ଭଦ୍ରକ ଜିଲ୍ଲାରେ ‘ୟସ୍’ ମୁକାବିଲା : ସ୍ଥାନାନ୍ତର ହେଲେଣି ପ୍ରାୟ ୭୦ହଜାର ଲୋକ

Published By : Prameya-News7 Bureau | May 25, 2021 IST

ଭଦ୍ରକ ୨୫।୫: ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ‘ୟସ୍’ । ଏହି ବାତ୍ୟା ତାର ଗତିପଥ ବଦଳାଇଛି । ତେବେ ଧାମରାରୁ ଭିତରକନିକା ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଉଛି । ଫଳରେ ଭଦ୍ରକ, ବାଲେଶ୍ବର ସମେତ କେନ୍ଦ୍ରାପଡା ଜିଲ୍ଲା ପାଇଁ ଅଧିକ ବିପଦ ରହିଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା । ତେଣୁ ଏହିସବୁ ଜିଲ୍ଲାର ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ‘ୟସ୍’ ପ୍ରଭାବରେ ଅଧିକ କ୍ଷତିଗ୍ରସ୍ତ ହେବାକୁ ଥିବା ଭଦ୍ରକ ଜିଲ୍ଲାରେ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି । ତେବେ ଭଦ୍ରକ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଜିଲ୍ଲାରେ ୭୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଲାଣି । ଏବେ ବି ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି  । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି ।

ଭଦ୍ରକ ଜିଲ୍ଲାର ୭ଟି ବ୍ଲକ୍ ଓ ୪ଟି ସହରାଞ୍ଚଳରେ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଥିଲା । ୨୦୮ ଗ୍ରାମ ପଞ୍ଚାୟତ ଓ ୭୯ ୱାର୍ଡରେ ସ୍ଥାନାନ୍ତର କରାଯିବାର ଥିଲା । ଏଥିପାଇଁ ୧୦ ଏନଡିଆରଏଫ ଟିମ୍, ୩ ଓଡ୍ରାଫ ଟିମ୍, ୨୦ ଅଗ୍ନିଶମ ବାହିନୀ ଓ ବନଖଣ୍ଡ ବିଭାଗର ଗୋଟିଏ ଟିମ୍ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ ବୋଲି କୁହାଯାଉଛି । ଆବଶ୍ୟକ ହେଲେ ଅଧିକ ଟିମ୍ ରାଜ୍ୟ ସରକାର ପଠାଇବା ନେଇ ସ୍ବତନ୍ତ୍ର ରିଲିଫ୍ କମିଶନର ତରଫରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.