'ଅର୍ଥ ଦମରେ ବିଶ୍ଵ କ୍ରିକେଟ୍‌କୁ ନିୟନ୍ତ୍ରଣ କରୁଛି ଭାରତ, ବିରୋଧରେ ଯିବାକୁ କାହାରି ସାହାସ ନାହିଁ'

Published By : Prameya-News7 Bureau | October 11, 2021 IST

ନୂଆଦିଲ୍ଲୀ ୧୧।୧୦: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତ ଓ ବିଶ୍ଵ କ୍ରିକେଟ୍‌କୁ ନେଇ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦୁନିଆର ସବୁଠୁ ବଡ ବିତ୍ତଶାଳୀ କ୍ରିକେଟ୍ ବୋର୍ଡ। ସେ ବିଶ୍ଵ କ୍ରିକେଟ୍‌କୁ ନିୟନ୍ତ୍ରଣ କରୁଛି। ଇଂଲଣ୍ଡ ଗତ ଦିନରେ ପାକିସ୍ତାନ ଗସ୍ତ ରଦ୍ଦ କରିଥିଲା। ମାତ୍ର ଭାରତ ବିରୋଧରେ ଏମିତି କରିବାକୁ କାହାରି ସାହାସ ନାହିଁ। ଗତ ଦିନରେ ପିସିବି ଅଧ୍ୟକ୍ଷ ରମିଜ୍ ରାଜା ମଧ୍ୟ କହିଛନ୍ତି ଯେ, ବିସିସିଆଇ ଯଦି ଆଇସିସିକୁ ଫଣ୍ଡିଂ ଦେବା ବନ୍ଦ କରିଦିଏ ତେବେ ପାକିସ୍ତାନ କ୍ରିକେଟ୍ ବରବାଦ ହୋଇଯିବ।

ଇମ୍ରାନ ମିଡିଲ୍ ଇଷ୍ଟ ଆଇକୁ ଦେଇଥିବା ସ୍ଵତନ୍ତ୍ର ସାକ୍ଷାତକାରରେ କହିଛନ୍ତି, ଅର୍ଥ ଆଜିକା ସମୟରେ ସବୁଠୁ ବଡ। ଭାରତ ବିଶ୍ଵର ସବୁଠୁ ବଡ ଧନୀ ବୋର୍ଡ। ତେଣୁ କୌଣସି ଦେଶ ଏହା ବିରୋଧରେ ପଦକ୍ଷେପ ନେବାକୁ ସାହାସ କରି ପାରିବେ ନାହିଁ। ଇଂଲଣ୍ଡ ପାକିସ୍ତାନ ସହ ଯାହା କଲା, ତାହା ସେ ଭାରତ ବିରୋଧରେ କରିବାକୁ ସାହାସ କରି ପାରିବ ନାହିଁ। କେବଳ ଖେଳାଳିଙ୍କୁ ନୁହେଁ ବିଭିନ୍ନ ଦେଶର ବୋର୍ଡକୁ ଭାରତଠୁ ଅର୍ଥ ମିଳୁଛି। ଏହି କାରଣରୁ ଭାରତ ବିଶ୍ଵ କ୍ରିକେଟ୍‌କୁ ନିୟନ୍ତ୍ରଣ କରୁଛି ବୋଲି ଇମ୍ରାନ କହିଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି, ଇଂଲଣ୍ଡ ଏବେ ମଧ୍ୟ ଭାବୁଛି ଯେ, ସେ ପାକିସ୍ତାନ ପରି ଦେଶ ସହ କ୍ରିକେଟ୍ ଖେଳି ସେମାନଙ୍କର ଉପକାର କରୁଛି। ଏହାର କେବଳ ଗୋଟିଏ ମାତ୍ର କାରଣ ରହିଛି। ମୁଁ ପାକିସ୍ତାନ ଏବଂ ଇଂଲଣ୍ଡ କ୍ରିକେଟ୍ ସମ୍ବନ୍ଧ ମଜବୁତ ହେବା ଦେଖିଛି। ମାତ୍ର ଇଂଲଣ୍ଡ ନିଜକୁ ନିଚ୍ଚ ଦେଖାଇଛି। ଟି-୨୦ ବିଶ୍ଵ କପ୍ ପୂର୍ବରୁ ଇଂଲଣ୍ଡ ପୁରୁଷ ଦଳ ପାକିସ୍ତାନ ଗସ୍ତରେ ଆସି ଟି-୨୦ ସିରିଜ୍ ଖେଳିବାର ଥିଲା। ଏହା ବ୍ୟତୀତ ଇଂଲଣ୍ଡ ମହିଳା ଦଳକୁ ମଧ୍ୟ ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ସୁରକ୍ଷା କାରଣରୁ ଇସିବି ଏହି ଗସ୍ତ ରଦ୍ଦ କରିଥିଲା।

ଇଂଲଣ୍ଡ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ପାକିସ୍ତାନ ଗସ୍ତ ବାତିଲ୍ କରିଥିଲା। ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନରେ ପହଞ୍ଚି ସାରିଥିଲା ଏବଂ ସୁରକ୍ଷା କାରଣ ଦର୍ଶାଇ ପ୍ରଥମ ମ୍ୟାଚ୍ ଆରମ୍ଭ ହେବାର ଅଧା ଘଣ୍ଟା ପୂର୍ବରୁ ଗସ୍ତ ରଦ୍ଦ କରିଥିଲା। ଏଥିରେ ପାକିସ୍ତାନକୁ ବିଶ୍ଵ କପ୍  ପ୍ରସ୍ତୁତିରେ ବଡ ଝଟକା ଲାଗିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.