ଭାରତକୁ ପୁଣି ଧମକାଇଲେ ପାକ୍ ସେନା ମୁଖ୍ୟ ଜେନେରାଲ୍ ବାଜଓ୍ୱା
4/10/2019 at 4:04 PM

ଇସଲାମାବା – ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବିଚଳିତ ହୋଇ ପଡୁଛି । ଅନ୍ତର୍ଜାତୀୟ ସମୁଦାୟ ପାକିସ୍ତାନକୁ ସମର୍ଥନ ଦେଉ ନଥିବା ବେଳେ ପାକିସ୍ତାନର ନେତାଙ୍କ ଠାରୁ ଆରମ୍ଭ କରି ସେନା ମୁଖ୍ୟ ପର୍ଯ୍ୟନ୍ତ ଭାରତକୁ ଯୁଦ୍ଧ ଧମକ ଦେଇ ସାରିଛନ୍ତି । ଏବେ ପାକିସ୍ତାନରେ ସେନା ଗାଦି ଅକ୍ତିଆର କରିବା ପାଇଁ ଯୋଜନା କରୁଥିବା ଆଶଙ୍କା କରାଯାଉଛି । ଏହା ଭିତରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ୍ ବାଜଓ୍ୱା ଏକ ଟେଲିଭିଜନ ସାକ୍ଷାତକାରରେ ଭାରତକୁ ଧମକାଇଛନ୍ତି । କାଶ୍ମୀର ପାଇଁ ଶେଷ ଗୁଳି, ଶେଷ ରକ୍ତ ଓ ଅନ୍ତିମ ସୈନ୍ୟ ଥିବା ପର୍ଯ୍ୟନ୍ତ ଲଢିବୁ ବୋଲି ବାଜଓ୍ୱା କହିଛନ୍ତି ।
ପାକିସ୍ତାନ କେବେବି କାଶ୍ମୀର ପ୍ରସଙ୍ଗକୁ ଛାଡିବ ନାହିଁ କୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ବାଜଓ୍ୱା କହିଛନ୍ତି । ସେମାନେ କାଶ୍ମୀର ପାଇଁ କିଛି ବି କରି ପାରନ୍ତି ବୋଲି କହିଛନ୍ତି ।
ଇମରାନ୍ ଖାନ୍ ବି ଧମକ ଦେବାରେ ପଛରେ ପଡି ନାହାନ୍ତି। ପାକିସ୍ତାନ ବିବାଦୀୟ କାଶ୍ମୀର ପ୍ରସଙ୍ଗରେ କିଛି ବି କରିପାରେ , ଏଥିପାଇଁ ବିଶ୍ୱ ସମୁଦାୟ ଦାୟୀ ରହିବେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ କହିଛନ୍ତି ।
ପାକିସ୍ତାନ ଯୁଦ୍ଧ ଚାହେଁ ନାହିଁ ମାତ୍ର ପାକିସ୍ତାନ ଚୁପ୍ ବସିବ ନାହିଁ ବୋଲି ଇମରାନ୍ କହିଛନ୍ତି । ସରକାରୀ ରେଡିଓ ରେ ଇମରାନ୍ ଏହି ସୂଚନା ଦେଇଛନ୍ତି ।
ଗତ କିଛି ଦିନ ଧରି ପାକିସ୍ତାନ ବିଶ୍ୱ ସମୁଦାୟକୁ କାଶ୍ମୀର ପ୍ରସଙ୍ଗରେ ସମର୍ଥନ କରିବା ପାଇଁ ଦାବି କରିଥିଲା । ହେଲେ ଭାରତ ସହ କଥାବାର୍ତ୍ତା ହେବା ପାଇଁ ଆମେରିକା,ୟିରୋପ ଓ ବ୍ରିଟେନ୍ ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି ।