ଜିଲ୍ଲାର ହକ୍‌ ପାଇଁ ଅଣ୍ଟା ଭିଡିଲେ ସଂଗଠନ, କେନ୍ଦୁଝରରୁ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରା

Published By : Prameya-News7 Bureau | October 02, 2021 IST

ଆନନ୍ଦପୁର ୦୨।୧୦: ଖଣିଜ ସମ୍ପଦରେ ଭରପୁର କେନ୍ଦୁଝର ଜିଲ୍ଲା । ଜିଲ୍ଲାରୁ ଉଭୟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ରାଜକୋଷକୁ ପ୍ରଚୁର ଅର୍ଥ ଯାଇଥାଏ । ହେଲେ ଦୀପ ତଳ ଅନ୍ଧାର ଭଳି ଅବହେଳିତ ହୋଇପଡିରହିଛି ଏହି ଜିଲ୍ଲା । ନା ଏଠି ଅଛି ଯୁବକଙ୍କ ପାଇଁ ରୋଜଗାରର ପନ୍ଥା ନା ଜିଲ୍ଲାବାସୀ ପାଉଛନ୍ତି ମୌଳିକ ସୁବିଧା । ଏଠାକାର ଜନ ପ୍ରତିନିଧି ମଧ୍ୟ ଜିଲ୍ଲା ବିକାଶ ଦିଗରେ ନିରବତା ଅବଲମ୍ବନ କରୁଥିବା ଦେଖିବାକୁ ମିଳିଛି ।

ଅବହେଳିତ ଅବସ୍ଥାରେ ପଡିରହିଥିବା ଜିଲ୍ଲାବାସୀଙ୍କ ହକ୍ ପାଇଁ ଏବେ ଅଣ୍ଟା ଭିଡିଛନ୍ତି କିଛି ସାମାଜିକ ସଙ୍ଗଠନ । ଶନିବାର ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆନନ୍ଦପୁରର ସ୍ବେଚ୍ଛାସେବୀମାନେ କେନ୍ଦୁଝର ଜିଲ୍ଲାବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ ଆରମ୍ଭ କରିଛନ୍ତି ପଦଯାତ୍ରା । ୪ଦଫା ଦାବି ନେଇ ସେମାନେ ନବୀନ ନିବାସ ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି ।

କେନ୍ଦୁଝର ଜିଲ୍ଲାରେ ବୃହତ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା, ଆନନ୍ଦପୁର ଉପଖଣ୍ଡ ଓ ଚମ୍ପୁଆକୁ ରେଳ ସଂଯୋଗ, ୨୦ ନମ୍ବର ଜାତୀୟ ରାଜପଥ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ଭଳି ସେମାନେ ଦାବି କରିଛନ୍ତି । ପ୍ରଥମେ ମା' ଧନେଇ ସେବାସଂଘ ଡାକରାରେ ପଦଯାତ୍ରା ଆରମ୍ଭ ହୋଇଥିଲା । ବାରିଗାଁ ମା' ଧନେଇ ପୀଠରୁ ବାହାରି ପଦଯାତ୍ରୀ ମାନେ ଆଗାମୀ ୮ତାରିଖରେ ନବୀନ ନିବାସରେ ପହଁଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି । ଏହି ପଦଯାତ୍ରାରେ ମା' ଧନେଇ ସେବାସଂଘ ସମେତ, ଐଶ୍ୱର୍ଯ୍ୟ ଫାଉଣ୍ଡେସନ , ମା' ମଙ୍ଗଳା ସେବା ସଂଘ, ୟୁଥ କ୍ଲବ ସଦସ୍ୟଙ୍କ ସମେତ ଅନେକ ସାଧାରଣ ଲୋକ ଯୋଗ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.