ଅକ୍ସିଜେନ୍ ସଙ୍କଟ : ଯାଜପୁରରୁ ବିଶାଖାପାଟଣା ଓ ପୁଣେ ଗଲା ୨ଟି ଅକ୍ସିଜେନ୍ ଟ୍ୟାଙ୍କର

Published By : Prameya-News7 Bureau | April 23, 2021 IST

ଯାଜପୁର ୨୩।୪ : କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏବେ ଦେଶର ବିଭିନ୍ନ ସ୍ଥାନରେ ଅକ୍ସିଜେନ୍ ସଙ୍କଟ ଦେଖାଦେଇଛି । ଏଭଳି ପରିସ୍ଥିତିରେ ଅନ୍ୟ ରାଜ୍ୟକୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା । ଏଥିପାଇଁ ଶୁକ୍ରବାର ଯାଜପୁରରୁ ବିଶାଖାପାଟଣା ଓ ମହାରାଷ୍ଟ୍ରର ପୁଣେ ଅଭିମୁଖେ ୨ଟି ଅକ୍ସିଜେନ୍ ଟ୍ୟାଙ୍କର ବାହାରିଛି । ଯାଜପୁର କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ କାରଖାନାରୁ ୨ଟି ଅକ୍ସିଜେନ୍ ଭର୍ତ୍ତି ଟ୍ୟାଙ୍କରକୁ ପୋଲିସ ଏସ୍କର୍ଟରେ ପଠାଯାଉଛି । ଏନେଇ ଯାଜପୁର ଏସପି ରାହୁଲ ପି ଆର ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଏଭଳି ଅକ୍ସିଜେନ ସଙ୍କଟ ବେଳେ ଯେଉଁଭଳି ଅକ୍ସିଜେନ୍ ଅଭାବ ଦେଖାଦେଇଛି ତାର କିଛି ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରୁ ଅକ୍ସିଜେନ ଯୋଗାଇ ଦେବାକୁ ଘୋଷଣା କରିଥିଲେ । ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମିତଙ୍କ ପାଇଁ ମେଡିକାଲରେ ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି । ଗତ ଏକ ସପ୍ତାହ ମଧ୍ୟରେ  ହସ୍ପିଟାଲରେ ଅକ୍ସିଜେନ୍ ସିଲିଣ୍ଡରର ଅଭାବ ଦେଖାଦେଇଛି । ଦୈନିକ ଅକ୍ସିଜେନ୍ ଅଭାବରୁ କରୋନା ସଂକ୍ରମିତଙ୍କ ମୃତ୍ୟୁ ନେଇ ଖବର ଆସିବାରେ ଲାଗିଛି । ଏଭଳି ସ୍ଥିତିରେ ଓଡିଶା ସରକାର ସାରା ଦେଶକୁ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.