ଧାନ ବିକ୍ରି ନେଇ ଚାଷୀ ହନ୍ତସନ୍ତ-ବିଭିନ୍ନ ଜିଲ୍ଲାର ମଣ୍ଡିରେ ଖୋଲା ଆକାଶ ତଳେ ପଡିଛି ଶହ ଶହ ବସ୍ତା ଧାନ

Published By : Prameya-News7 Bureau | November 18, 2019 IST

ଭୁବନେଶ୍ୱର ୧୮।୧୧ - ଧାନ ବିକ୍ରି ନେଇ ଚାଷୀ ହନ୍ତସନ୍ତ । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ମଣ୍ଡିରେ ଶହ ଶହ ବସ୍ତା ଧାନ ଖୋଲା ଆକାଶ ତଳେ ପଡିଛି । ଧାନ ବିକ୍ରି ନେଇ ରାଜ୍ୟ ସରକାର ଆରମ୍ଭ କରିଥିବା ଟୋକନ୍ ବ୍ୟବସ୍ଥାକୁ ଚାଷୀ ବିରୋଧ କରୁଛନ୍ତି । ସମ୍ବଲପୁରରେ ଧାନ ଟ୍ରାକ୍ଟର ସହ ଜିଲ୍ଲାପାଳଙ୍କ ଅଫିସକୁ ପଶିବାକୁ ଉଦ୍ୟମ କରିଛନ୍ତି ଚାଷୀ । ଏହି ସମୟରେ ପୋଲିସ- ଚାଷୀ ଧସ୍ତାଧସ୍ତି ହୋଇଛନ୍ତି । ଅନ୍ୟପଟେ ଏହାର ତାତି ଆଜି ଦେଖିବାକୁ ମିଳିଛି ବିଧାନସଭାରେ ।

{"id":186310,"sizeSlug":"large"}


ତାତିଲେଣି ଚାଷୀ ।ମଣ୍ଡିରେ ଖୋଲା ଆକାଶ ତଳେ ପଡି ରହିଛି ଶହଶହ ବସ୍ତା ଧାନ । ଏ ହେଉଛି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଧାନ ବିକ୍ରି ହୋଇ ନପାରିବାରୁ ଚାଷୀ ଟ୍ରାକ୍ଟ୍ରରେ ଧାନ ଆଣି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛି । ଏପରିକି ଟ୍ରାକ୍ଟର ସହ ଜିଲ୍ଲାପାଳଙ୍କ ଅଫିସରେ ପଶିବାକୁ ଚାଷୀ ଉଦ୍ୟମ କରିବାରୁ ପୋଲିସ ସହ ହୋଇଛି ଧସ୍ତାଧସ୍ତି ।ପ୍ରଶ୍ନ ଉଠୁଛି କାହିଁକି ଚାଷୀ ଏପରି କରୁଛି ? ଧାନ ବିକ୍ରିରେ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରୁଥିବା ଚାଷୀମାନେ କହିଛନ୍ତି ।

{"id":186311,"sizeSlug":"large"}

ପୂର୍ବରୁ ଚାଷୀ ବିଭିନ୍ନ ସୋସାଇଟି, ଲ୍ୟାମ୍ପରେ ପ୍ରୋକ୍ୟୁରମେଣ୍ଟ ପାସ୍ ଜରିଆରେ ଧାନ ବିକ୍ରି କରୁଥିଲା । ଚାଷୀ କେତେ ଧାନ ବିକିବ ସେନେଇ କୌଣସି ନିର୍ଦ୍ଧିଷ୍ଟ ସୀମା ନଥିଲା । ଏବେ କିନ୍ତୁ ଚାଷୀ ଅନ୍ଲାଇନ୍ରେ ରେଜିଷ୍ଟ୍ରେସନ୍ କରିବା ପରେ ଯାଇ ଟୋକନ୍ ମିଳୁଛି ଏବଂ ଜଣେ ଚାଷୀ କେବଳ ୧୩ କ୍ବିଣ୍ଟାଲ୍ ଧାନ ବିକ୍ରି କରିବାର ବ୍ୟବସ୍ଥା ରହିଛି । ଯାହାକୁ ଚାଷୀ ବିରୋଧ କରୁଛନ୍ତି । ଏପରିକି ସମ୍ବଲପୁର ଜିଲ୍ଲାରେ ଏବେ ସୁଦ୍ଧା ପାଖାପାଖି ୪୮୦୦ ଚାଷୀ ରେଜେଷ୍ଟ୍ରି କରିଥିଲେ ବି ମାତ୍ର ୧୭ ଜଣଙ୍କୁ ଟୋକନ୍ ମିଳିଛି । ସାଂଘାତିକ କଥା ହେଉଛି ଯେଉଁମାନଙ୍କୁ ଟୋକନ ମିଳିଛି ସେମାନେ ଧାନ ଅମଳ କରିନଥିବା ଅଭିଯୋଗ ହୋଇଛି । ବ୍ୟବସ୍ଥାକୁ ସଂପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଦର୍ଶାଇଛି ଚାଷୀ ।


