ଇମ୍ରାନଙ୍କୁ ଅଯୋଗ୍ୟ ଘୋଷଣା ଲାଗି ପାକ୍ ହାଇକୋର୍ଟରେ ମୋକଦ୍ଦମା, ବ୍ୟକ୍ତିଗତ ହାଜିରା ଲାଗି ନିର୍ଦ୍ଦେଶ ଦେବାକୁ ନିବେଦନ

Published By : Prameya-News7 Bureau | November 24, 2019 IST

ଲାହୋର : ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା ଲାଗି ନ୍ୟାୟାଳୟଙ୍କ ଶରଣାପନ୍ନ ହୋଇଛନ୍ତି ନାଗରିକ। ଲାହୋର ହାଇକୋର୍ଟରେ ଏ ନେଇ ପିଟିସନ ରୁଜୁ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମିଆଁ ନୱାଜ ସରିଫଙ୍କ ସମ୍ପର୍କରେ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ପ୍ରଧାନମନ୍ତ୍ରୀ  ଦେଇଥିବା ମନ୍ତବ୍ୟ ନ୍ୟାୟାଳୟଙ୍କ ଅବମାନନା ବୋଲି ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି।

ତେବେ ଅଦାଲତଙ୍କ ମାମଲାରେ ଇମ୍ରାନଙ୍କ ମନ୍ତବ୍ୟ କିଛି ନୂଆ କଥା ନୁହେଁ। ପୂର୍ବରୁ ୨୦୧୩ ମସିହାରେ ନ୍ୟାୟାଳୟଙ୍କ ସମାଲୋଚନା କରିବା ଯୋଗୁ ତାଙ୍କୁ ନୋଟିସ ଜାରି ହୋଇଥିଲା। ତେବେ ଏଥର ଇମ୍ରାନଙ୍କୁ କୋର୍ଟରେ ବ୍ୟକ୍ତିଗତ ହାଜର ଲାଗି  ନିର୍ଦ୍ଦେଶ ସହ ନିର୍ବାଚନ ଆୟୋଗ ଓ ନ୍ୟାସନାଲ ଆସେମ୍ବ୍ଲିଙ୍କୁ ତାଙ୍କ ସଦସ୍ୟତା ରଦ୍ଦ କରିବାକୁ ନିର୍ଦ୍ଦେଶ ଦେବା ଲାଗି ଆବେଦନକାରୀ ତାରିକ ମକସୁଦ କୋର୍ଟଙ୍କୁ ନିବେଦନ କରିଛନ୍ତି।  

ଲାହୋର ହାଇକୋର୍ଟ ସରକାରଙ୍କ ସର୍ତ୍ତକୁ ଅଗ୍ରାହ୍ୟ କରି ନୱାଜ ସରିଫଙ୍କୁ ଲଣ୍ଡନରେ ଚିକିତ୍ସା ଲାଗି ଜାମିନ ମଞ୍ଜୁର କରିଥିଲେ। ତାଙ୍କର ଜାମିନ ଲାଗି ୭୦ କୋଟି ପାକିସ୍ତାନୀ ଟଙ୍କା ଗ୍ୟାରେଣ୍ଟି ରଖିବାକୁ ସରକାରୀ ସର୍ତ୍ତ ଥିଲା। ତେବେ ନ୍ୟାୟାଧୀଶ ସରକାରଙ୍କ ସର୍ତ୍ତ ନ ମାନିବାରୁ ପ୍ରଧାନମନ୍ତ୍ରୀ ମୁଖ୍ୟ ନ୍ୟାୟାଧୀଶ ଆସିଫ ସଇଦ ଖୋସଲାଙ୍କୁ ବିଚାର ପ୍ରକ୍ରିୟାରେ ଲୋକଙ୍କ ଆସ୍ଥା କାୟମ କରିବାକୁ କହିଥିଲେ।  ହେଲେ ନ୍ୟାୟାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଭଲ ଲାଗିନଥିଲା। ଏଣୁ ଏଭଳି ମନ୍ତବ୍ୟ ଦେବା ପୂର୍ବରୁ ଭଲ ରୂପେ ଚିନ୍ତା କରିବାକୁ ମୁଖ୍ୟବିଚାରପତି ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

କେବଳ କୋର୍ଟରେ ନୁହେଁ ସଭା ସମିତିରେ ବି ଇମ୍ରାନ ନୱାଜଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସନ୍ଦେହ ପ୍ରକାଶ କରୁଛନ୍ତି।  ତାଙ୍କ ହେଲଥ ରିପୋର୍ଟରେ ଜାଲିଆତି କରାଯାଇଥିବାର ମଧ୍ୟ କହୁଛନ୍ତି ଇମ୍ରାନ। କାରଣ ସରିଫ ଏୟାର ଆମ୍ବୁଲାନ୍ସର ସିଡି ଚଢୁଥିବାର ସେ ଦେଖିଥିବା କହିଛନ୍ତି। ଗତ ୧୯ ତାରିଖରେ ଶରିଫ ଲଣ୍ଡନ ଯାଇଥିବା ବେଳେ ସେଠାରେ ଏବେ ଚିକିତ୍ସାଧୀନ ଅଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.