ବିଏମ୍‌ସିର ନୂଆ ସୁବିଧା : ଆଇସୋଲେସନ୍‌ରେ ରୁହ, ପଇସା ଦିଅ

Published By : Prameya-News7 Bureau | August 20, 2020 IST

ଭୁବନେଶ୍ୱର ୨୦।୦୮: ବିନା ଲକ୍ଷଣ ଥାଇ ପଜିଟିଭ୍‌ ବାହାରିଥିବା ରୋଗୀ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ଅନୁମତି ଦିଆଯାଉଛି । ତେବେ କିଛି କ୍ଷେତ୍ରରେ ଆଇସୋଲେସନ୍‌ରେ ରହିବାକୁ ଆକ୍ରାନ୍ତଙ୍କ ଘରେ ପର୍ଯ୍ୟାପ୍ତ ସୁବିଧା ରହୁନି। ପେଡ୍‌ କ୍ୱାରେଣ୍ଟାଇନ୍‌ ଭଳି ଲୋକେ ପେଡ୍‌ ଆଇସୋଲେସନ୍‌ରେ ରହିବାକୁ ଇଚ୍ଛା କରୁଛନ୍ତି । ଏସବୁ ବିଚାର କରି ବିଏମ୍‌ସି ଆଜି ପେଡ୍‌ ଆଇସୋଲେସନ୍‌ ସୁବିଧା ଆରମ୍ଭ କରିଛି । ଫଳରେ ଏଣିକି ଟଙ୍କା ଦେଇ କରୋନା ଆକ୍ରାନ୍ତ ହୋଟେଲରେ ରହିପାରିବେ ।

ପ୍ରଥମ ପର୍ଯ୍ୟାୟରେ ୩ଟି ହୋଟେଲ ଓ ଗେଷ୍ଟହାଉସ୍‌ରେ ଏହି ସୁବିଧା ଉପଲବ୍ଧ ହେବ। ଘାଟିକିଆ ସମ୍‌ ହସ୍ପିଟାଲ ପାଖରେ ଥିବା ଏମଏ ସମ୍‌ ପ୍ୟାଲେସ୍‌, ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଏମଏ ଗେଷ୍ଟହାଉସ୍‌ ଲୋକେ ପେଡ୍‌ ଆଇସୋଲେସନ୍‌ରେ ରହିପାରିବେ। ବିଏମ୍‌ସି ପେଡ୍‌ ଆଇସୋଲେସନ୍‌ ପାଇଁ ଓୟୋ ହୋଟେଲସ୍‌ ଆଣ୍ଡ ରୁମସ୍‌ ସହ ଚୁକ୍ତି କରିଛି। ପେଡ୍‌ ଆଇସୋଲେସନ୍‌ ପାଇଁ ୩ ହୋଟେଲ କର୍ତ୍ତୃପକ୍ଷଙ୍କୁ ସହ ଯୋଗାଯୋଗ ପାଇଁ ବିଏମ୍‌ସି ନମ୍ବର ଜାରି କରିଛି।

ଏମଏ ସମ୍‌ ପ୍ୟାଲେସ୍‌ ଓ ଏମଏ ଗେଷ୍ଟହାଉସ୍‌ରେ ଆଇସୋଲେସନ୍‌ରେ ରହିଲେ ଦିନକୁ ୧୨୯୯ ଟଙ୍କା ଦେବାକୁ ପଡିବ। ଏହି ଦୁଇଟି ଗେଷ୍ଟହାଉସ୍‌ର ଆଇସୋଲେସନ୍‌ ଶଯ୍ୟାରେ ଶୀତତାପନିୟନ୍ତ୍ରିତ(ଏସି) ସୁବିଧା ନାହିଁ । ସେହିଭଳି ଏମଏ କ୍ଲାସିକ୍‌ ଇନ୍‌ ପାଇଁ ଦିନକୁ ଏସି ସୁବିଧା ଥିବାବେଳେ ଦିନକୁ ୧୮୯୯ ଟଙ୍କା ଦେବାକୁ ହେବ। ସକାଳ ଜଳଖିଆ, ମଧ୍ୟାହ୍ନ ଖାଇବା ଓ ରାତି ଖାଦ୍ୟ ସହ ଦିନକୁ ୨ ଲିଟର ପାଣି ଯୋଗାଇ ଦିଆଯିବ । ଆକ୍ରାନ୍ତ ଯଦି ଆଉ କିଛି ଅତିରିକ୍ତ ଖାଦ୍ୟ ସାମଗ୍ରୀ ଅର୍ଡର କରିବେ ତାହା ପାଇଁ ଅଲଗା ଦେୟ ଦେବେ । ଏଥିସହ ହୋଟେଲର କୌଣସି ସାମଗ୍ରୀ ନଷ୍ଟ କଲେ ତାହା ନିଜକୁ ଭରଣା କରିବାକୁ ହେବ ବୋଲି ବିଏମ୍‌ସି ସର୍ତ୍ତ ରଖିଛି ।

