ପଦ୍ମପୁର ଏନଏସି ଲୋକେ ପିଉଛନ୍ତି ନର୍ଦ୍ଦମା ପାଣି: କିଣୁଛନ୍ତି ରୋଗ, ଅଥଚ ସବୁ ଜାଣି ନିଦାବିଷ୍ଣୁ ଜନ ସ୍ୱାସ୍ଥ୍ୟ ବିଭାଗ

Published By : Prameya-News7 Bureau | May 29, 2020 IST

ପଦ୍ମପୁର, ୨୯|୦୫:    ପଦ୍ମପୁର ଏନ.ଏ.ସି.ରେ ବସ ବାସ କରୁଥିବା ଜନ ସାଧାରଣଙ୍କ ବ୍ୟବହାର ନିମନ୍ତେ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ଯୋଗାଇ ଦିଆଯାଉଥିବା ପାଣି ପାଇପ ଅନେକ ବର୍ଷ ହେଲା ମରାମତି ହୋଇନାହିଁ । ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ତଥା କର୍ମଚାରୀମାନଙ୍କ କାର୍ଯ୍ୟ ଅବହେଳା ଯୋଗୁଁ ପଦ୍ମପୁର ଜନସାଧାରଣ ଆଜକୁ ପ୍ରାୟ ୪ରୁ ୫ ମାସ ହେବ ଦୁର୍ଗନ୍ଧଯୁକ୍ତ ନର୍ଦ୍ଦମା ପାଣି ମିଶ୍ରିତ ଜଳ ପାଉଛନ୍ତି । ଯାହା ପାନୀୟଯୋଗ୍ୟ ନୁହେଁ । ସେମାନେ ସପ୍ଲାଇ ପାଇପରେ ଆସୁଥିବା ପାଣି ବ୍ୟବହାର କରି ନପାରି ବହୁ ହଇରାଣ ହେଉଛନ୍ତି ।

ଗୋଟିଏ ଦିଗରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅନ୍ୟ କିଛି ଉପାୟ ନଥିବା ବେଳେ, ଅନ୍ୟ ଦିଗରେ ଏହି ପାଣି ବ୍ୟବହାର କଲେ ରୋଗାଗ୍ରସ୍ତ ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ପୂର୍ବରୁ ମଧ୍ୟ ଅନେକ ଥର ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରୁନାହିଁ। ପଦ୍ମପୁର ଜନସାଧାରଣଙ୍କ କୌଣସି କଥାର ମୂଲ୍ୟ ନଥିବା ସହ ଏହି ବିଷୟ ଉପରେ ଗୁରୁତ୍ୱ ଦେଉ ନାହାନ୍ତି ଅଧିକାରୀ । ଅନେକ ଥର ସୋସିଆଲ ମିଡ଼ିଆ ତଥା ଖବର କାଗଜରେ ଏ ବିଷୟରେ ଖବର ପ୍ରସାରିତ ହୋଇଥିଲେ ମଧ୍ୟ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଉ ନାହିଁ ।  ଅଧିକାରୀମାନେ ଯଦି ଏ ସମସ୍ତ ସମସ୍ୟାର ସମାଧାନ ଶୀଘ୍ର ନକରନ୍ତି ତେବେ ଭାବିଷ୍ୟତରେ କୌଣସି ଘଟଣା ଘଟିଲେ ଅଧିକାରୀମାନେ ଦାୟୀ ରହିବେ ବୋଲି ଜନସାଧାରଣ କହିଛନ୍ତି।

ଏଣୁ ଜନସାଧରଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ପଦ୍ମପୁର ଏନ.ଏ.ସି.ରେ ଥିବା ସମସ୍ତ ନାଳ ତଳେ ଯାଇଥିବା ସପ୍ଲାଇ ପାଇପ୍ ଗୁଡିକୁ ମରାମତି ସହ ଉଚିତ ବ୍ୟବସ୍ଥା କରାଯିବା ସହ କିପରି ସ୍ବଚ୍ଛ ପାଣି ଯୋଗାଣ ହୋଇପାରିବ ସେଥିପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଉପ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.