ଆଇଏନଏକ୍ସ ମିଡିଆ ମାମଲା : ପି. ଚିଦାମ୍ବରମଙ୍କୁ ବଡ ଆଶ୍ୱସ୍ତି, ସିବିଆଇର ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ

Published By : Prameya-News7 Bureau | November 11, 2021 IST

ନୂଆଦିଲ୍ଲୀ,୧୧/୧୧:  ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ଦିଲ୍ଲୀ ହାଇକୋର୍ଟ ସିବିଆଇର ଏକ ଆବେଦନକୁ ଖାରଜ କରିଦେଇଛନ୍ତି । ଯେଉଁଥିରେ ତଳକୋର୍ଟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ ଦିଆଯାଇଥିଲା । ତଳକୋର୍ଟରେ ଅଭିଯୁକ୍ତ ଦ୍ୱାରା ଦାଖଲ ଦସ୍ତାବିଜର ନୀରିକ୍ଷଣ ପାଇଁ ଆଦେଶ ଦିଆଯାଇଥିଲା । ଯାହାକୁ ଚ୍ୟାଲେଞ୍ଜ୍ ଦେଇ ସିବିଆଇ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାଖଲ କରିଥିଲା  ।

ସୂଚନାନୁସାରେ, ତଳକୋର୍ଟ  ଆଇଏନଏକ୍ସ ମିଡିଆ ମାମଲାରେ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଓ ପୁଅ କାର୍ତ୍ତି ଚିଦାମ୍ବରମ ଏବଂ ଅନ୍ୟ ଅଭିଯୁକ୍ତଙ୍କ ସମ୍ଭନ୍ଧୀୟ କିଛି ଦସ୍ତାବିଜର ନୀରିକ୍ଷଣ ପାଇଁ ଅନୁମତି ଦେଇଥିଲେ । ଏହି ନିଷ୍ପତ୍ତିକୁ ଚ୍ୟାଲେଣ୍ଡ ଦେଇ ସିବିଆଇ ହାଇକୋର୍ଟରେ ଆବେଦନ କରିଥିଲା । ତଦନ୍ତ ଚାଲିଛି, ଦସ୍ତାବିଜର ନୀରିକ୍ଷଣ ହେଲେ ପ୍ରମାଣ ନଷ୍ଟ ହୋଇପାରେ ବୋଲି ସିବିଆଇ କହିଥିଲା । ତେଣୁ ତଳକୋର୍ଟଙ୍କ ରାୟକୁ ମାର୍ଚ୍ଚ ୫ ଯାଏଁ ରବ୍ଦ କରିବାକୁ ସିବିଆଇ ଅପିଲ କରିଥିଲା ।

ମାମଲାର ଶୁଣାଣି କରି ନ୍ୟାୟମୂର୍ତ୍ତି ମୁକ୍ତାଗୁପ୍ତା କହିଥିଲେ ଯେ, ଆବେଦନକୁ ଖାରଜ କରାଯାଇଛି । ଅଭିଯୁ୍କ୍ତଙ୍କ ନିରପେକ୍ଷ ଶୁଣାଣି ଅଧିକାର ହନନ ହୋଇନାହିଁ । କାରଣ ଅଭିଯୁକ୍ତମାନେ ସମସ୍ତ କାଗଜପତ୍ର ତଦନ୍ତକାରୀ ସଂସ୍ଥାକୁ ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ, ଏହି ମାମଲାରେ ସିବିଆଇ ୨୦୧୭, ମେ ୧୫ରେ ମାମଲା ରୁଜୁ କରିଥିଲା । ଅର୍ଥମନ୍ତ୍ରୀ ଥିବା ବେଳେ ସେ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା । ମାମଲାରେ ୨୦୧୯ ଅଗଷ୍ଟ ୨୧ ତାରିଖରେ ସିବିଆଇ ଚିଦାମ୍ବରମଙ୍କୁ ଗିରଫ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.