ପଦ୍ମଶ୍ରୀ ନେବାକୁ ମନା କଲେ ତବଲା ବାଦକ ଅନିନ୍ଦ୍ୟା ଚାଟାର୍ଜୀ, କହିଲେ- '୧୦ ବର୍ଷ ପୂର୍ବରୁ ଦେବାର ଥିଲା'

Published By : Prameya-News7 Bureau | January 28, 2022 IST

ନୂଆଦିଲ୍ଲୀ ୨୮/୦୧:  ବିଶିଷ୍ଟ ତବଲା ବାଦକ ପଣ୍ଡିତ ଅନିନ୍ଦ୍ୟା ଚାଟାର୍ଜୀ ପଦ୍ମଶ୍ରୀ ସମ୍ମାନ ନେବାକୁ ମନା କରିଦେଇଛନ୍ତି । ସେ ନିଜ କ୍ୟାରିଅରର ବର୍ତ୍ତମାନ ସ୍ଥିତିରେ ପଦ୍ମଶ୍ରୀ ସମ୍ମାନ ସ୍ୱୀକାର କରିବାକୁ ପ୍ରସ୍ତୁତ ନଥିବା କହିଛନ୍ତି । ସେ ବିନମ୍ରତାର ସହ ପଦ୍ମଶ୍ରୀ ସମ୍ମାନ ନେବାକୁ ମନା କରିଥିବା ପ୍ରକାଶ କରିଛନ୍ତି ।

ଅନିନ୍ଦ୍ୟା କହିଛନ୍ତି ଯେ, ସମସ୍ତଙ୍କୁ ଧନ୍ୟବାଦ । କିନ୍ତୁ ଏବେକାର ସମୟରେ ସେ ପଦ୍ମଶ୍ରୀ ନେବାକୁ ପ୍ରସ୍ତୁତ ନାହାଁନ୍ତି । କାରଣ ସେ ବହୁତ ଆଗକୁ ଆସିଯାଇଛନ୍ତି । ତାଙ୍କୁ ୨୦୦୨ରେ ସଙ୍ଗୀତ ନାଟକ ଆକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । ତେବେ ତାଙ୍କୁ ଯଦି ୧୦ ବର୍ଷ ପୂର୍ବରୁ ପଦ୍ମଶ୍ରୀ ଦିଆଯାଇଥାନ୍ତା ସେ ସ୍ୱୀକାର କରିଥାନ୍ତେ ବୋଲି ମଧ୍ୟ କହିଛନ୍ତି ।

ଅନିନ୍ଦ୍ୟା ପଶ୍ଚିମବଙ୍ଗର ସଙ୍ଗୀତ ଜଗତରେ ଏପରି ଦ୍ୱିତୀୟ ବ୍ୟକ୍ତି ଯିଏ କି ପଦ୍ମ ସମ୍ମାନ ନେବାକୁ ମନା କରିଦେଇଛନ୍ତି । ଏହାପୂର୍ବରୁ ଗାୟିକା ସନ୍ଧ୍ୟା ମୁଖାର୍ଜୀଙ୍କୁ ମଧ୍ୟ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । କିନ୍ତୁ ସେ ସମ୍ମାନ ନେବାକୁ ମନା କରିଥିଲେ । ତାଙ୍କ କହିବାନୁସାରେ, ପଦ୍ମଶ୍ରୀ କନିଷ୍ଠ କଳାକାରଙ୍କୁ ପ୍ରଦାନ କରାଯାଇଥାଏ ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଗଣତନ୍ତ୍ର ଦିବସର ପୂର୍ବ ଦିନ ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରିଥିଲେ । ଏଥର ପଦ୍ମ ବିଭୁଷଣ ପାଇଁ ୪ ଜଣଙ୍କ ନାଁ ଚୟନ କରାଯାଇଥିଲା । ସେହିପରି ୧୭ଜଣଙ୍କ ନାଁ ପଦ୍ମ ଭୁଷଣ ଓ ୧୦୭ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଚୟନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.