ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେଲେ ୩ ଓଡିଆ

Published By : Prameya-News7 Bureau | March 16, 2019 IST

ନୂଆଦିଲ୍ଲୀ ୧୬|୩ : ଆଜି ରାଷ୍ଟ୍ରପତି ଭାବନରେ ପଦ୍ମ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ଚଳିତ ବର୍ଷ ୯୪ଜଣଙ୍କୁ ପଦ୍ମଶ୍ରୀ ସହ ୧୧୨ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନୀତ କରାଯାଇଛି ।

ଓଡିଶାରୁ କମଳା ପୂଜାରୀ, ଦୈତାରୀ ନାୟକ ଓ ଡି.ପ୍ରକାଶ ରାଓଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଛି । ବିରଳ ଧାନ ସଂଗ୍ରହ କରିଥିବା କମଳା ପୂଜାରୀଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ । ଆଦିବାସୀ ଅଧ୍ୟୁଷିତ ଅଂଚଳରୁ ଆସିଥିଲେ ମଧ୍ୟ ତାଙ୍କ ବିରଳ କୃତିତ୍ବ ପାଇଁ କମଳା ଦିଲ୍ଲୀରେ ସମ୍ମାନୀତ ହୋଇଛନ୍ତି । ସେହିପରି ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୈତାରୀ ନାୟକ ଏବଂ ଡି.ପ୍ରକାଶ ରାଓ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ।

ଦୈତାରୀ ନାୟକ : 

{"id":94148}

କେନ୍ଦୁଝରରେ ବାଂପାପାଳ ବ୍ଲକ ଗୋନାସିକାର ବଣପାହାଡ ଘେରା ତଳବୈତରଣୀ ଗ୍ରାମ। ଏହି ଗଁ।ରେ ରହନ୍ତି ୧୦୦ରୁ ଉର୍ଦ୍ଧ ପରିବାର। ୨୦/୨୨ ବର୍ଷ ତଳେ ଏହି ଗ୍ରାମଟି ଏକ ଅପହଂଚ ଇଲାକା ଥଲା। ଗ୍ରାମରେ ପାଣିର ଘୋର ଅସୁବିଧା ଥିଲା। ଚାଷତ ଦୂରକଥା, ପିଇବା ପାଣି ମୁନ୍ଦେ ପାଇଁ ଲୋକଙ୍କୁ ୨କିଲୋମିଟର ପାହାଡ ଚଢିବାକୁ ପଡୁଥିଲା। ଝରଣାରୁ ଗାଁକୁ ପାଣି ଆଣି ଦେବାକୁ ପ୍ରଶାସନକୁ ବହୁବାର ଗୁହାରୀ କରିଥିଲେ ଗ୍ରାମବାସୀ। ହେଲେ କିଛି ସୁଫଳ ମିଳିପାରିନଥିଲା।ଫଳରେ ବର୍ଷ ତମାମ ଏଠାକାର ଲୋକେ ଜୀବନ ଜୀବିକା ପାଇଁ ସଂଘର୍ଷ କରିଥାନ୍ତି । ଏହି ଗାଁର ୭୫ ବର୍ଷ ବୟସ୍କ ଦୈତାରୀ ନାଏକଙ୍କ ଚାଷ ପ୍ରତି ଥିଲା ଅହେତୁକ ଆଗ୍ରହ। ଦିନେ ପାହାଡ ଉପରେ ଝରଣାକୁଳରେ ବସିଥିବାବେଳେ ସେ ଚିନ୍ତା କରିଥିଲେ କୌଣସିମତେ ଝରଣା ପାଣିକୁ ଯଦି ତଳକୁ ନିଆ ଯାଇପାରନ୍ତା ତାହେଲେ ଚାଷ ପାଇଁ ଆଉ କିଛି ଅସୁବିଧା ରହନ୍ତା ନାହିଁ । କିନ୍ତୁ ଅବାସ୍ତବ ଲାଗୁଥିବା ଏହି କାମକୁ ବାସ୍ତବରେ ପରିଣତ କରିବାର ନିଷ୍ପତ୍ତି ନେଇଥିଲେ ଦୈତାରୀ ।  ବାସ ତାପରେ ଅଂଟା ଭିଡିଥିଲେ  ପାହାଡକୁ କାଟି ପାଣି ପାହାଡ ତଳକୁ ନେବାକୁ । ୧୯୯୬ ମସିହାରେ ସେ ଆରମ୍ଭ କରିଥିଲେ ଏହି କାର୍ଯ୍ୟ। ୨୦୦୦ ମସିହା ଶେଷ ଆଡକୁ ଦିର୍ଘ ୨କି.ମି. ପାହାଡ କାଟି ସେ ପାଣିକୁ ତଳକୁ ଆଣିବାକୁ ସଫଳ ହୋଇଥିଲେ।

