ନିମିଷକରେ ଟଳିପଡିଲା Over Head ପାଣି ଟାଙ୍କି, ଏବେ ଠିକାଦାରକୁ ଦୋଷ ଦେଉଛନ୍ତି ଲୋକେ
23/01/2020 at 4:17 PM

ବାଙ୍କୁରା ୨୩।୧: ପଶ୍ଚିମବଙ୍ଗ ବାଙ୍କୁରାରେ ଗୁରୁବାର ଘଟିଛି ଅଭାବନୀୟ ଘଟଣା। ଏକ କାର୍ଯ୍ୟକ୍ଷମ ଓଭରହେଡ ପାଣି ଟାଙ୍କି ଅଚାନକ ଭୂଷୁଡି ପଡିଛି। ଫଳରେ ଅଞ୍ଚଳର ଜଳ ଯୋଗାଣ ବାଧିତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଏବେ ଏହି ଟାଙ୍କିର ନିର୍ମାଣ ଠିକା ନେଇଥିବା କଣ୍ଟ୍ରାକ୍ଟରଙ୍କୁ ନିମ୍ନମାନର କାମ ଲାଗି ଦାୟି କରୁଛନ୍ତି।
ବାଙ୍କୁରା ସାରେଙ୍ଗାରେ ଏହି ପାଣି ଟାଙ୍କିଟି ନିର୍ମିତ ହୋଇଥିଲା। ୭୦୦୦ ଲିଟର କ୍ଷମତାର ଏହି ପାଣି ଟାଙ୍କିର ନିର୍ମାଣ କାମ ୨୦୧୭ ମସିହାରେ ଆରମ୍ଭ ହୋଇଥିଲା। ତେବେ ନିର୍ମାଣ ଆରମ୍ଭରୁ ଲୋକେ ନିମ୍ନମାନର କାମ ଅଭିଯୋଗ କରିଆସୁଥିଲେ। ପାଣି ଟାଙ୍କିରୁ ନିକଟସ୍ଥ ଅଞ୍ଚଳକୁ ପାଇପ୍ ଯୋଗେ ପାଣି ଯୋଗାଇ ଦିଆଯାଉଥିଲା। ତେବେ ପାଣି ଚାଙ୍କି ଭୂଷୁଡିପଡିବା ପରେ ଲୋକଙ୍କ ସମସ୍ୟା ବହୁଗୁଣିତ ହୋଇଛି। ସମଗ୍ର ଅଞ୍ଚଳରେ ପାଣି ଭରି ଯାଇଥିବା ବେଳେ ଅଞ୍ଚଳକୁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି।
ଠିକାଦାରଙ୍କ ଲାଭଖୋର ମନବୃତ୍ତି ଯୋଗୁ ସେମାନଙ୍କୁ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡିଥିବା ଲୋକେ ଅଭିଯୋଗ କରିଛନ୍ତି। ଏହି ଟାଙ୍କି ନିର୍ମାଣରେ ବ୍ୟାପକ ଆର୍ଥିକ ଅନିୟମିତତା ସାଙ୍ଗକୁ ଠିକାଦାର ଖରାପ ମେଟେରିଆଲ ବ୍ୟବହାର କରିଥିଲେ ବୋଲି ଲୋକେ କହୁଛନ୍ତି। ତେବେ ଟାଙ୍କି ଧସିବା ଯୋଗୁ କେହି ମୃତାହତ ହେବାର ସୂଚନା ନାହିଁ।