Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟି-୨୦ ବିଶ୍ଵ କପ୍‌ ପାଇଁ ଶ୍ରୀଲଙ୍କା ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିବେ ୟର୍କର ସ୍ପେଶାଲିଷ୍ଟ ! ଦ୍ରୁତ ବୋଲରଙ୍କ ସହ ଶୀଘ୍ର ଆଲୋଚନା କରିବେ ଚୟନ କମିଟି

10/05/2021 at 10:51 PM

ନୂଆଦିଲ୍ଲୀ ୧୦।୦୫: ଟି-୨୦ ବିଶେଷଜ୍ଞ ବୋଲର ଭାବେ ଖ୍ୟାତି ଅର୍ଜନ କରିଥିବା ଲସିଥ ମାଲିଙ୍ଗା ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ଵ କପ୍‌ ପାଇଁ ଶ୍ରୀଲଙ୍କା ଦଳରେ ପ୍ରତ୍ୟାବର୍ତ୍ତନ କରି ପାରନ୍ତି। ଶ୍ରୀଲଙ୍କାର ଚୟନକର୍ତ୍ତା କହିଛନ୍ତି, ବିଶ୍ଵ କପ୍‌କୁ ନେଇ ପ୍ରସ୍ତୁତ ଯୋଜନାରେ ମାଲିଙ୍ଗା ରହିଛନ୍ତି। ଏ ନେଇ ବୋର୍ଡ ତାଙ୍କ ସହ ଶୀଘ୍ର ଆଲୋଚନା କରିବେ। ମାଲିଙ୍ଗା ଦୀର୍ଘ ସମୟ ଧରି ଦଳରୁ ବାହାରେ ଅଛନ୍ତି। ସେ ଦିନିକିଆ ଓ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇ ସାରିଛନ୍ତି। ଉଲ୍ଲେଖନୀୟ ୨୦୧୪ ଫାଇନାଲ୍‌ରେ ଭାରତକୁ ହରାଇ ଶ୍ରୀଲଙ୍କା ଟି-୨୦ ବିଶ୍ଵ କପ୍ ବିଜୟୀ ହୋଇଥିଲା।

ଶ୍ରୀଲଙ୍କାର ଜାତୀୟ ଚୟନ କମିଟିର ଅଧ୍ୟକ୍ଷ ପ୍ରମୋଦ ବିକ୍ରମାସିଙ୍ଘେ କହିଛନ୍ତି, ମାଲିଙ୍ଗା ଟି-୨୦ ବିଶ୍ଵ କପ୍‌ ପାଇଁ ଦଳ ଯୋଜନାର ଏକ ଅଂଶ। ଏହାକୁ ନେଇ ଆଗାମୀ କିଛି ଦିନରେ ତାଙ୍କ ସହ ଆଲୋଚନା କରାଯିବ। ବିକ୍ରମାସିଙ୍ଘେ ମନେ ପକାଇ ଦେଇଛନ୍ତି ଯେ, ମାଲିଙ୍ଗା ଶ୍ରୀଲଙ୍କାର ମହାନତମ ଖେଳାଳିଙ୍କ ମଧ୍ୟରୁ ଜଣେ। ବର୍ତ୍ତମାନ ଦଳରେ ଥିବା ଦ୍ରୁତ  ବୋଲରଙ୍କ ବିକଳ୍ପ ମଧ୍ୟରୁ ସେ ସର୍ବୋତ୍ତମ  ବୋଲି ବିକ୍ରମାସିଙ୍ଘେ କହିଛନ୍ତି।

ସେ ମାଲିଙ୍ଗାଙ୍କ ପ୍ରଶଂସା କରି କହିଛନ୍ତି, ଆମକୁ କେବେ ବି ଭୁଲିବା ଉଚିତ୍ ନୁହେଁ ଯେ, ମାଲିଙ୍ଗା ବର୍ତ୍ତମାନ ଫର୍ମ ଆଧାରରେ ମଧ୍ୟ ଦେଶର ମହାନତମ ବୋଲରଙ୍କ ମଧ୍ୟରେ ସାମିଲ୍। ତାଙ୍କର ଏହି ରେକର୍ଡ ଏହାକୁ ମଧ୍ୟ ସାବ୍ୟସ୍ତ କରୁଛି। ଏବେ ଗୋଟିଏ ପରେ ଗୋଟିଏ ଦୁଇଟି ଟି-୨୦ ବିଶ୍ଵକପ୍ ଦୁଇ ବର୍ଷରେ ଖେଳାଯିବାର ଅଛି। ତେଣୁ ଆମକୁ ସେହି ଅନୁସାରେ ଯୋଜନା ପ୍ରସ୍ତୁତ କରିବାକୁ ପଡିବ ବୋଲି ଚୟନ କମିଟିର ଅଧ୍ୟକ୍ଷ କହିଛନ୍ତି।

ଲସିଥ ମାଲିଙ୍ଗା ମଧ୍ୟ କହିଛନ୍ତି, ସେ ଟି-୨୦ କ୍ରିକେଟ୍‌ରେ ଦେଶର ପ୍ରତିନିଧିତ୍ଵ କରିବା ପାଇଁ ଚାହିଁ ରହିଛନ୍ତି। ସେ ଶ୍ରୀଲଙ୍କା ଜର୍ସି ପିନ୍ଧିବା ପରେ ଦମଦାର ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି। ମୁଁ ଦିନିକିଆ ଓ ଟେଷ୍ଟରୁ ଅବସର ନେଇ ସାରିଛି ମାତ୍ର ଟି-୨୦ରୁ ନୁହେଁ ବୋଲି ମାଲିଙ୍ଗା କହିଛନ୍ତି। ମୁଁ ଜାଣିବାକୁ ଚାହୁଁଛି ଯେ, ଚୟନ କମିଟି କେମିତି ମୋ ପରି ବରିଷ୍ଠ ଖେଳାଳିଙ୍କ ସେବା ନେବାକୁ ଚାହୁଁଛି।

   Related Posts