ହିନ୍ଦୁ ମନ୍ଦିର କ୍ଷତିର ଭରଣା କରିବେ ଖାଏବର ପଖତୁନଖ୍ୱା ପ୍ରଦେଶ ସରକାର, ପାକ୍ ସୁପ୍ରିମକୋର୍ଟ ମାଗିଛନ୍ତି ରିପୋର୍ଟ
1/01/2021 at 4:11 PM

ଲାହୋର,୦୧/୦୧: ପାକିସ୍ତାନରେ ଲଗାତର ଭାବେ ହିନ୍ଦୁ ମନ୍ଦିରଗୁଡିକୁ ଧ୍ୱଂସ କରାଯାଉଛି । ଗତ ସପ୍ତାହରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର କିଛି ବ୍ୟକ୍ତିବିଶେଷ ପାକରେ ଥିବା ଏକ ମନ୍ଦିରରେ ଭଙ୍ଗାରୁଜା କରିଥିଲେ । ତେବେ ଏହି ମନ୍ଦିରକୁ ପୁନଃ ନିର୍ମାଣ ପାଇଁ ପାକିସ୍ତାନ ସରକାର ଘୋଷଣା କରିଛନ୍ତି । ସରକାରୀ ଅର୍ଥରୁ ଏହାକୁ ନିର୍ମାଣ କରାଯିବ ବୋଲି କହିଛନ୍ତି ପାକ୍ ସୂଚନା ମନ୍ତ୍ରୀ ।
ସୂଚନାନୁସାରେ, ଗତ ସପ୍ତାହରେ ପାକିସ୍ତାନର ଖାଏବର ପଖତୁନଖ୍ୱାର ଏକ ଗ୍ରାମରେ ଥିବା ମନ୍ଦିରକୁ କିଛି ଦୁର୍ବୃତ୍ତ ଭାଙ୍ଗି ଦେଇଥିଲେ । ଦୁର୍ବୃତ୍ତମାନେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଥିଲେ । ହିନ୍ଦୁ ସମୁଦାୟଙ୍କ ବିରୋଧରେ ଏକ ଧାରଣା ଦେବାବେଳେ ମନ୍ଦିରରେ ସେମାନେ ତୁମୂଳ କାଣ୍ଡ ଭିଆଇଥିଲେ । ମନ୍ଦିରରେ ଲଙ୍କାକାଣ୍ଡ ଘଟାଇଥିବା ପ୍ରାୟ ୪୫ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ ହୋଇଛି ।
ଏହି ଘଟଣା ପରେ ପାକିସ୍ତାନରେ ଉତ୍ତେଜନା ପ୍ରକାଶ ପାଇଥିଲା । ପାକ୍ରେ ସଂଖ୍ୟାଲଘୁ ସୁରକ୍ଷିତ ନଥିବା କ୍ୟାମ୍ପେନିଂ ଆରମ୍ଭ ହୋଇଥିଲା । ଭାରତ ମଧ୍ୟ ହିନ୍ଦୁ ବିରୋଧୀ ଆଭିମୁଖ୍ୟକୁ ନିନ୍ଦା କରିଥିଲା । ଏବେ ପାକ୍ ସୂଚନା ମନ୍ତ୍ରୀ କମରନ୍ ବାଙ୍ଗାସ୍ କହିଛନ୍ତି ଯେ, ସେ ଏହି ଘଟଣାକୁ ନିନ୍ଦା କରୁଛନ୍ତି । ମୁଖ୍ୟମନ୍ତ୍ରୀ ମନ୍ଦିରର ପୁନଋନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଫଣ୍ଡ୍ ବ୍ୟବହାର କରି ମନ୍ଦିରକୁ ଆଉ ଥରେ ତିଆରି କରାଯିବ । ଅତିଶୀଘ୍ର ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି ।
ମନ୍ଦିର ଭଙ୍ଗା ଘଟଣା କୋର୍ଟ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା । କୋର୍ଟ ଏହି ଘଟଣାର ରିପୋର୍ଟ ମାଗିଛନ୍ତି । ସୂଚନାଯୋଗ୍ୟ, ଯେଉଁ ମନ୍ଦିରକୁ ଭାଙ୍ଗି ଦିଆଯାଇଛି ତାହାକୁ ୧୯୯୭ରେ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା । ପରେ ଏହାକୁ ତିଆରି କରାଯାଇଥିଲା । ଏହି ମନ୍ଦିର ପେଶାଓ୍ୱାରରୁ ୧୬୦ କିମି ଦୂରରେ ଅବସ୍ଥିତ ।