ଦୁଇ ମାସ ଭିତରେ ଆସିଯିବ ଅକ୍ସଫୋର୍ଡର କୋଭିଡ-୧୯ ଟିକା ! ପରୀକ୍ଷଣରୁ ଜଣା ପଡିଲା ଏହା ନିରାପଦ ଏବଂ ନାହିଁ ପାର୍ଶ୍ଵ ପ୍ରତିକ୍ରିୟା

Published By : Prameya-News7 Bureau | July 20, 2020 IST

ନୂଆଦିଲ୍ଲୀ ୨୦।୦୭: କରୋନା ଭାଇରସ୍‌ ଚିକିତ୍ସା ପାଇଁ ଭାକସିନର ଆବିଷ୍କାର ନେଇ ପୂରା ଦୁନିଆ ଚାତକ ଭଳି ଚାହିଁ ରହିଛି। ଏହା ମଧ୍ୟରେ ଅକ୍ସଫୋର୍ଡ ବିଶ୍ଵ ବିଦ୍ୟାଳୟ ଦ୍ଵାରା ବିକଶିତ ଏକ କରୋନା ଭାକସିନକୁ ନେଇ ଭଲ ଖବର ସାମ୍ନାକୁ ଆସିଛି। ମେଡିକାଲ ଜର୍ଣ୍ଣାଲ ଦ ଲାସେଣ୍ଟ ଜର୍ଣ୍ଣାଲରେ ପ୍ରକାଶିତ ଖବର ଅନୁଯାୟୀ ଅକ୍ସଫୋର୍ଡ ଭାକସିନର ମାନବୀୟ ପରୀକ୍ଷଣ ସୁରକ୍ଷିତ ଏବଂ ପ୍ରତିରୋଧ କ୍ଷମତାକୁ ମଜବୁତ କରିବାରେ ସଫଳ ହୋଇଛି। ଏହାର ପରିଣାମ ବହୁତ ଉତ୍ସାହଜନକ ରହିଛି। ଏହା ନିରାପଦ ଏବଂ ପାର୍ଶ୍ଵ ପ୍ରତିକ୍ରିୟା ନାହିଁ।

ପରୀକ୍ଷଣରେ ପ୍ରାୟ ୧,୦୭୭  ଲୋକଙ୍କୁ ସାମିଲ କରାଯାଇଛି। ପରୀକ୍ଷଣରୁ ଜଣା ପଡିଛି ଯେଉଁମାନଙ୍କୁ ଭାକସିନ ଦିଆଯାଇଛି ସେମାନଙ୍କ ଆଣ୍ଟିବଡିରେ ନିର୍ମିତ ହ୍ଵାଇଟ୍ ବ୍ଲଡ ସେଲ୍ସ କରୋନା ଭାଇରସ୍‌ ସହ ଲଢିବାରେ ସକ୍ଷମ ଥିଲେ। ଏବେ ଏହାର ବଡ ପରିମାଣରେ ଟ୍ରାଏଲ ବାକି ରହିଛି।

{"id":303287,"width":582,"height":435,"sizeSlug":"large"}

ବ୍ରିଟେନ୍‌ ପ୍ରଥମରୁ ହିଁ ୧୦ କୋଟି ଡୋଜ୍ ସୁରକ୍ଷିତ କରି ନେଇଛି। ଦୁଇ ମାସ ଭିତରେ ଅକ୍ସଫୋର୍ଡ ୟୁନିଭର୍ସିଟିର ଏହି ଟିକା ରୋଗୀଙ୍କ ପାଇଁ ଉପଲବ୍ଧ ହୋଇଯିବ ବୋଲି ଆଶା ରହିଛି। ଭାରତରେ ମଧ୍ୟ ଏହି ଭାକସିନର ଉତ୍ପାଦନ ହେଉଛି। ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁୟଟ୍‌ ଅଫ ଇଣ୍ଡିଆକୁ ଅକ୍ସଫୋର୍ଡ ଭାକସିନର ଉତ୍ପାଦନ ଦାୟିତ୍ଵ ମିଳିଛି।

କରୋନା ଭାଇରସ୍‌ର  ଭାକସିନ ଦୌଡରେ ସଂପ୍ରତି ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଏଷ୍ଟ୍ରାଜେନେକାର ଭାକସିନ ସବୁଠୁ ଆଗରେ ରହିଛି। ଗୋଟିଏ ପଟେ ଅନେକ ଭାକସିନ ନିଜ ନିଜର ଅନ୍ତିମ ପର୍ଯ୍ୟାୟ କିମ୍ବା ପ୍ରାରମ୍ଭିକ ଅବସ୍ଥାରେ ପହଞ୍ଚିଥିବା ବେଳେ ଅକ୍ସଫୋର୍ଡର ଭାକସିନ ପୂର୍ବରୁ  ହିଁ ଏହି ପର୍ଯ୍ୟାୟରେ ରହିଛି। ଯଦି ସବୁ କିଛି ଠିକ୍ ରହେ ତେବେ ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଏଷ୍ଟ୍ରାଜେନେକା ଦ୍ଵାରା ପ୍ରସ୍ତୁତ ଏହି ଭାକସିନ ସେପ୍ଟେମ୍ବର ସୁଦ୍ଧା ଲୋକଙ୍କ ପାଖକୁ ଆସିଯିବ।

ଅକ୍ସଫୋର୍ଡର ପ୍ରଫେସର ସାରା ଗିଲବର୍ଟ କରୋନା ଭାଇରସ୍‌ ଭାକସିନ ତିଆରିରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ। ସାରା ଗିବଲର୍ଟ ଏହି ଭାକସିନର ତୃତୀୟ ଓ ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣର ନେତୃତ୍ଵ ନେଇଛନ୍ତି। ଗିଲବର୍ଟ ଦାବି କରିଛନ୍ତି ଅକ୍ସଫୋର୍ଡ ଭାକସିନ କରୋନା ଭାଇରସ୍‌ରୁ ଲୋକଙ୍କୁ ବଞ୍ଚାଇବାରେ ୮୦ ପ୍ରତିଶତ ପ୍ରଭାବଶାଳୀ ରହିଛି। ଗିଲବର୍ଟ କହିଛନ୍ତି ଲୋକଙ୍କୁ ଶୀତ ଋତୁ ପର୍ଯ୍ୟନ୍ତ ଭାଇରସ୍‌ର ପ୍ରକୋପ ସହିବାକୁ ପଡିବ କାରଣ ଏହି ଭାକସିନ ସେପ୍ଟେମ୍ବର ସୁଦ୍ଧା ଲୋକଙ୍କ ପାଖକୁ ଆସିଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.