ଗଲୱାନ୍ ଘାଟିକୁ ନିଜର ଦାବି କରୁଛି ଚୀନ୍, ପ୍ରଧାନମନ୍ତ୍ରୀଙ୍କୁ ଜବାବ ମାଗିଲେ ଚିଦାମ୍ବରମ

Published By : Prameya-News7 Bureau | June 20, 2020 IST

ନୂଆଦିଲ୍ଲୀ ୨୦।୬:  ପୂର୍ବ ଲଦ୍ଦାଖର ପୁରା ଗଲୱାନ ଘାଟିକୁ ନିଜର ଦାବି କରୁଛି ଚୀନ୍‌।  ଏ ନେଇ ପ୍ରଧାନମନ୍ତ୍ରୀ ଶୁକ୍ରବାର ସମ୍ବୋଧିତ କରିଥିବା ବେଳେ ଚୀନ୍‌ର ଦାବିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ। ଗଲୱାନ ଘାଟିକୁ ଏପର୍ଯ୍ୟନ୍ତ ଆମେ ଭାରତର ଅଭିନ୍ନ ଅଂଶ ଭାବେ ଜାଣିଛୁ। ହେଲେ ପୁରା ଘାଟିକୁ ଚୀନ ଦାବି କରୁଥିବାରୁ ପ୍ରଧାନମନ୍ତ୍ରୀ ଆଜି ହିଁ ଏହାର ଜବାବ ରଖନ୍ତୁ ବୋଲି କହିଛନ୍ତି।

ଚିଦାମ୍ବରମ କହିଛନ୍ତି ଯେ ଶୁକ୍ରବାର ପ୍ରଧାନମନ୍ତ୍ରୀ ଯାହା କହିଥିଲେ ତାହା ଚିଫ୍ ଅଫ ଆର୍ମି ଷ୍ଟାଫ, କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ବୟାନଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଯଦି ଚୀନ୍‌ ସେନା ଭାରତର ଭୂମି ମାଡିବସି ନାହାନ୍ତି ତେବେ ଦେଶର ୨୦ ଜବାନ ଶହିଦ ହେଲେ କିପରି ବୋଲି ଚିଦାମ୍ବରମ ପଚାରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀଙ୍କ କଥାକୁ ଯଦି ଆମେ ସ୍ୱୀକାର କରୁ ତେବେ ମେ ୫ ତାରିଖରୁ ଜୁନ୍‌ ୬ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧ମାସ ହେଲା ଦୁଇ ଦେଶର କମାଣ୍ଡର କେଉଁ ବିଷୟରେ ସହମତି ଲାଗି ଉଦ୍ୟମକରୁଥିଲେ ବୋଲି ଚିଦାମ୍ବରମ ପ୍ରଧାନମନ୍ତ୍ରୀଙ୍କୁ  ପଚାରିଛନ୍ତି। 

ସେହିପରି ପ୍ରଧାନମନ୍ତ୍ରୀ ୨୦ ଜବାନଙ୍କ ଶହିଦ ହେବା ନେଇ ଯେଉଁ ବୟାନ ଦେଇଛନ୍ତି ‘ସେମାନେ  ମାରି ମାରି ମରିଛନ୍ତି ‘। ମୋଦିଙ୍କ ଏପରି କହିବାର ତାତ୍ପର୍ଯ୍ୟ କଣ ବୋଲି ଚିଦାମ୍ବରମ ପଚାରିଥିବା ବେଳେ ପୁରା ଗଲୱାନ ଘାଟି ଉପରେ ଚୀନ୍ କରୁଥିବା ଦାବି ଓ ପ୍ରଧାନମନ୍ତ୍ରୀ କାଲି ଯାହା କହିଲେ ତାହା ସମ୍ପୂର୍ଣ୍ଣ ଭିନ୍ନ। ଏଣୁ ଚୀନ୍‌ର ଦାବିକୁ ନେଇ ସରକାର କାଲି ପର୍ଯ୍ୟନ୍ତ ଅପେକ୍ଷା ନ କରି ଆଜି ହିଁ ଦେସବାସୀଙ୍କୁ ଘଟଣା ସ୍ପଷ୍ଟ କରିବା ଦରକାର ବୋଲି ଚିଦାମ୍ବରମ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.