କମଲେଶ ତିୱାରୀ ହତ୍ୟା ପଛରେ ପାକିସ୍ତାନ କନେକ୍ସନ ! ଦୁବାଇ ପ୍ଲାନ ଲକ୍ଷ୍ନୌରେ ଲାଗିଲା କାମରେ
19/10/2019 at 8:51 PM

ଅହମ୍ମଦାବାଦ : ହିନ୍ଦୁ ସମାଜ ପାର୍ଟି ସଭାପତି କମଲେଶ ତିୱାରୀ ହତ୍ୟା ପଛରେ ପାକିସ୍ତାନ କନେକ୍ସନର ସୂଚନା ମିଳିଛି। ହତ୍ୟାକାରୀ ରଶିଦ ପଠାନ ଦୁବାଇର ଯେଉଁ କମ୍ପାନୀରେ କାମ କରୁଥିଲା ସେହି କମ୍ପାନୀର ମାଲିକ ପାକିସ୍ତାନ କରାଚୀର। ତେବେ ରଶିଦ କରାଚୀ ଯାଇଛି କି ନା ସେ ନେଇ ଏବେ ଏଟିଏସ୍ ତଦନ୍ତ କରିବ ବୋଲି ଜଣାପଡିଛି। କମଲେଶ ହତ୍ୟା ମାମଲାରେ ଏଟିଏସ୍ ରଶିଦ ସମେତ ମୋହସିନ ଓ ଫୈଜଲକୁ ଗିରଫ କରିଛି।

୨୦୧୫ ମସିହାରେ କମଲେଶ ପୈଗମ୍ବରଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ। ସେତେବେଳେ ରଶିଦ ଭାଇ ମୟୁଦ୍ଦିନ ସହ ମିଶି ତାଙ୍କୁ ହତ୍ୟା କରିବାକୁ ଭାବିଥିଲା । ହେଲେ ସେତେବେଳେ ତାହା କରିପାରିନଥିଲା । ୨୦୧୭ ମସିହାରେ ରଶିଦ ଦୁବାଇ ଯାଇଥିଲା। ସେଠାରେ ସେ ଏକ ଆଇଟି କମ୍ପାନୀରେ କାମ କରୁଥିବା ବେଳେ ୨ ମାସ ପୂର୍ବେ ସୁରାଟ ଆସିଥିଲା। ଭାରତ ଫେରିବା ପରେ ରଶିଦ ପୁଣି କମଲେଶ ତିୱାରୀଙ୍କ ହତ୍ୟା ପାଇଁ ଯୋଜନାରେ ଲାଗିଥିଲା। ଏ ନେଇ ରଶିଦ ବିଲ୍ଡିଂରେ ରହୁଥିବା ମୌଲାନା ମୋହସିନଙ୍କ ସହ କଥା ହୋଇଥିଲା। ମୋହସିନ ସରିଆତ ଓ କୁରଆନ୍ ରେ ‘ବାଜିବ-ଏ-କତ୍ଲ’ ତର୍ଜମା କରି ଏପରି ଲୋକକୁ ହତ୍ୟା କଲେ ପାପ ହେବ ନାହିଁ ବୋଲି କହିଥିଲେ।

ଏଣୁ କମଲେଶଙ୍କୁ ହତ୍ୟା କରିବା ଲାଗି ଭାଇ ମୟୁଦ୍ଦିନକୁ ସାଙ୍ଗ କରିଥିଲା ରଶିଦ। ହେଲେ ମୟୁଦ୍ଦିନ ମନା କରିଦେବାରୁ ଫୈଜଲ ଓ ମହସିନକୁ ସାଙ୍ଗରେ ନେଇ ଲକ୍ଷ୍ନୌ ବାହାରିଯାଇଥିଲା। ସେଠାରେ ଦୁଇ ଦିନ ରହିବା ପରେ କମଲେଶଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲା। ତେବେ ହତ୍ୟା ଲାଗି ରଶିଦ ସହ ସେଦିନ ଜଣେ ମହିଳା ବି କମଲେଶଙ୍କ ଘରକୁ ଯାଇଥିବା ସିସିଟିଭି ଫୁଟେଜରେ ଦେଖାଯାଇଛି। ତେବେ ମହିଳାଙ୍କ ଚିହ୍ନଟ ହୋଇ ପାରିନଥିବା ବେଳେ ରଶିଦର ଭାଇ ମୟୁଦ୍ଦିନ ଫେରାର ହୋଇଯାଇଛି। ତେବେ ରଶିଦକୁ ତା ପିତା ନିର୍ଦ୍ଦୋଷ ବୋଲି କହିଛନ୍ତି। ସେ ଦୁବାଇରେ କୌଣସି କମ୍ପ୍ୟୁଟର ଦୋକାନରେ କାମ କରୁଥିଲା। ୨ ମାସ ପୂର୍ବେ ଘରକୁ ଆସିଥିବା ବେଳେ ସେ ଅତ୍ୟନ୍ତ ସାଧାସିଧା ବୋଲି କହିଛନ୍ତି।