ପେଡ୍ କ୍ବାରେଣ୍ଟାଇନ୍ ହୋଟେଲରେ ପ୍ରେମିକର ମୃତ୍ୟୁ: ମଦ ବୋତଲ ଓ ପ୍ରେମିକାଙ୍କ ଏପଟସେପଟ କଥା, ସତ କ’ଣ..? ଶୁଣନ୍ତୁ
2/09/2020 at 4:11 PM

ଢ଼େଙ୍କାନାଳ୨/୯: ହୋଟେଲ ରୁମ୍ରୁ ଅଣଓଡ଼ିଆ ଗହଣା ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର। ତାଙ୍କୁ କିଏ ହତ୍ୟା କରିଛି କି ସେ ଆତ୍ମହତ୍ୟା କରିଛନ୍ତି , ତାହା ଏବେ ସନ୍ଦେହ ଘେରରେ ରହିଛି। ବର୍ତ୍ତମାନ ବ୍ୟବସାୟୀଙ୍କ ମୃତ୍ୟୁ ଘଟଣାରେ ଜଣେ ୧୮ ବର୍ଷ ବୟସ୍କା ଯୁବତୀଙ୍କୁ ପୁଲିସ୍ ପଚରାଉଚାର କରୁଛି। ଏହି ଯୁବତୀଙ୍କ ସହ ମୃତ ବ୍ୟବସାୟୀ ରାତିରେ ହୋଟେଲରେ ଗୋଟେ ରୁମ୍ରେ ଏକାଠି ରହିଥିଲେ। ସୁନା-ଗହଣା ଏବଂ ଟଙ୍କା ଲୁଟ୍ କରି ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଢେଙ୍କାନାଳ ସହରର ଶକୁନ୍ତଳା ନାମକ ଏକ ହୋଟେଲ ରୁମ୍ରୁ ଜଣେ ବେଙ୍ଗଲି ଗହଣା ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର ହୋଇଛି। ହୋଟେଲର ତୃତୀୟ ମହଲା ରୁମ୍ ନମ୍ବର-୨୦୨ ରେ ବ୍ୟବସାୟୀ ଏବଂ ସଂପୃକ୍ତ ଯୁବତୀ ଏକାଠି ରହିଥିଲେ। ସେହି ରୁମ୍ରୁ ମଦ ବୋତଲ ମଧ୍ୟ ପୁଲିସ୍ ଜବତ କରିଛି। ଏପଟେ ହୋଟେଲରୁ ଉଦ୍ଧାର ହୋଇଥିବା ଯୁବତୀଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ କହିଛନ୍ତି, ରାତିରେ ଦୁହେଁ ହୋଟେଲର ଗୋଟେ ରୁମ୍ରେ ଏକାଠି ରହିଥିଲେ। ରାତିରେ ମଦ ପିଇବା ପରେ ଯୁବତୀଙ୍କ ଷ୍ଟଲରେ ରଶି ଲଗାଇ ବ୍ୟବସାୟୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି। ଯୁବତୀ ନିଜକୁ ମୃତକଙ୍କ ଭଉଣୀ କହୁଥିବା ବେଳେ ପୁଲିସ୍ କିନ୍ତୁ ଅନ୍ୟ କିଛି କହୁଛି। ସେମାନେ ପରସ୍ପର ଭାଇ-ଭଉଣୀ ନୁହନ୍ତି। ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ପୁଲିସ୍ କହିଛି।
ମୃତକ ହେଲେ ୩୨ ବର୍ଷ ବୟସ୍କ ବିଜୁ ମଇତି, ତାଙ୍କ ଘର କୋଲକାତାର ମେଦିନପୁର ଅଞ୍ଚଳର ବୋଲି ଜଣାପଡିଛି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ଏହି ହୋଟେଲକୁ ପ୍ରଶାସନ ପକ୍ଷରୁ ପେଡ୍ କ୍ବାରେଣ୍ଟାଇନ୍ ଭାବେ ନିଆଯାଇଥିବା ଜଣାପଡିଛି। ମାତ୍ର କୋଭିଡ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରି କିପରି ଏହି ଯୁବକ ଯୁବତୀଙ୍କ ଆଧାର ପରିଚୟ ପତ୍ର ବିନା ରଖିବାକୁ ଅନୁମତି ଦିଆଯାଇଛି ତାହା ମଧ୍ୟ ତଦନ୍ତ ପରିସରରେ ରହିଛି ।