ଯାଉଥିବା ରାଲିରେ ମରିୟମ ନଓ୍ବାଜ ଓ ଅନ୍ୟ ବଡ଼ ନେତାଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିପାରନ୍ତି ବୋଲି ପୋଲିସ ଚେତାଇ ଦେଇଛି। ତେଣୁ ଏହାକୁ ଦେଖି ବିରୋଧୀ ଦଳ ରାଲିକୁ ସ୍ଥଗିତ କରିଦେବା ଦରକାର ବୋଲି ପୋଲିସ ପରାମର୍ଶ ଦେଇଥିବା ବେଳେ ବିରୋଧୀ ଭିଡ଼ ମାଧ୍ୟମରେ କରୋନା ସଂକ୍ରମଣ ବୃଦ୍ଧି କରିବାକୁ ଯୋଜନା କରୁଥିବା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଭିଯୋଗ କରିଛନ୍ତି।