ଖୋଲିଲା ପାକିସ୍ତାନ ପୋଲ୍‌, ହିନ୍ଦୁ ଯୁବତୀଙ୍କ ଧର୍ମାନ୍ତରୀକରଣ ହେଉଥିବା ମାନିଲେ ସରକାର

Published By : Prameya-News7 Bureau | October 20, 2020 IST

ଇସ୍‌ଲାମାବାଦ ୨୦/୧୦: ପାକିସ୍ତାନରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଉପରେ  ନିର୍ଯାତନା ହେଉଥିବା ଅଭିଯୋଗ ହେଉଛି। ବିଶେଷ କରି ପାକିସ୍ତାନରେ ସଂଖ୍ୟାଲଘୁଙ୍କର ଧର୍ମ ପରିବର୍ତ୍ତନ କରାଯାଏ ବୋଲି ବିଭିନ୍ନ ସଂଗଠନ ଅଭିଯୋଗ କରିଆସୁଛନ୍ତି। କିନ୍ତୁ ଏବେ ଖୋଦ ପାକିସ୍ତାନ ସରକାର ଏହାକୁ ସ୍ବୀକାର କରିଛନ୍ତି। ପାକିସ୍ତାନର ଏକ ସଂସଦୀୟ କମିଟି ଅନୁସାରେ ଦେଶ, ଧର୍ମାନ୍ତରୀକରଣର ଶିକାର ହେଉଥିବା ସଂଖ୍ୟାଲଘୁ ସଂପ୍ରଦାୟକଙ୍କୁ ସୁରକ୍ଷା ଦେବାରେ ଅସମର୍ଥ।

ସାଂସଦ ଅନବାରୁଲ୍‌ ହକ୍‌ କାକରଙ୍କ ଅଧ୍ୟକ୍ଷତାରେ ଏକ ସଂସଦୀୟ କମିଟି ଧର୍ମାନ୍ତରୀକରଣ ଉପରେ ସମୀକ୍ଷା କରିବାକୁ ସିନ୍ଧର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ। ସେଠାରେ ହିନ୍ଦୁ ଯୁବତୀ ଧର୍ମାନ୍ତରୀକରଣର ଶିକାର ହେଉଥିବା ନେଇ ଅନେକ ମାମଲା ସାମ୍ନାକୁ ଆସିଥିଲା। କାକର କହିଛନ୍ତି ଦେଶ, ଜବରଦସ୍ତି ଧର୍ମ ପରିବର୍ତ୍ତନର ଶିକାର ହେଉଥିବା ଅଳ୍ପସଂଖ୍ୟକଙ୍କୁ ସୁରକ୍ଷା ଦେବାରେ ପୁରା ବିଫଳ ହୋଇଛି।

ଭଲ ଜୀବନଶୈଳୀ ପାଇଁ ଧର୍ମାନ୍ତରୀକରଣକୁ ବି ଜବରଦସ୍ତି ଧର୍ମ ପରିବର୍ତ୍ତନ ବୋଲି ଧରାଯାଏ। ଆର୍ଥିକ କାରଣରୁ ହେଉଥିବା ଧର୍ମାନ୍ତରୀକରଣକୁ ଶୋଷଣ ବୋଲି କୁହାଯାଇପାରିବ କିନ୍ତୁ ଏହାକୁ ଜବରଦସ୍ତି ଧର୍ମ ପରିବର୍ତ୍ତନ କୁହାଯିବ ନାହିଁ ବୋଲି କାକର କହିଛନ୍ତି। ଧର୍ମାନ୍ତରୀକରଣର ପରିଭାଷା ଅନେକ ରହିଛି ବୋଲି ସେ କହିଛନ୍ତି।

ବିବାହ ପାଇଁ କିଛି ନିୟମ ପରିବର୍ତ୍ତନ ଉପରେ ଜୋର ଦେଇଛନ୍ତି କାକର। ତାଙ୍କ ଅନୁସାରେ ବିବାହ ସମୟରେ ମାତା-ପିତାଙ୍କ ଉପସ୍ଥିତ ଅନିବାର୍ଯ୍ୟ ହେବା ଆବଶ୍ୟକ। ରିପୋର୍ଟ ଅନୁସାରେ ସାଂଘର, ଘୋଟକି, ସୁକ୍କୁର, ଖୈରପୁର ଓ ମିରପୁରଖାସ ଜିଲ୍ଲାରେ ଧର୍ମାନ୍ତରୀକରଣର ମାମଲା ଅଧିକ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.