ଆଜି ପହିଲି ରଜ : ଉତ୍ସବମୁଖର ଗାଁଠୁ ସହର, ପିଠାପଣା, ନାଚ ଗୀତ ସାଙ୍ଗକୁ ଦୋଳି ଖେଳରେ ସମସ୍ତେ ମସଗୁଲ

Published By : Prameya-News7 Bureau | June 14, 2019 IST

ଭୁବନେଶ୍ବର ୧୪|୬: ଆଜି ପହିଲି ରଜ । ଓଡ଼ିଆଙ୍କ ଗଣପର୍ବ । ଖୁସି ମନେଇବାରେ ଆଉ ସଜେଇ ହେବାର ପର୍ବ । ପୁର ପଲ୍ଲୀଠୁ ସହର- ସବୁଠି ଚାଲିଛି ରଜ ମଉଜ । ଘରେ ଘରେ ପିଠା ଆଉ ମିଠାର ମହକ । ନୂଆ ପୋଷାକ ସହ ହାତରେ ମେହେନ୍ଦି, ପାଦରେ ଅଳତା ଲଗାଇ ଦୋଳିର ମଜା ନେଉଛନ୍ତି କୁଆଁରୀ ଝିଅ ଆଉ ବୋହୁ । ଖିଲିପାନ ଖାଇ ଦୋଳିରେ ଝୁଲି ଗାଉଛନ୍ତି ରଜ ଗୀତ ।

{"id":122758}

ମୌସୁମୀ ଆସିନି । ହେଲେ କେଉଁଠି ଝିପିଝିପି ତ ଆଉ କେଉଁଠି ଅସରାଏ ବର୍ଷା ଭିଜାଇଛି ମାଟି । ଯେମିତି ପହିଲି ରଜକୁ ସ୍ବାଗତ କରିଛି ବର୍ଷା । ଏହାରି ଭିତରେ ସଜେଇ ହୋଇଉଠିଛି ପୁରପଲ୍ଲୀ । ହାତରେ ମେହେନ୍ଦି, ପାଦରେ ଅଳତା ସାଙ୍ଗକୁ ନୂଆ ପୋଷାକରେ ସଜେଇ ହୋଇ କୁଆଁରୀଠୁ ମହିଳା, ସମସ୍ତେ ମାତିଯାଇଛନ୍ତି ଦୋଳି ଖେଳରେ । ରଜଗୀତର ତାଳେତାଳେ ଚାଲିଛି ମଉଜ ମସ୍ତି । ରଜପାନର ମଜା, ଏପଟେ ଘରେ ଘରେ ପିଠା ମିଠାର ଆସର । ଗାଁ ଠୁ ସହର ସବୁଠି ରଜ ମଉଜ ।

{"id":122754}

ଧରିତ୍ରୀ ଏବେ ରଜସ୍ବଳା । ସେଥିପାଇଁ ରଜ ତିନିଧରି ମାଟି ଖୋଳା ଆଉ ଚାଷ କରିବା ଉପରେ ରହିଛି ବାରଣ । ଏଥିପାଇଁ ଚାଷ କାମ ବନ୍ଦ ଥିବାବେଳେ ମହିଳାମାନେ ମଧ୍ୟ କଟାବଟା କରନ୍ତି ନାହିଁ । ପହିଲି ରଜ, ରଜସଙ୍କ୍ରାନ୍ତି, ଶେଷ ରଜ- ତିନିଦିନ ଧରି ପିଲାଠୁ ବୟସ୍କ କାମଧନ୍ଦା ବନ୍ଦ କରି ସମସ୍ତେ ମାତିଯାଇଥାନ୍ତି ମଉଜରେ । ଖାସ୍ ସେଥିପାଇଁ ତ, ବର୍ଷ ବର୍ଷ ଧରି ରହି ଆସିଥିବା ଏଇ ପରମ୍ପରାକୁ ବରଷକ ଥରେ ପାଳିବାକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରି ରହିଥାନ୍ତି ।

{"id":122756}

କୃଷିଭିତ୍ତିକ ପର୍ବ ରଜ। ତିନିଦିନ ଧରି ମଉଜରେ ସମସ୍ତେ ମଜ୍ଜୁଥିବାବେଳେ ଏବର୍ଷ ମଧ୍ୟ ଏଥିପାଇଁ  ସବୁଠି ହୋଇଛି ଭଳିକି ଭଳି ଆୟୋଜନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.