କମଳା ପୂଜାରୀ : 

{"id":94149}

କୋରାପୁଟର ଆଦିବାସୀ ମହିଳା କମଳା ପୂଜାରୀ। ଜଣେ ଆଦିବାସୀ ଅଶିକ୍ଷିତ ମହିଳା ହୋଇଥିଲେ ହେଁ, ଜୈବିକ ପ୍ରଣାଳୀରେ ଚାଷ କରିବା ସହ ୧୦୦ କିସମର ଧାନକୁ ଏଯାବତ୍ ସଂରକ୍ଷିତ ରଖିଛନ୍ତି। ରାସାୟନିକ ସାରରୁ ଦୂରେଇ ରହି ଜୈବିକ ସାର ବିନିଯୋଗ କରିବା ପାଇଁ ଗାଁର ଲୋକମାନଙ୍କୁ ମଧ୍ୟ ବୁଝାଇଛନ୍ତି କମଳା ପୂଜାରୀ । ଯେଉଁଥିପାଇଁ ଦକ୍ଷିଣ ଆଫ୍ରିକାର ‘ଇକ୍ବେଟିଭ୍ ଇନିସିଏଟିଭ୍ ସମ୍ମାନ’ ଅର୍ଜନ କରିଛନ୍ତି କମଳା ପୂଜାରୀ ।

ଡି.ପ୍ରକାଶ ରାଓ : 

{"id":94150}

କଟକ ବକ୍ସିବଜାର ପେନସନ ଲେନରେ ଡି.ପ୍ରକାଶ ରାଓଙ୍କ ଘର । ଦୀର୍ଘ ୫୪ ବର୍ଷ ତଳେ ବାପାଙ୍କ ଚା ଦୋକାନରୁ ଆରମ୍ଭ କରିଥିଲେ ବ୍ୟବସାୟ । ଦୋକାନରେ ଲୋକଙ୍କୁ ମିଠା କଥା କହି ମନ କିଣୁଥିବା ପ୍ରକାଶ ଦୋକାନ ବନ୍ଦ କରିବା ପରେ ସିଧା ଛୁଟି ଯାଆନ୍ତି କଟକ ବଡ ମେଡିକାଲକୁ । ସେଠାରେ ରୋଗୀ ଏବେ ସେମାନଙ୍କ ସମ୍ପର୍କୀୟଙ୍କୁ ଗରମ ପାଣି ଯୋଗାଇ ଦିଅନ୍ତି । ଯାହାର ରକ୍ତ ଆବଶ୍ୟକ ପଡେ ବିନା ଦ୍ବିଧାରେ ଦିଅନ୍ତି । ବର୍ତ୍ତମାନ ସୁଦ୍ଧା ସେ ୨୧୮ ଥର ରକ୍ତ ଦାନ କରିଥିବା ବେଳେ ୧୭ ଥର ପ୍ଲେଟଲେଟ ଦେଇ ସାରିଲେଣି । କେବଳ ଏତିକି ନୁହେଁ ବସ୍ତି ପିଲାଙ୍କ ପାଇଁ ଶିକ୍ଷାର ସୁଯୋଗ ସୃଷ୍ଟି କରିଛନ୍ତି ପ୍ରକାଶ । ନିଜ ଉଦ୍ୟମରେ ବସ୍ତି ପିଲାଙ୍କ ପାଇଁ ଗଢିଛନ୍ତି ଆଶା ଆଶ୍ବସନା ନାମକ ସ୍କୁଲ । ବର୍ତ୍ତମାନ ସେଠି ୮୦ରୁ ଅଧିକ ପିଲା ପାଠ ପଢୁଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.