କିଡ୍‌ନୀ ସମସ୍ୟାରେ ଆକ୍ରାନ୍ତ ପଦ୍ମଶ୍ରୀ କମଳା ପୂଜାରୀ : ଚିକିତ୍ସା ଲାଗି କୋରାପୁଟ ସ୍ଥାନାନ୍ତରିତ

Published By : Prameya-News7 Bureau | June 10, 2020 IST

ଜୟପୁର, ୧୦।୬ : ପଦ୍ମଶ୍ରୀ କମଳା ପୂଜାରୀଙ୍କଠାରେ ଦେଖାଯାଇଛି କିଡ୍‌ନୀଜନିତ ସମସ୍ୟା । କିଡ୍‌ନୀ ପରୀକ୍ଷା ପରେ ଏହା ଜଣାପଡ଼ିଛି । ଏହି ଚିକିତ୍ସା ଲାଗି ନେଫ୍ରୋଲୋଜିଷ୍ଟଙ୍କ ପରାମର୍ଶ ଦରକାର । ତେଣୁ ତାଙ୍କର ଅଧିକ ଚିକିତ୍ସା ଲାଗି କୋରାପୁଟ ସହିଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଏବଂ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ହସ୍‌ପିଟାଲ ଅଧୀକ୍ଷକ ଡାକ୍ତର ରାମଚନ୍ଦ୍ର ମହାନ୍ତି ।

ଡାକ୍ତର ମହାନ୍ତି କହିଛନ୍ତି, କମଳାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ ଏହି ରିପୋର୍ଟ ଦେଇଛନ୍ତି । ତାଙ୍କର ରକ୍ତଚାପ, ଶରୀର ବଥା ଏବଂ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ନର୍ମାଲ ରହିଛି । କେବଳ ହାତ ପାଦ ଫୁଲିବାକୁ ଛାଡିଦେଲେ ଅନ୍ୟ ସମସ୍ୟା ନାହିଁ । ରକ୍ତ ପରୀକ୍ଷା ପରେ ଦେହରେ ହିମୋଗ୍ଲୋବିନ୍‌ ପରିମାଣ ୭.୨ ଥିଲା । ରକ୍ତ କମ୍‌ ଥିବା ଜଣାପଡ଼ିବା ପରେ ତାଙ୍କୁ ସେମାବାର ଅପରାହ୍ନରେ ୧ ୟୁନିଟ୍‌ ରକ୍ତ ଦିଆଯାଇଥିଲା । ପୁଣି ଥରେ ପରୀକ୍ଷା ପରେ ରକ୍ତରେ ହିମୋଗ୍ଲୋବିନ ପରିମାଣ ବଢ଼ିଥିଲା । ହାତ ଗୋଡ଼ ଫୁଲା କମିନଥିଲା । କାଳେ କିଡ୍‌ନୀଜନିତ ସମସ୍ୟା ଥିବା ବୋଲି ସନ୍ଦେହ କରିଥିଲେ ବିଶେଷଜ୍ଞମାନେ । ପୁଣି ଥରେ ରକ୍ତ ଏବଂ ପରିସ୍ରା ସଂଗ୍ରହ କରାଯାଇଥିଲା ।

ସେରମ୍‌, ୟୁରିଆ, କ୍ରିଏଟିନିନ୍‌ ପରୀକ୍ଷା ଲାଗି ପଠାଯାଇଥିଲା । ରିପୋର୍ଟ ଆସିବା ପରେ କମଳା କିଡ୍‌ନୀଜନିତ ସମସ୍ୟାରେ ପୀଡ଼ିତ ଥିବା ନିଶ୍ଚିତ ହୋଇଥିଲା । ଏଠାରେ ଭେଷଜ ବିଶେଷଜ୍ଞଙ୍କ ଚିକିତ୍ସା ଅପେକ୍ଷା ନେଫ୍ରୋଲୋଜିଷ୍ଟଙ୍କ ପରାମର୍ଶ ଅଧିକ ଆବଶ୍ୟକ ବୋଲି ଟିମ୍‌ ମତ ଦେଇଥିଲା । ଏ ସମ୍ପର୍କରେ ଜିଲ୍ଳାପାଳ ମଧୁସୂଦନ ମିଶ୍ର, ସିଡିଏମ୍‌ଓ ଡାକ୍ତର ମକରନ୍ଦ ବେଉରାଙ୍କୁ ଅବଗତ କରାଯାଇଥିଲା । କୋରାପୁଟ ପଠାଇବାର ବନ୍ଦୋବସ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅଧିକ ଚିକିତ୍ସା ଲାଗି କମଳାଙ୍କୁ କୋରାପୁଟ ଯିବା ସମ୍ପର୍କରେ କହିବାରେ ସେ ଯିବାକୁ ରାଜି ହେଉନଥିଲେ । ପରେ ରାଜି ହେବାରୁ ଆଜି ରାତିରେ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ଅଧିକ ଚିକିତ୍ସା ଲାଗି ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.