ସିବିଆଇ ମୁଖ୍ୟାଳୟରେ ରାତି କାଟିଲେ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍, ଆଜି କୋର୍ଟରେ ହାଜର କରିବ ସିବିଆଇ

Published By : Prameya-News7 Bureau | August 22, 2019 IST

ନୂଆଦିଲ୍ଲୀ ୨୨|୮: ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହେବାରୁ ବଞ୍ଚିବା ଲାଗି ଚିଦାମ୍ବରମ୍‌ଙ୍କ ସବୁ ଚେଷ୍ଟା ବିଫଳ ହୋଇଛି । ରାତିସାରା ମାରାଥନ୍ ଜେରା ପରେ ଆଜି ଗିରଫ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ଙ୍କୁ କୋର୍ଟରେ ହାଜର କରିବ ସିବିଆଇ ।

ହାଇଭୋଲଟେଜ୍ ଡ୍ରାମା ପରେ ତାଙ୍କୁ ଦିଲ୍ଲୀ ଜେରବାଗ୍ ବାସଭବନରୁ ଗିରଫ କରିଛି ସିବିଆଇ । ୭୩ବର୍ଷୀୟ ଚିଦାମ୍ବରମ୍ ରାତି କାଟିଛନ୍ତି ସିବିଆଇ ମୁଖ୍ୟାଳୟରେ । ତାଙ୍କୁ ରାତିସାରା ସିବିଆଇ ଅଧିକାରୀ ମାରାଥନ ଜେରା କରିଛନ୍ତି । ଆଜି ତାଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରାଯିବ । ସିବିଆଇ ଚିଦାମ୍ବରମଙ୍କୁ ୧୪ଦିନିଆ ରିମାଣ୍ଡରେ ନେବା ଲାଗି ଆବେଦନ କରିପାରେ ।

ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଚିଦାମ୍ବରମଙ୍କୁ ରିମାଣ୍ଡ ନେବାଲାଗି ଆବେଦନ କରିପାରେ । ସେପଟେ ଚିଦାମ୍ବରଙ୍କ ଆଗୁଆ ଜାମିନ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ  ଶୁଣାଣି କରିବାର ଥିଲା । ତେବେ ଗିରଫ ହେବା ପରେ ଆଗୁଆ ଜାମିନ ଆବେଦନର ଆଉ କୌଣସି ମୂଲ୍ୟ ନାହିଁ ।

ଏବେ ସେ ନିୟମିତ ଜାମିନ ଆବେଦନ କରିପାରିବେ । ଚିଦାମ୍ବରମଙ୍କୁ ପ୍ରଥମେ ସେହି କୋର୍ଟରେ ଜାମିନ୍ ଆବେଦନ କରିବାକୁ ପଡିବ ଯେଉଁ କୋର୍ଟରେ ତାଙ୍କୁ ହାଜର କରାଯିବ । ସେଠାରେ ଜାମିନ ଆବେଦନ ଖାରଜ ହେଲେ ସେ ଉଚ୍ଚ ଅଦାଲତରେ ଜାମିନ ଆବେଦନ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.