କରୋନା ଟିକାକୁ ନେଇ ଆସିଲା ଖୁସି ଖବର, ବୟସ୍କଙ୍କ ଠାରେ ଭଲ କାମ କରୁଛି Oxford-AstraZeneca

Published By : Prameya-News7 Bureau | November 19, 2020 IST

ଲଣ୍ଡନ ୧୮/୧୧: ଅକ୍ସଫୋର୍ଡ ବିଶ୍ବାବିଦ୍ୟାଳୟ ଦ୍ବାରା ବିକଶିତ କରୋନା ଭ୍ୟାକସିନ୍‌କୁ ନେଇ ଖୁସି ଖବର ଆସିଛି। ଏହି ଟିକା ବୟସ୍କ ବ୍ୟକ୍ତିଙ୍କ ଶରୀରରେ ବେଶ ଭଲ କାର୍ଯ୍ୟ କରୁଛି। ୫୬-୬୯ ବୟସର ବ୍ୟକ୍ତି ଓ ୭୦ ବୟସରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି ଏହି ଭ୍ୟାକସିନ୍‌। ତେବେ ଏନେଇ ମେଡିକାଲ୍‌ ଜର୍ଣ୍ଣାଲ ‘ଲାନ୍‌ସେଣ୍ଟ’ରେ ପ୍ରକାଶ ପାଇଛି।

ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା କରୋନା ଭ୍ୟକ୍‌ସିନ୍‌ ଦ୍ବିତୀୟ ପର୍ଯ୍ୟାୟ ଟ୍ରାଏଲରେ ୫୬ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଶରୀରରେ ଭଲ କାମ କରିବା ପରେ ଏହାର ପ୍ରଭାବ ଜାଣିବା ପାଇଁ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଯାଇଥିଲା। ସିଏଚ୍‌ଏଡିଓଏକ୍ସ ଏନ୍‌କୋଭ୍‌-୧୯ ନାମକ ଟିକା ଯୁବକମାନଙ୍କ ତୁଳନାରେ ବୟସ୍କ ଲୋକଙ୍କ ଶରୀରରେ ଭଲ କାମ କରୁଥିବା ଦେଖିବାକୁ ମିଳିଛି।

ତେବେ ଏଭଳି ପରିଣାମ ଅତ୍ୟନ୍ତ ଉତ୍ସାହଜନକ କାରଣ କରୋନା ଭାଇରସ୍‌ ବୟସ୍କ ଲୋକଙ୍କୁ ଅଧିକ ସଂକ୍ରମଣ କରୁଛି। ଏନେଇ ଅକ୍ସଫୋର୍ଡ ଟିକା ପ୍ରସ୍ତୁତିରେ ନିୟୋଜିତ ଜଣେ ଡାକ୍ତର ମହେଶୀ ରାମାସାମି ଖୁସି ବ୍ୟକ୍ତ କରିଛନ୍ତି। ସେପଟେ ବ୍ରିଟେନ ଏହି ଟିକାର ୧୦ କୋଟି ଡୋଜ୍‌ ପାଇଁ ଆର୍ଡର ଦେଇସାରିଛି।

ବିଶେଷଜ୍ଞ କହିବା ଅନୁଯାୟୀ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ସାହାଯ୍ୟରେ କରୋନା ଟିକାର ନିର୍ମାଣ କରିଲେ ଖୁବଶୀଘ୍ର ଅଧିକ ପରିମାଣର ଟିକା ପ୍ରସ୍ତୁତ ହୋଇପାରିବ। କରୋନା ଭ୍ୟାକ୍‌ସିନ୍‌ର ପରିମାଣ ବୃଦ୍ଧି ପାଇବା ନିହାତି ଆବଶ୍ୟକ କାରଣ କରୋନା ସଂକ୍ରମଣ ବୃଦ୍ଧି ପାଉଛି।

ତେବେ​‌ ଦ୍ବିତୀୟ ପର୍ଯ୍ୟାୟ ଟ୍ରାଏଲ୍‌ରେ ୫୬୦ ଜଣଙ୍କୁ ନେଇ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୨୪୦ ଜଣ ୭୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଥିଲେ। ସେମାନଙ୍କ ଶରୀରରେ ଟିକା କରୋନା ବିରୋଧରେ ଲଢ଼େଇ ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥିବା ନେଇ ବିଶେଷଜ୍ଞ କହିଛନ୍ତି। କରୋନା ଟିକା ପାଇଁ ବିଶ୍ବରେ ଚର୍ଚ୍ଚା ଚାଲିଥିବା ବେଳେ ଅନେକ କରୋନା ଟିକା ଏବେ ଶେଷ ପର୍ଯ୍ୟାୟ ପରୀକ୍ଷଣରେ ଅଛି। ସେପଟେ ଋଷ ଭ୍ୟାକ୍‌ସିନ୍‌ ସ୍ପୁଟନିକ୍‌-୫ ଲୋକଙ୍କ ଶରୀରରେ ପ୍ରୟୋଗ କରାଯାଉଥିବା ନେଇ ଋଷ ଦାବି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.