ବୀମାଠୁ ଆରମ୍ଭ କରି ରିଟେଲ ସେକ୍ଟର ସବୁଠି ରହିଛି ଏକାଧିକାର, ଦେଶର ଦ୍ୱିତୀୟ ସର୍ବବୃହତ୍ତ ବିଜେନେସ୍ ଗ୍ରୁପ ପାଲଟିଛି ପାକ୍ ସେନା
3/10/2019 at 10:03 PM

ଇସ୍ଲାମାବାଦ : କେବଳ ସୀମା ସୁରକ୍ଷା ନୁହେଁ ପାକ୍ ସେନା ବ୍ୟବସାୟ ବି କରେ। ହୁଏତ କମ୍ ଲୋକେ ଜାଣିଥିବେ ପାକିସ୍ତାନ ଆର୍ମିର ଏହି ଅସଲ ବାସ୍ତବତା। ତେବେ ପାକିସ୍ତାନ ସେନାର ‘ଫୌଜି ଫାଉଣ୍ଡେସନ’ ଏବେ ଦେଶର ଦ୍ୱିତୀୟ ସର୍ବ ବୃହତ୍ତ ବିଜନେସ ଗ୍ରୁପରେ ନିଜକୁ ରୂପାନ୍ତରିତ କରିଛି। ଯାହାର ଏକାଧିକାରରେ ଦେଶର ବୀମା ଠୁ ଆରମ୍ଭ କରି ରିଟେଲ ମାର୍କେଟ ବି ରହିଛି। ଏଥିଲାଗି ସେନା ସରକାରଙ୍କୁ ଟଙ୍କାଟିଏ ବି ଶୁଳ୍କ ଦିଏନି। ହେଲେ ଏହି ଅର୍ଥରେ ସେନା କର୍ମଚାରୀଙ୍କ ଖର୍ଚ୍ଚ ଭରଣା ହେଉଥିବା ବେଳେ ଅଧିକାରୀଙ୍କ ଅଏସ ଆରାମ ବି ଚଳୁଛି।

ଫୌଜୀ ଫାଉଣ୍ଡେସନ ଦେଶର ଖଣିରୁ ଆରମ୍ଭ କରି ବିଦ୍ୟୁତ ବିକ୍ରି ପର୍ଯ୍ୟନ୍ତ ନିଜକୁ ବ୍ୟାପ୍ତ କରିଛି। ୨୦୧୬ ମସିହାରେ ଏକ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରକାଶିତ ଖବର ଅନୁସାରେ ସେନାର ଫୌଜି ଫାଉଣ୍ଡେସନ ସହିତ ପାକ୍ ଆର୍ମୀର କମର୍ସିଆଲ ଶାଖା ଶାହିନ ଫାଉଣ୍ଡେସନ, ବହରିଆ ଫାଉଣ୍ଡେସନ, ଆର୍ମୀ ୱେଲଫେୟାର ଟ୍ରଷ୍ଟ ଓ ଡିଫେନ୍ସ ହାଉସିଂ ଟ୍ରଷ୍ଟ ନିକଟରେ ୨୦ ବିଲିୟନ ଡଲାରରୁ ବି ଊର୍ଦ୍ଧ୍ୱ ମୂଲ୍ୟର ଆବାସୀୟ ପରିସମ୍ପତ୍ତି ଥିବା ପାକିସ୍ତାନର ସିନେଟ୍ କୁ ସୂଚିତ କରାଯାଇଥିଲା।

ତେବେ ଆଜିର ଦିନରେ ପାକ୍ ଆର୍ମି ମାଲିକାନାଧିନ ସଂସ୍ଥାଙ୍କ ସଂଖ୍ୟା ଦେଶରେ ସହସ୍ରାଧିକ ହୋଇଥିବା ବେଳେ ଏହି ସବୁ କମ୍ପାନୀମାନଙ୍କରେ ସେନାର ନିବେଶ ପରିମାଣ ପ୍ରାୟ ୧ଶହ ବିଲିୟନ ଡଲାରରୁ ବି ଅଧିକ। ଏଥିରେ ନିକଟରେ ସେନା ଦେଶର ତୈଳ କ୍ଷେତ୍ରରେ କାରବାରକୁ ଓହ୍ଲାଇଛି। ରିପୋର୍ଟ ଅନୁସାରେ ପୂର୍ବରୁ ସେନା ବ୍ୟାଙ୍କିଙ୍ଗ, ଫୁଡ, ରିଟେଲ, ସୁପରଷ୍ଟୋର, ସିମେଣ୍ଟ, ରିୟଲ ଇଷ୍ଟେଟ୍, ହାଉସିଂ, କନଷ୍ଟ୍ରକ୍ସନ, ଘରୋଇ ସୁରକ୍ଷା ସେବା ଓ ଏପରିକି ବୀମା କମ୍ପାନୀ ମଧ୍ୟ ଚଳାଉଥିଲା।

‘ମିଲେଟ୍ରି ଇଙ୍କ’ ଲେଖିକା ଆୟେଶା ସିଦ୍ଦିକାଙ୍କ ଲେଖାରେ ମଧ୍ୟ ଏ ନେଇ ଉଲ୍ଲେଖ ରହିଛି। ସେନା କରୁଥିବା ବ୍ୟବସାୟକୁ ନେଇ ୨୦୦୫ ମସିହାରେ ବିବାଦ ଉପୁଜିଥିଲା। ଏକ ବିବାଦୀୟ ବ୍ୟବସାୟୀକ ନେଣଦେଣ ନେଇ ପ୍ରଶ୍ନ ଉଠିବାରୁ ପ୍ରତିରକ୍ଷାମନ୍ତ୍ରାଳୟ ସମ୍ବଦ୍ଧିତ ସାଂସଦମାନେ ଏଥିରୁ ନିଜକୁ ଦୂରେଇ ନେଇଥିଲେ। ଫଳରେ ଗତିରୋଧ ଦେଖାଦେଇଥିଲା। ଏହି ରିପୋର୍ଟ ଅନୁସାରେ ଫ୍ରଣ୍ଟିୟର ଅଏଲ କମ୍ପାନୀ ଆର୍ମି ପରିଚାଳନାଧୀନ ଫ୍ରଣ୍ଟିୟପ ୱାର୍କର୍ସ ଅର୍ଗାନାଇଜେସନର ସବସିଡାରୀ ସଂସ୍ଥା। ଏହି କମ୍ପାନୀକୁ ୪୭୦ କିଲୋମିଟର ଦୀର୍ଘ ତେଲ ପ୍ରକଳ୍ପର ପାଇପଲାଇନ କାମ ୩୭ କୋଟି ଟଙ୍କାରେ ଠିକା ଦିଆଯାଇଥିଲା ।