କରୋନା ଯୋଗୁ ଅଟକିଲା ପଦ୍ମ ପୁରସ୍କାର, ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ
14/03/2020 at 6:13 PM

ନୂଆଦିଲ୍ଲୀ ୧୪।୩: ଦେଶର ଶୀର୍ଷ ନାଗରିକ ସମ୍ମାନ ଫଦ୍ମ ପୁରସ୍କାର ଲାଗି ସ୍ଥିରକୃତ ଦିନକୁ ବାତିଲ କରିଦିଆଯାଇଛି। ପୂର୍ବରୁ ଏପ୍ରିଲ ୩ ତାରିଖରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ମନୋନୀତ ବ୍ୟକ୍ତିତ୍ୱଙ୍କୁ ପତ୍ର ମାଧ୍ୟମରେ ସୂଚିତ କରାଯାଇଥିଲା। ତେବେ ଦେଶରେ କରୋନା ସଂକ୍ରମଣ ଯୋଗୁ ଏହି କାର୍ଯ୍ୟକ୍ରମକୁ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିବା ଗୃହବିଭାଗ ଉପସଚିବ ଦୀପକ କୁମାର ଶନିବାର ପତ୍ର ମାଧ୍ୟମରେ ସୂଚୀତ କରିଛନ୍ତି।

ଚଳିତବର୍ଷ ୧୪୧ଜଣଙ୍କୁ ପଦ୍ମ ସମ୍ମାନ ଲାଗି ମନୋନୀତ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୭ ଜଣଙ୍କୁ ପଦ୍ମବିଭୂଷଣ, ୧୬ ଜଣଙ୍କୁ ପଦ୍ମଭୂଷଣ ଓ ୧୧୮ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ଲାଗି ମନୋନୀତ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଲାଗି ରାଷ୍ଟ୍ରପତି ପଦ୍ମ ସମ୍ମାନରେ ସମ୍ମାନୀତ କରିବେ। ଏଥିଲାଗି ଏପ୍ରିଲ ୪ ତାରିଖଦିନ ରାଷ୍ଟ୍ରପତି ଭବନରେ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିବା ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ମାର୍ଚ୍ଚ ୬ ତାରିଖରେ ମନୋନୀତ ବ୍ୟକ୍ତିତ୍ୱଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଥିଲା।

ତେବେ ଶନିବାର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୫ରେ ପହଞ୍ଚିଥିବା ବେଳେ ଏପର୍ଯ୍ୟନ୍ତ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏଣୁ ସରକାର ସମସ୍ତ ସରକାରୀ ଉତ୍ସବ ବାତିଲ କରିଥିବାରୁ ଆଗାମୀ ପଦ୍ମପୁରସ୍କାର ମଧ୍ୟ ବାତିଲ ହୋଇଯାଇଛି। ଏଣୁ ଏହି ପୁରସ୍କାର ଲାଗି ପରେପୁଣି ଦିନ ଧାର୍ଯ୍ୟ ହେବ ବୋଲି ଉପସଚିବ ଦୀପକ କୁମାର ପତ୍ରମାଧ୍ୟମରେ ଜଣାଇଛନ୍ତି।