ଚିଦାମ୍ବରମଙ୍କ ଆରୋପ- ଏନଡିଏ ଅମଳରେ ୪ ଗୁଣ ବଢିଛି ଋଣ ବୋଝ ଭାର, ବିମୁଦ୍ରୀକରଣ ବିଗାଡିଲା ଦେଶର ଅର୍ଥ ବ୍ୟବସ୍ଥା
6/03/2020 at 3:07 PM

ନୂଆଦିଲ୍ଲୀ ୦୬।୦୩- ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମ ୟସ ବ୍ୟାଙ୍କ ସଙ୍କଟକୁ ନେଇ ମୋଦୀ ସରକାରକୁ ଘେରିବାକୁ ଉଦ୍ୟମ କରିଛନ୍ତି। ଚିଦାମ୍ବରମ ଆରୋପ ଲଗାଇଛନ୍ତି ଯେ, ଏନଡିଏ ଶାସନ ଅମଳରେ ବେଡ୍ ଲୋନରେ ଚାରି ଗୁଣ ଅଧିକ ବୃଦ୍ଧି ଘଟିଛି। ବିମୁଦ୍ରୀକରଣ ଦେଶର ଆର୍ଥିକ ବ୍ୟବସ୍ଥାକୁ ବିଗାଡି ଦେଇଛି। ସେ ପ୍ରଶ୍ନ କରିଛନ୍ତି ଯେ ଏହା ଠିକ୍ କି ଏସବିଆଇ ୟସ ବ୍ୟାଙ୍କରେ ନିବେଶ କରିବାର ସୁଯୋଗ ଖୋଜୁଛି ? ଏସବିଆଇକୁ ୟସ ବ୍ୟାଙ୍କରେ ନିବେଶ କଣ ପାଇଁ କରାଯିବ ?
ପି. ଚିଦାମ୍ବରମ କହିଛନ୍ତି ଦେଶ ସମ୍ମୁଖରେ ବାସ୍ତବିକ ତଥ୍ୟ ଉପଲବ୍ଧ ରହିଛି। ୨୦୧୪ ମାର୍ଚ୍ଚ ଶେଷ ଆଡକୁ ଋଣ ପରିମାଣ ୫୫,୬୩୩ କୋଟି ଟଙ୍କା ଥିଲା, ଯାହା ୨୦୧୯ ମାର୍ଚ୍ଚ ଶେଷ ଆଡକୁ ବୃଦ୍ଧି ଘଟି ୨,୪୧,୪୯୯ କୋଟି ଟଙ୍କାରେ ପହଞ୍ଚିଛି। ୨୦୧୭ ମାର୍ଚ୍ଚ ଶେଷରେ ଋଣ ପରିମାଣ ୧,୪୮,୬୭୫ କୋଟି ଥିଲା, ଯାହା ବଢି ୨୦୧୯ ମାର୍ଚ୍ଚ ଶେଷରେ ୨,୪୧,୪୯୯ କୋଟି ଟଙ୍କାରେ ପହଞ୍ଚିଛି। ବିମୁଦ୍ରୀକରଣ ପରେ ଦେଶର ଋଣ ପରିମାଣ ଚାରି ଗୁଣ ବୃଦ୍ଧି ଘଟିଛି।
ଟୁଇଟ୍ କରି ଚିଦାମ୍ବରମ ଲେଖିଛନ୍ତି ଯେ, ମୁଁ ବୁଝି ପାରୁଛି ଯେ ଅର୍ଥ ମନ୍ତ୍ରୀ ୟୁପିଏ ଉପରେ ଆରୋପ ଲଗାଇ ଏକ ବୟାନ ଦେଇଛନ୍ତି। ମାତ୍ର ଅଜ୍ଞାନତାରେ ବଞ୍ଚୁଥିବା ସରକାର ପାଇଁ ଏହା ଏକ ସାମାନ୍ୟ କଥା। କଣ ଅର୍ଥ ମନ୍ତ୍ରୀଙ୍କୁ ମୋ ଦ୍ଵାରା କରାଯାଇଥିବା ତଥ୍ୟର ସୂଚନା ରହିଛି ? କେନ୍ଦ୍ର ସରକାର କୁହନ୍ତୁ ଯେ, କେମିତି ଲୋନ୍ ବୁକ ପାଞ୍ଚ ବର୍ଷରେ ୫୫,୬୩୩ କୋଟି ଟଙ୍କାରୁ ବଢି ୨,୪୧,୪୯୯ କୋଟି ଟଙ୍କାରେ ପହଞ୍ଚିଛି।
କଣ ମାମଲା
ଦେଶର ଚତୁର୍ଥ ସବୁଠୁ ବଡ ଘରୋଇ ବ୍ୟାଙ୍କ ୟସ୍ ବ୍ୟାଙ୍କ ସଂପ୍ରତି ଗୁରୁତର ସଙ୍କଟ ଦେଇ ଗତି କରୁଛି। ସଙ୍କଟରୁ ବାହାର କରିବା ଲାଗି ଗତକାଲି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) କିଛି ପଦକ୍ଷେପ ନେବାକୁ ଘୋଷଣା କରିଛନ୍ତି। ଏଥିରେ ବ୍ୟାଙ୍କ ଖାତାଧାରକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏକ ମାସ ପାଇଁ ବ୍ୟାଙ୍କରୁ ୫୦ ହଜାର ଟଙ୍କାରୁ ଅଧିକ ଅର୍ଥ କଢା ଯାଇ ପାରିବ ନାହିଁ।