wp:html /wp:html

କେବଳ ବିନା ଲକ୍ଷଣ ଥିବା ପଜିଟିଭ୍‌ ରୋଗୀ ପେଡ୍‌ ଆଇସୋଲେସନ୍‌ରେ ରହିପାରିବେ। ଆଇସୋଲେସନ୍‌ ଗାଇଡଲାଇନ୍‌ ଅନୁସାରେ ପରୀକ୍ଷା ପାଇଁ ନମୁନା ଦେବାଠାରୁ ସର୍ବନିମ୍ନ ୧୦ଦିନ ଏଠାରେ ରହିବାକୁ ହେବ। ବିଏମ୍‌ସି ପକ୍ଷରୁ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଦୁଇ ଜଣ ମେଡିକାଲ ଅଫିସରଙ୍କୁ ନିୟୋଜିତ କରାଯାଇଛି। ସେ ଆକ୍ରାନ୍ତଙ୍କ ଲକ୍ଷଣ ଦେଖିବା ପରେ ୧୦ରୁ ଅଧିକ ଦିନ ଆଇସୋଲେସନ୍‌ରେ ରହିବେ କି ନା, ସେ ନେଇ ପରାମର୍ଶ ଦେବେ। ମେଡିକାଲ ଅଫିସର ଆକ୍ରାନ୍ତଙ୍କ ସହ ଫୋନ୍‌ରେ ଯୋଗାଯୋଗ ରହିି ସ୍ୱାସ୍ଥ୍ୟବସ୍ଥା ବୁଝିବେ। କାହାର ସ୍ୱାସ୍ଥ୍ୟ ବିଗିଡିଲେ ସେଠାକୁ ଯାଇ ଯାଞ୍ଚ କରିବା ସହ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବେ ବୋଲି ବିଏମ୍‌ସି ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ।

୧୦ଦିନିଆ ବାଧ୍ୟତାମୂଳକ ଆଇସୋଲେସନ୍‌ ଅବଧି ପରେ ଆକ୍ରାନ୍ତଙ୍କୁ ପୁଣି ୭ ଦିନ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ହେବ। ଆକ୍ରାନ୍ତ ଚାହିଁଲେ ଏହି ଆଇସୋଲେସନ୍‌ ଅବଧି ସରିବା ପରେ ଏହି କ୍ୱାରେଣ୍ଟାଇନ୍‌ ଅବଧି ମଧ୍ୟ ସଂପୃକ୍ତ ହୋଟେଲରେ ରହିପାରିବେ । ପେଡ୍‌ ଆଇସୋଲେସନ୍‌ ସୁବିଧା ପାଇଁ ହୋଟେଲକୁ ନିର୍ଦ୍ଧାରିତ ଦିନିକିଆ ଦେୟର ୫୦ପ୍ରତିଶତ ଅଗ୍ରୀମ ଟଙ୍କା ଦେବାକୁ ଦେବ। ପେଡ୍‌ ଆଇସୋଲେସନ୍‌ରେ ରହୁଥିବା ଲୋକେ ସମସ୍ତ ଗାଇଡଲାଇନ୍‌ ଓ ପ୍ରୋଟୋକଲ୍‌କୁ ମାନିବେ। ବିଏମ୍‌ସି ବା ମେଡିକାଲ ଅଫିସରଙ୍କ ଅନୁମତି ବିନା ନିଜ ରୁମ୍‌ରୁ ବାହାରକୁ ବାହାରିବେନି। ନିଜ ସ୍ୱାସ୍ଥ୍ୟର ଯାଞ୍ଚ ନିଜେ କରିବା ପାଇଁ ତାଙ୍କୁ ଥର୍ମୋମିଟର ଓ ଅକ୍ସିମିଟର ଦିଆଯିବ। ସ୍ୱାସ୍ଥ୍ୟ ଖରାପ ଲାଗିଲେ ତୁରନ୍ତ ହୋଟେଲର ଫ୍ରଣ୍ଟ ଡେସ୍କ ବା ସଂପୃକ୍ତ ମେଡିକାଲ ଅଫିସରଙ୍କୁ ଜଣାଇବାକୁ କୁହାଯାଇଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.