ପୁଅ-ଝିଅ ହେଲେ ପର, ନିଜର ହେଲା ପୋଷା କୁକୁର, ଅଧା ସମ୍ପତ୍ତି ୱିଲ୍ କରିଦେଲେ ମାଲିକ

Published By : Prameya-News7 Bureau | January 04, 2021 IST

ଛିନ୍ଦୱଡ଼ା ୦୪/୦୧ : ଦୁନିଆରେ ସବୁଠାରୁ ବିଶ୍ୱସ୍ତ ପଶୁ କିଏ ବୋଲି ଯଦି ପଚରା ଯାଏ ତେବେ ଅଧିକାଂଶ ଲୋକ କୁକୁର ହିଁ କହିବେ। ଏହାର କାରଣ ଆମେ ଅନେକ ଖବର ପଢ଼ିଛେ ବା ଜାଣିଛେ ଯେଉଁଥିରେ କି କୁକୁର ତାର ମାଲିକ ପାଇଁ ଉଦାହରଣ ସୃଷ୍ଟି କଲାଭଳି କାର୍ଯ୍ୟ କରିଛି। ଏମିତି କି ନିଜ ଜୀବନ ବଦଳରେ ମାଲିକର ଜୀବନକୁ ମୃତ୍ୟୁ ମୁଖରୁ ଛଡ଼ାଇ ଆଣିଛି। କିନ୍ତୁ ଆଜି ଆମେ ଏମିତି ଏକ ବନ୍ଧୁତା ବିଷୟରେ ଜଣାଇବାକୁ ଯାଉଛୁ ଯେଉଁଥିରେ କି ଜଣେ ବ୍ୟକ୍ତି ତାଙ୍କର ପୋଷା କୁକୁର ନାମରେ ତାଙ୍କ ସମ୍ପତ୍ତିର ଅଧା ଲେଖିଦେଇଛନ୍ତି । ଏହା ସହ ତାଙ୍କ ମୃତ୍ୟୁ ପରେ କୁକୁରର ଯେପରି କୌଣସି ଅସୁବିଧା ନହୁଏ ତାର ବ୍ୟବସ୍ଥା ମଧ୍ୟ କରିଦେଇଛନ୍ତି।

ମଧ୍ୟପ୍ରଦେଶର ଛିନ୍ଦୱଡ଼ା ଜିଲ୍ଲାର ଓମ୍ନାରାୟଣ ନାମକ ଜଣେ ବ୍ୟକ୍ତିଙ୍କର ୧୮ ଏକର ଜମି ସହ ଏକ ଘର ରହିଛି। ତାଙ୍କର ୪ଜଣ ଝିଅ ଏବଂ ଗୋଟିଏ ପୁଅ ମଧ୍ୟ ଅଛନ୍ତି। କିନ୍ତୁ ସେମାନଙ୍କ ଉପରେ ସେ ଆଦୌ ସନ୍ତୁଷ୍ଟ ନୁହନ୍ତି। ତେଣୁ ସେ ସେମାନଙ୍କୁ ତାଙ୍କ ସମ୍ପତ୍ତିରୁ ଭାଗ ଦେବାକୁ ଚାହୁଁ ନାହାନ୍ତି। ଏଥିପାଇଁ ସେ ପାଳିଥିବା କୁକୁର ନାମରେ ତାଙ୍କର ସମ୍ପତ୍ତିର ଅଧା ଅଂଶ କରିଦେଇଛନ୍ତି।

ଓମ୍ନାରାୟଣ କରିଥିବା ଦଲିଲ୍ରେ ଲେଖିଛନ୍ତି ଯେ ପତ୍ନୀ ଚମ୍ପା ବର୍ମା ଏବଂ କୁକୁର ଜ୍ୟାକି ତାଙ୍କର ସେବା କରୁଛନ୍ତି ଏବଂ ତାଙ୍କ ପାଖେପାଖେ ରହିଆସୁଛନ୍ତି। ତେଣୁ ଏହି ଦୁଇଜଣ ତାଙ୍କର ସ୍ଥାବର-ଅସ୍ଥାବର ସମ୍ପତ୍ତିର ଉତ୍ତରାଧିକାରୀ ହେବାପାଇଁ ହକ୍ଦାର ।

ସେ ତାଙ୍କର କୁକୁର ଏବଂ ପତ୍ନୀଙ୍କ ମଧ୍ୟରେ ସମ୍ପତ୍ତିକୁ ସମାନ ସମାନ ଭାଗରେ ବାଣ୍ଟି ଦେଇଛନ୍ତି। ଏହାଛଡ଼ା ସେ ଦଲିଲ୍ରେ ଜ୍ୟାକିର ମୃତ୍ୟୁପରେ ତା ନାମରେ ଥିବା ସମ୍ପତ୍ତିର ମାଲିକ କିଏ ହେବ ସେ ନେଇ ମଧ୍ୟ ଉଲ୍ଲେଖ କରିଛନ୍ତି। ଜ୍ୟାକିର ମୃତ୍ୟୁପରେ ତାର ସେବା ଯତ୍ନ କରୁଥିବା ବ୍ୟକ୍ତି ଏହି ସମ୍ପତ୍ତିର ଉତ୍ତରାଧିକାରୀ ହେବ ବୋଲି ସେ ସ୍ପଷ୍ଟଭାବେ ଲେଖିଛନ୍ତି। ଓମ୍ନାରାୟଣ ଗାଁର ଜଣେ ପୂର୍ବତନ ସରପଞ୍ଚ । ନିଜ ପିଲାମାନଙ୍କ ଉପରେ ତାଙ୍କର ଭରଷା ନଥିବା କରାଣରୁ ମୃତ୍ୟୁ ପୂର୍ବରୁ ସେ ସମ୍ପତ୍ତିକୁ କୁକୁର ନାମରେ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.