ଭାଙ୍ଗିଗଲା ହୀରା-ମୋତି ଯୋଡି : ବଡ ଭାଇକୁ କରେଣ୍ଟ ଲଗାଇ ଶିକାର କରି ଚମଡା ନେଇଗଲେ ଦୁର୍ବୁତ୍ତ, ତଦନ୍ତ ଆରମ୍ଭ

Published By : Prameya-News7 Bureau | November 02, 2021 IST

ଭୋପାଳ ୦୨/୧୧ : ମଧ୍ୟ ପ୍ରଦେଶର ସତନା ଜିଲ୍ଲା ରକ୍ସେଲଓ୍ବା ଜଙ୍ଗଲରେ ଶିକାରୀମାନେ ଏକ ବାଘକୁ ହତ୍ୟାକରି ତାର ଚମଡା ନେଇଯିବା ସହିତ ମୃତଦେହକୁ ନିକଟସ୍ଥ ପୋଖରୀରେ ଫିଙ୍ଗିଦେଇଥିବା ଚର୍ଚ୍ଚାର ବିଷୟ ପାଲଟିଛି । ହୀରା ନାମକ ଏହି ବାଘ ଆଉ ଏକ ବାଘ ସହ ରହୁଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ବାଘର ଶରୀରରେ ରେଡିଓ କଲର ଲଗାଯାଇଥିଲେ ସୁଦ୍ଧା ବନ ବିଭାଗ ଅଧିକାରୀ ଏହାର ଟ୍ରେସିଂ କରିପାରି ନଥିଲେ । ଘଟଣାସ୍ଥଳରୁ କଲର ଆଇଡି ଜବତ କରିଛନ୍ତି ବନ ବିଭାଗ ଅଧିକାରୀ ।

ସୂଚନାଯୋଗ୍ୟ, ହୀରା ଏବଂ ମୋତି ନାମକ ଦୁଇ ବାଘ ଏକାଠି ରହୁଥିଲେ । ତେବେ ଶିକାରୀମାନେ ଯୋଜନାବଦ୍ଧ ଭାବେ ହୀରାକୁ ହତ୍ୟା କରିବା ପରେ ତାର ଚମଡା ନେଇଯାଇଛନ୍ତି ଏବଂ ଶରୀରକୁ ନିକଟସ୍ଥ ପୋଖରୀରେ ଫିଙ୍ଗିଦେଇଛନ୍ତି । ଘଟଣା ବାବଦରେ ଜଣାପଡିବା ପରେ ବନ ବିଭାଗ ଅଧିକାରୀ ଘଟଣାଶସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ବନ ବିଭାଗ । ବାଘର ପୋଷ୍ଟମର୍ଟମ କରାଯାଇ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ହୀରାକୁ ଶିକାର କରାଯାଇଥିବା ବନ ବିଭାଗ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ରେଡିଓ କଲର ଭାଙ୍ଗା ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ଏହା ପରେ ମୃତ ବାଘ ହୀରା ବୋଲି ଜଣାପଡିଥିଲା ।

ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗତ ଅକ୍ଟୋବର ୧୩ ତାରିଖ ପରଠାରୁ ହୀରାର ସ୍ଥିତି ବାବଦରେ କୌଣସି ସୂଚନା ମିଳିନଥିଲା । ସେବେଠାରୁ ତାକୁ ଖୋଜା ଚାଲିଥିଲା । ସୋମବାର ସକାଳେ ହିଁ ତାର ଶବ ମିଳିଥିଲା । ଶିକାରୀମାନେ ଅତି ନିର୍ଦ୍ଦୟ ଭାବେ ହତ୍ୟାକରି ତାର ଚମଡା ନେଇଯାଇଛନ୍ତି । କରେଣ୍ଟ ଦ୍ବାରା ତାକୁ ହତ୍ୟା କରିବା ପରେ ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି ଶିକାରୀ । ଘଟଣାରେ ବର୍ତ୍ତମାନ ୩ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.