ଇସ୍ରାଏଲକୁ ଗୁପ୍ତଚର ପଠାଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଖୁଲାସା ପରେ ଚର୍ଚ୍ଚାରେ ଇମ୍ରାନ ଖାନ

Published By : Prameya-News7 Bureau | June 28, 2021 IST

ଇସ୍ଲାମାବାଦ ୨୮/୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି। ନିଜ ଦେଶର ସ୍ଥିତି ଅସମ୍ଭାଳ ହୋଇପଡ଼ିଥିବା ବେଳେ ଇମ୍ରାନ ବିଶ୍ବ ପାଇଁ ଚିନ୍ତାରେ । ଏବେ ପୁଣି ଥରେ ଇମ୍ରାନକୁ ନେଇ ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଇମ୍ରାନ ଖାନ ନିଜର ଜଣେ ସହଯୋଗୀଙ୍କୁ ଗୁପ୍ତଚର ଭାବେ ଇସ୍ରାଏଲ୍‌ ପଠାଇଥିବା ନେଇ ଜଣାପଡ଼ିଛି। ଗତବର୍ଷ ନଭେମ୍ବରରେ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ଜଣେ ପୂର୍ବତନ  ସହଯୋଗୀ କୌଣସି ମତେ ଇସ୍ରାଏଲରେ ପହଞ୍ଚିଥିଲେ। ସେଠାରେ ବୈଦେଶିକ ମନ୍ତ୍ରାଳୟର ଅଧିକାରୀଙ୍କ ବ୍ୟତୀତ ମୋସାଦ ମୁଖ୍ୟଙ୍କ ସହ ବୈଠକ କରିଥିଲେ। ଏନେଇ ଇସ୍ରାଏଲ୍‌ର ଏକ ମିଡିଆରେ ଖୁଲାସା ହୋଇଛି।

ଗତବର୍ଷ ଅଗଷ୍ଟରେ ଇମ୍ରାନ କହିଥିଲେ, ଯେପର୍ଯ୍ୟନ୍ତ ପାଲେଷ୍ଟାଇନ୍‌ ଲୋକଙ୍କୁ ନିଜର ଅଧିକାର ନମିଳିବ ସେପର୍ଯ୍ୟନ୍ତ ଇସ୍ରାଏଲ୍‌ ସହ ସମ୍ପର୍କ ସ୍ଥାପନ କରିବେ ନାହିଁ। ଏକ ଇସ୍ରାଏଲୀ ଖବର କାଗଜ ହାୟୋମ୍‌ରେ ପ୍ରକାଶିତ ଖବର ଅନୁସାରେ, ବ୍ରିଟିଶ ପାକିସ୍ତାନୀ ବ୍ୟବସାୟୀ ସୟଦ ଜୁଲ୍ଫି ବୁଖାରୀ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶ ନେଇ ବୈଦେଶିକ ମନ୍ତ୍ରାଳୟର ଅଧିକାରୀଙ୍କୁ ଭେଟିଥିଲେ। ଏହା ସହ ସେନା ପ୍ରମୁଖ ଜେନେରାଲ୍‌ କମର ଜାଭେଦ ବାଜଓ୍ବାଙ୍କ ମେସେଜ୍‌ ଗୁଇନ୍ଦା ବିଭାଗର ଚିଫ୍‌ ୟୋସି କୋହେନଙ୍କୁ ଦେଇଥିଲେ।  ତେବେ ବୁଖାରୀ ଚଳିତବର୍ଷ ମେ’ ମାସ ପର୍ଯ୍ୟନ୍ତ ଇମ୍ରାନ ଖାନଙ୍କ ବିଶେଷ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ।

ରିପୋର୍ଟରେ ଆହୁରି ଉଲ୍ଲେଖ ଅଛି, ବ୍ରିଟେନ୍‌ରେ ରହୁଥିବା ବୁଖାରୀ ଲଣ୍ଡନରୁ ଏକ କନେକ୍ଟିଂ ଫ୍ଲାଇଟ୍‌ ମାଧ୍ୟମରେ ଇସ୍ଲାମାବାଦର ଗୁରିୟନ ଏୟାରପୋର୍ଟରେ ନଭେମ୍ବର ପ୍ରଥମ ସପ୍ତାହରେ ପହଞ୍ଚିଥିଲେ। ଏହା ପରେ ସେ ତେଲ ଅବିବରେ ପହଞ୍ଚି ବୈଠକ କରିଥିଲେ। ପାକିସ୍ତାନ ଏବଂ ଇସ୍ରାଏଲ୍‌ର ସମ୍ପର୍କ ୟୁଏଇର ଚାପର ଫଳ ଥିଲା ।  ଡିସେମ୍ବର ୨୦୨୦ରେ ଖବର କାଗଜରେ ପ୍ରକାଶ ପାଇଥିଲା,  ଏକ ବଡ଼ ମୁସଲିମ୍‌ ଦେଶର ପରାମର୍ଶଦାତା ଇସ୍ରାଏଲ୍‌ ଗସ୍ତରେ ଆସିଥିଲେ। କିନ୍ତୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ନାହିଁ। ସେତେବେଳେ ଦେଶ ନାଁ ଉଲ୍ଲେଖ କରିନଥିବା ଖବରକାଗଜ ସୋମବାର ଏହା ପାକିସ୍ତାନ ଥିଲା ବୋଲି ଜଣାଇଛି।

ଇସ୍ରାଏଲ୍‌ର ସୈନ୍ୟ ନିୟନ୍ତ୍ରକଙ୍କ ଅନୁମତି ମିଳିବା ପରେ ଏନେଇ ଖବର ମିଳିପାରିଛି। ୟୁଏଇ, ବହରୀନ, ସୁଡାନ, ମରକ୍କୋ ଭଳି ମୁସଲିମ୍‌ ଦେଶ ଇସ୍ରାଏଲ ସହ ସମ୍ପର୍କରେ ସୁଧାର ଆଣିବାକୁ ଚେଷ୍ଟା କରୁଥିବା ବେଳେ ପାକିସ୍ତାନର ପରାମର୍ଶଦାତା ସେଠାକୁ ଯାଇଥିବା ନେଇ ଖୁଲାସା ହୋଇଛି। କିନ୍ତୁ ଏବେ ପାକିସ୍ତାନରେ ଏନେଇ ଚର୍ଚ୍ଚା ଚାଲିଛି। ଅନ୍ୟପଟେ ଗତବର୍ଷ ଅଗଷ୍ଟ ମାସରେ ଇମ୍ରାନ କହିଥିଲେ, ପାଲେଷ୍ଟାଇନର ଲୋକଙ୍କୁ ସେମାନଙ୍କ ଅଧୀକାର ନମିଳିବା ଯାଏ ପାକିସ୍ତାନ ଇସ୍ରାଏଲକୁ ସ୍ବୀକାର କରିବ ନାହିଁ ।

ରିପୋର୍ଟ ମୁତାବିକ୍‌, ପରଭେଜ୍‌ ମୁଶରଫଙ୍କ କାର୍ଯ୍ୟକାଳ ସମାପ୍ତ ପରେ ପ୍ରଥମ ଥର ପାକିସ୍ତାନ ଇସ୍ରାଏଲ ସହିତ ଅଧିକାରୀଙ୍କ ସ୍ତରରେ ସମ୍ପର୍କ ସ୍ଥାପନ ହୋଇଛି। ଏହାପୂର୍ବରୁ ମୁଶରଫଙ୍କ ନେତୃତ୍ବରେ ଏବଂ ତୁର୍କୀ ସମର୍ଥନରେ ତତ୍କାଳୀନ ପାକ୍‌ ବୈଦେଶିକ ମନ୍ତ୍ରୀ ଖୁର୍ସିଦ୍‌ କସୁରୀ ନିଜର ଇସ୍ରାଏଲୀ ସମକକ୍ଷ ସିଲଓ୍ବନ୍‌ ସାଲୋମଙ୍କ ସହ ତୁର୍କୀର ଇସ୍ତାନବୁଲ୍‌ରେ ୧ ସେପ୍ଟେମ୍ବର ୨୦୦୫ରେ ସାକ୍ଷାତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.