ମୁକେଶ ଅମ୍ବାନୀଙ୍କ ଘର ଆଗରୁ ଜବତ ସ୍କର୍ପିଓ ମାଲିକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
5/03/2021 at 6:07 PM

ମୁମ୍ବାଇ ୫।୩: ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବାସଭବନ ଏଣ୍ଟିଲିଆ ଆଗରୁ ଜବତ ହୋଇଥିବା ଜିଲେଟିନ ବୋଝେଇ ସ୍କର୍ପିଓର ମାଲିକଙ୍କ ମୃତ ଦେହ ଶୁକ୍ରବାର କଲୱା ସମୁଦ୍ରରୁ ଉଦ୍ଧାର ହୋଇଛି। ପୋଲିସର ପ୍ରାଥମିକ ଯାଞ୍ଚରୁ ସମ୍ପୃକ୍ତ ବ୍ୟକ୍ତି ଆତ୍ମହତ୍ୟା କରିଥିବାର ଅନୁମାନ କରୁଛି।

ଏଣ୍ଟିଲିଆ ଆଗରେ ସନ୍ଦିଗ୍ଧ ଛିଡା ହୋଇଥିବା ସ୍କୋରପିଓଟିକୁ ବିକରୋଲୀ ଅଞ୍ଚଳରୁ ଚୋରା ଯାଇଥିବା ଜଣାପଡିଥିଲା। ଏହି ଗାଡିଟି ମନସୁଖ ହିରେନଙ୍କର ବୋଲି ଠାଣେ ଡିସିପି ସୂଚିତ କରିଥିଲେ। ତେବେ ମାମଲାର ତଦନ୍ତ ଆଗକୁ ବଢିବା ପୂର୍ବରୁ ମନସୁଖ ଆତ୍ମହତ୍ୟା କରିବା ଏବେ ତଦନ୍ତକୁ ନୂଆ ମୋଡ ଦେଇଛି। ତେବେ ଗାଡିରୁ ଜବତ ହୋଇଥିବା ଜିଲୋଟିନ୍ ସୈନ୍ୟ ଗ୍ରେଡର ନଥିଲା ବୋଲି ତଦନ୍ତରୁ ସ୍ପଷ୍ଟ ହୋଇସାରିଛି।

ଗତ ଫେବୃଆରୀ ୨୫ ତାରିଖ ଦିନ ମୁକେଶ ଅମ୍ବାନୀଙ୍କ ଘର ଆଗରେ ଏକ ସ୍କୋର୍ପିଓ ଗାଡି ସନ୍ଦିଗ୍ଧ ଅବସ୍ଥାରେ ଛିଡା ହୋଇଥିବାର ଦେଖି ପୋଲିସକୁ ସୂଚିତ କରାଯାଇଥିଲା। ପୋଲିସ ଗାଡିଟିର ତଲାସୀ ନେବା ବେଳେ ସେଥିରୁ ଜିଲୋଟିନ ଷ୍ଟିକ୍ ସମେତ ଅମ୍ବାନୀଙ୍କ ଲାଗି ଧମକପୂର୍ଣ୍ଣ ପତ୍ର ମିଳିଥିଲା। ସେବେଠାରୁ ଅମ୍ବାନୀଙ୍କ ଘରର ସୁରକ୍ଷା କଡାକଡି କରାଯାଇଛି।

ଗାଡିର ଯାଞ୍ଚ ବେଳେ ଏହା ବିକରୋଲୀର ଓ ମନସୁଖ ହିରେନ ଏହାର ମାଲିକ ବୋଲି ଜଣାପଡିଥିଲେ। ପଚରା ଉଚରାରୁ ହିରେନ୍ ତାଙ୍କ ଗାଡି ଚୋରି ନେଇ ପୋଲିସରେ ଏତଲା ମଧ୍ୟ ଦେଇଥିବାର ଜଣାପଡିଥିଲା। ତେବେ ହିରେନ ସମୁଦ୍ରକୁ ଡେଇଁ ଆତ୍ମହତ୍ୟା କରିଛନ୍ତି କି କେହି ତାଙ୍କୁ ହତ୍ୟା କରିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି।