ତାମିଲନାଡୁରେ ଏକାଠି ମିଶି ନିର୍ବାଚନ ଲଢିବେ ଓଓ୍ଵେସି ଓ କମଲ ହାସନ ! ୨୫ଟି ଆସନରେ ମିଳାଇ ପାରନ୍ତି ହାତ

Published By : Prameya-News7 Bureau | December 14, 2020 IST

ଚେନ୍ନାଇ ୧୪।୧୨: ବିହାର ନିର୍ବାଚନରେ ପାଞ୍ଚଟି ଆସନରେ ମିଳିଥିବା ବିଜୟରେ ଅଭିଭୂତ ଅସଦୁଦ୍ଦିନ ଓଓ୍ଵେସି ଆଗାମୀ ବର୍ଷ ହେବାକୁ ଥିବା ଚେନ୍ନାଇ ବିଧାନସଭା ନିର୍ବାଚନରେ ନିଜର ପ୍ରାର୍ଥୀ ଦେବାକୁ ଘୋଷଣା କରି ସାରିଛନ୍ତି। ବର୍ତ୍ତମାନ ସେ ନିର୍ବାଚନ ଲଢିବା ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହା ମଧ୍ୟରେ କମଲ ହାସନଙ୍କ ପାର୍ଟି ସହିତ ଅସଦୁଦ୍ଦିନଙ୍କ ମେଣ୍ଟ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କ ମଧ୍ୟରେ ଆସନ ନେଇ ଆଲୋଚନା ହୋଇ ସାରିଥିବା କୁହାଯାଉଛି।

ତାମିଲନାଡୁ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି ଯେ, ବିହାରରେ ଉତ୍ସାହଜନକ ପ୍ରଦର୍ଶନ ପରେ ଓଓ୍ଵେସିଙ୍କ ପାର୍ଟି ଅଲ ଇଣ୍ଡିଆ ମଜଲିସ ଏ ଇତେହାଦୁଲ ମୁସିଲମିନ(ଏଆଇଏମଆଇଏମ) କମଲ ହାସନଙ୍କ ପାର୍ଟି ମକ୍କଲ ନିଧି ମୟମ(ଏମଏନଏମ) ସହିତ ହାତ ମିଳାଇ ପାରେ। ଏହା ମଧ୍ୟ କୁହାଯାଉଛି ଏଆଇଏମଆଇଏମ ଓ ଏମଏନଏମ ମିଶି ୨୫ଟି ଆସନରେ ନିର୍ବାଚନ ଲଢି ପାରନ୍ତି।

ସୂଚନା ଅନୁଯାୟୀ, ଓଓ୍ଵେସି ସୋମବାର ତାମିଲନାଡୁର ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟର ପାର୍ଟି ପଦାଧିକାରୀଙ୍କ ସହ ଚର୍ଚ୍ଚା କରିଛନ୍ତି। ଏନେଇ ଜାନୁଆରୀରେ ଦଳର ବୈଠକ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷେ କମଲ ହାସନ ସୋମବାର ଘୋଷଣା କରିଛନ୍ତି ଯେ, ସେ ଆଗାମୀ ନିର୍ବାଚନରେ ନିଶ୍ଚୟ ମଇଦାନକୁ ଓହ୍ଲାଇବେ। ସେ ଯେ କୌଣସି ଆସନରେ ନିର୍ବାଚନ ଲଢି ପାରନ୍ତି ଏବଂ ପରେ ଏହାର ଘୋଷଣା କରିବେ ବୋଲି କମଲ ହାସନ କହିଛନ୍ତି।

୨୦୧୧ ଜନଗଣନା ଅନୁଯାୟୀ ତାମିଲନାଡୁରେ ମୁସଲିମ ଜନସଂଖ୍ୟା ହେଉଛି ୫.୮୬ ପ୍ରତିଶତ। ତାମିଲନାଡୁର ଭେଲୋର, ରାନିପେଟ୍, ତିରୁପତୁର, କୃଷ୍ଣାଗିରି, ରମନନାଥପୁରମ, ପୁଡୁକୋଟ୍ଟଇ, ତ୍ରିଚି, ମଦୁରାଇ ଓ ତିରୁନେଲଭେଲିରେ ମୁସଲିମ ବହୁଳ ଅଞ୍ଚଳ। କୁହାଯାଉଛି, ଓଓ୍ଵେସିଙ୍କ ଦଳ ଏହି ଆସନରେ ନିର୍ବାଚନ ଲଢି ପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.