କେବଳ ସମ୍ବଲପୁର ନୁହେଁ ସୋନପୁର, ବରଗଡ ବଲାଙ୍ଗିର ଧାନ ଚାଷୀଙ୍କୁ ବ୍ୟତିବ୍ୟସ୍ତ କରିଛି । ବଲାଙ୍ଗିରରେ ତ ପ୍ରଶାସନ ବେଆଇନ୍ ଭାବେ ଚାଷୀଙ୍କ ଠାରୁ ଧାନ କିଣୁଥିବା ଅଭିଯୋଗ ଆସିଛି । ଡିଏଲପିସି ମିଟିଙ୍ଗରେ ୧୫ ତାରିଖରୁ ଜିଲ୍ଲାର ବିଭିନ୍ନ ପେକ୍ସ ଓ ମଣ୍ଡିରେ ଖରିଫ ଧାନ କିଣାବିକାକୁ ନେଇ ଜିଲ୍ଲା ପ୍ରସାଶନ ଘୋଷଣା କରିଥିଲା । ହେଲେ ଆଜିଯାଏଁ କେବଳ ଗୋଟିଏ ମଣ୍ଡି ଖୋଲିଛି । ଫଳରେ ବିନା ଟୋକନରେ ଧାନ ବିକୁଛି ଚାଷୀ । ଏପରିକି ମିଲରକୁ ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ଟାର୍ଗେଟ ଦେଇନାହିଁ । ଖୁଲମଖୁଲା ଶାଗ ମାଛ ଦରରେ ଚାଷୀଙ୍କ ଠାରୁ ଧାନ କିଣୁଛନ୍ତି ମିଲର । ବିନା ଟାର୍ଗେଟ୍ ଓ ଟୋକନରେ କିଭଳି ଭାବରେ ଧାନ କିଣା ବିକା ଚାଲିଛି ଏହି କଳା କାରବାର ନ୍ୟୁଜ୍ ସେଭେନ୍ କ୍ୟାମେରା ଲେନ୍ସରେ ଧରା ପଡିଛି । ଏସବୁ କାରବାରର ଖବର ଜିଲ୍ଲା ପ୍ରଶାସନ ପାଖରେ ଥିଲେ ବି କାହିଁକି ଆଖି ବୁଜି ଦେଇଛି ଯୋଗାଣ ବିଭାଗ ଓ ପ୍ରଶାସନ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ କୌଣସି ମିଲର କି ପ୍ରଶାସନିକ ଅଧିକାରୀ ମୁହଁ ଖୋଲି ନାହାନ୍ତି ।

{"id":186313,"sizeSlug":"large"}


ଏପଟେ ମଣ୍ଡିରେ ଧାନ ବିକ୍ରିରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ନେଇ ହୁଲୁସ୍ତୁଲ ହୋଇଛି ବିଧାନସଭା । କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛି । ମଣ୍ଡିରେ ଧାନ ବସ୍ତା ପଡି ରହିଛି, ଧାନ ରଖିବାକୁ ମଣ୍ଡିରେ ଜାଗା ନାହିଁ, ଯେଉଁଥିପାଇଁ ଚାଷୀ ବାଧ୍ୟ ହୋଇ କମ ଦରରେ ବିକ୍ରି କରୁଥିବା ନରସିଂହ ଅଭିଯୋଗ କରିଛନ୍ତି । ଧାନ କିଣାରେ ଟୋକନ ବ୍ୟବସ୍ଥା ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ଏହା ସ୍ବଚ୍ଛ ଓ ନିର୍ମଳ ବ୍ୟବସ୍ଥା। ଟୋକନ ପାଇଥିବା ଚାଷୀଙ୍କର ଆଧାର ଲିଙ୍କ ହୋଇଛି। ୧୨ଲକ୍ଷ ଚାଷୀଙ୍କ ପଞ୍ଜିକରଣ ହୋଇଛି, କାହାକୁ ବାଛବିଚାର ହେବନି । ପ୍ରସଙ୍ଗର ଗୁରୁତ୍ବକୁ ଦେଖି ଯୋଗାଣ ମନ୍ତ୍ରୀ ବୈଠକ ଡାକିଥିଲେ । ଚାଷୀଙ୍କ ସ୍ବାର୍ଥକୁ ଦେଖି ପଦକ୍ଷେପ ନିଆଯିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।
ମୁଣ୍ଡଝାଳ ତୁଣ୍ଡରେ ମାରି ଚାଷୀ ଅମଳ କରୁଥିବା ଧାନ ଯଦି ବିକ୍ରି ନ କରିପାରିବ ତେବେ ସରକାରଙ୍କ ସବୁ ବ୍ୟବସ୍ଥା ତା ପାଇଁ ଅବ୍ୟବସ୍ଥା ପାଲଟିଯିବ। ତେଣୁ ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.