ରାଜ୍ୟର ପଦ୍ମଶ୍ରୀ ପୁରସ୍କାର ବିଜେତାଙ୍କୁ ମାସିକ ମିଳିବ ୧୦ ହଜାର ଟଙ୍କା, ସଂସ୍କୃତି ବିଭାଗର ପ୍ରସ୍ତାବରେ ବାଜିଲା ମୁଖ୍ୟମନ୍ତ୍ରୀଙ୍କ ମୋହର

Published By : Prameya-News7 Bureau | July 08, 2019 IST

ଭୁବନେଶ୍ବର ୮।୭:   ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଶୀର୍ଷ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ ରେ ସମ୍ବର୍ଦ୍ଧିତ ହୋଇଥିବା ବ୍ୟକ୍ତିତ୍ବଙ୍କୁ  ଏଣିକି ଆର୍ଥିକ ସହାୟତା ଯୋଗାଇଦେବେ ରାଜ୍ୟ ସରକାର । ଏ ସମ୍ପର୍କିତ ସଂସ୍କୃତି ବିଭାଗର ଏକ ପ୍ରସ୍ତାବକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପ୍ରସ୍ତାବ ଅନୁସାରେ ପଦ୍ମଶ୍ରୀରେ ସମ୍ମାନିତ ବ୍ୟକ୍ତିଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରାଯିବ।

{"id":131874}

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ରାଜ୍ୟର ପଦ୍ମଶ୍ରୀ ସମ୍ବର୍ଦ୍ଧିତ ୩୯ ଜଣ ଉପକୃତ ହେବେ। ଆର୍ଥିକ ଅନଗ୍ରସର ପ୍ରତିଭା ଏହା ଦ୍ବାରା ଲାଭବାନ ହେବେ ବୋଲି କୁହାଯାଇଛି।  ଓଡିଶାର ଏପର୍ଯ୍ୟନ୍ତ ମୋଟ ୮୪ ଜଣଙ୍କୁ ଭାରତ ସରକାର ପଦ୍ମଶ୍ରୀରେ ସମ୍ବର୍ଦ୍ଧିତ କରିଛନ୍ତି। ଏମାନଙ୍କ ମଧ୍ୟରୁ ୪୫ଜଣଙ୍କ ପରଲୋକ ହୋଇଥିବା ବେଳେ ବାକି ୩୯ ଜଣ ପଦ୍ମଶ୍ରୀଙ୍କୁ ଏହି ସହାୟତା ମିଳିବ। ଫଳରେ ପଦ୍ମଶ୍ରୀ ଦୈତାରୀ ନାୟକ ମଧ୍ୟ ଉପକୃତ ହେବେ ବୋଲି ଆଶା କରାଯାଉଛି।

{"id":131873}

ସୂଚନା ଯୋଗ୍ୟ ଯେ  କେଉଁଝର ଜିଲ୍ଲା ବାଂଶପାଳ ବ୍ଲକର  ପଦ୍ମଶ୍ରୀ ଦୈତାରୀ ନାୟକ ଆର୍ଥିକ ଦୁର୍ଦିନ ଦେଇ ଗତି କରୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏକଦା ଚାଷ ପାଇଁ ବୈତରଣୀ ନଦୀକୁ ଦୀର୍ଘ ୧ କିଲୋମିଟର ଖୋଳି ଆଣିଥିଲେ ଦୈତାରୀ। ତାଙ୍କ ଯୋଗୁ ସମ୍ପୂର୍ଣ୍ଣ ବାଂଶପାଳ ବ୍ଲକ ବୈତରଣୀ ନଦୀ ଦ୍ବାରା ଜଳସେଚନ ସୁବିଧା ପାଇଥିବା ବେଳେ ଅନେକ ଚାଷୀ ଉପକୃତ ହୋଇଥିଲେ। ବିହାରର ମାଉଣ୍ଟେନ ମ୍ୟାନ ଦଶରଥ ମାଞ୍ଜିଙ୍କ ଅନୁକରଣରେ ଦୈତାରୀ କରିଥିବା କାମ ଉଚ୍ଚ ପ୍ରଶଂସନୀୟ ହୋଇଥିଲା। ଏଥିପାଇଁ ତାଙ୍କୁ ଶିର୍ଷ ନାଗରିକ ସମ୍ମାନ ପଦ୍ମଶ୍ରୀରେ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ବୟଶ ବଢିବା ସହ ଦୈତାରୀ ଉପାର୍ଜନ ହରାଇ ଏବେ ଦୟନିୟ ଅବସ୍ଥାରେ କାଳାତିପାତ କରୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.