କରୋନା ଭ୍ୟାକସିନ ଉପରେ ଆଉ ଏକ ଗୁଡ୍ ନ୍ୟୁଜ୍, ଆଷ୍ଟ୍ରାଜେନେକା ୭୦ ପ୍ରତିଶତ ପ୍ରଭାବଶାଳୀ
23/11/2020 at 5:50 PM

ନୂଆଦିଲ୍ଲୀ ୨୩।୧୧: କରୋନା ଭାଇରସ୍ର ପ୍ରକୋପ ଏକ ବର୍ଷ ପୂରା ହେବା ପରେ ବିଭିନ୍ନ କମ୍ପାନୀର ଭ୍ୟାକସିନ ପରୀକ୍ଷଣର ଫଳାଫଳ ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମରେ ଅକ୍ସଫୋର୍ଡ ୟୁନିଭର୍ସିଟିର ଭ୍ୟାକସିନ ଆଷ୍ଟ୍ରାଜେନେକା, AZD1222 କରୋନା ବିରୋଧରେ ୭୦ ପ୍ରତିଶତ ପ୍ରଭାବଶାଳୀ ରହିଥିବା କୁହାଯାଇଛି। ୟୁକେ ଓ ବ୍ରାଜିଲରେ ପ୍ରକାଶିତ ଭ୍ୟାକସିନର ୨/୩ କ୍ଲିନିକଲ ଟ୍ରାଏଲର ତଥ୍ୟ ଆଧାରରେ ଏହି ସୂଚନା ଦିଆଯାଇଛି। କୁହାଯାଇଛି ଯେ, ଯେଉଁ ବ୍ୟକ୍ତି ଏହି ଭ୍ୟାକସିନ ନେବେ ସେ କରୋନା ରୋଗରୁ ୭୦ ପ୍ରତିଶତ ସୁରକ୍ଷିତ ରହିବେ।
ବିଶେଷଜ୍ଞ ପରୀକ୍ଷଣ ସମୟରେ ବ୍ୟକ୍ତିମାନଙ୍କୁ ଭ୍ୟାକସିନର ୨ ଡୋଜ୍ ଦେଇଥିଲେ। ସେଥିରୁ ଗୋଟିଏ ୯୦ ପ୍ରତିଶତ ସଫଳ ହୋଇଥିଲା। ଆଷ୍ଟ୍ରାଜେନେକା ନିଜର ବିବୃତ୍ତିରେ କହିଛି, ୟୁକେ ଓ ବ୍ରାଜିଲରେ AZD1222ର କ୍ଲିନିକଲ ଟ୍ରାଏଲର ଆଭନ୍ତରୀଣ ସମୀକ୍ଷାରୁ ଜଣା ପଡିଛି ଯେ, ଏହି ଭ୍ୟାକସିନ କୋଭିଡ୍-୧୯ର ମୁକାବିଲା କରିବାକୁ ସଫଳ। ଯେଉଁ ଲୋକଙ୍କଠାରେ ଟୀକା ଦିଆଯାଇଛି, ସେମାନଙ୍କଠାରେ କୌଣସି ପ୍ରକାରର ଗମ୍ଭୀର ସ୍ଵାସ୍ଥ୍ୟଗତ ସମସ୍ୟା ବା ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇ ନାହିଁ।
ଷ୍ଟେଟମେଣ୍ଟ ଅନୁଯାୟୀ, ଯେବେ AZD1222ର ଏକ ଡୋଜ୍ ରେଜିମିନ ଦିଆଗଲା ତେବେ ଏହା ୯୦ ପ୍ରତିଶତ ସଫଳ ରହିଥିଲା। ଏହାର ଗୋଟିଏ ମାସ ପରେ ଫୁଲ୍ ଡୋଜ୍ ଦିଆଗଲା ଏବଂ ଅନ୍ୟ ଡୋଜ୍ରେ ଭ୍ୟାକସିନର ପ୍ରଭାବ ୬୨ ପ୍ରତିଶତ ଦେଖିବାକୁ ମିଳିଥିଲା। ପୁଣି ଗୋଟିଏ ମାସ ପରେ ଏହାର ଦୁଇଟି ଫୁଲ୍ ଡୋଜ୍ ଦିଆଯାଇଥିଲା। ଦୁଇ ଡୋଜ୍ର ମିଶ୍ରିତ ପରିଣାମ ଆଧାରରେ ଭ୍ୟାକସିନ ୭୦ ପ୍ରତିଶତ ସଫଳ ହୋଇଥିବା କୁହଯାଇଛି।