ଏବେ ପୁଅ ନୁହେଁ ବରଂ ଝିଅ ପ୍ରଥମ ପସନ୍ଦ, ବର୍ଷକୁ ୨ହଜାରରୁ ଅଧିକ ଝିଅଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି

Published By : Prameya-News7 Bureau | November 02, 2020 IST

ନୂଆଦିଲ୍ଲୀ ୨।୧୧: ଦେଶରେ ଅଧିକାଂଶ ଲୋକ ଶିଶୁ ପୁତ୍ର ତୁଳନାରେ ଶିଶୁ କନ୍ୟାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଦେଶରେ ଚଳିତ ବର୍ଷ ମୋଟ୍ ୩୫୩୧ ଶୁଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୬୧ ଶିଶୁ କନ୍ୟା ରହିଛନ୍ତି । ସଂଖ୍ୟା ଅନୁସାରେ ମହାରାଷ୍ଟ୍ରରେ ସବୁଠୁ ଅଧିକ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି । ଚାଇଲ୍ଡ ଆଡପସନ୍ ରିସୋର୍ସ ଅଥୋରିଟି (CARA) ର ଆକଳନ ଅନୁସାରେ ୧ ଅପ୍ରେଲ ୨୦୧୯ରୁ ୩୧ ମାର୍ଚ୍ଚ ୨୦୨୦ ମଧ୍ୟରେ ୧୪୭୦ ଶିଶୁ ପୁତ୍ର ଏବଂ ୨୦୬୧ ଶିଶୁ କନ୍ୟାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି ।

ଦେଶବ୍ୟାପୀ ଶିଶୁ ପୁତ୍ରକୁ ପ୍ରାଥମିକତା ଦେବାର ଚଳନି ପରିପ୍ରେକ୍ଷୀରେ ଜଣେ ଅଧିକାରୀ କହିଛନ୍ତି ଯେ, ଏବେ ଲୋକଙ୍କ ମାନସିକତା ଧିରେ ଧିରେ ପରିବର୍ତ୍ତନ ହେବାରେ ଲାଗିଛି । ଏବେ ଅଧିକାଂଶ ଲୋକ ଶିଶୁ କନ୍ୟାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ସେ କହିଛନ୍ତି ଯେ, ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ଲୋକଙ୍କୁ ଦୁଇଟି ବିକଳ୍ପ ଦିଆଯାଇଥାଏ । ସେମାନେ ଶିଶୁ ପୁତ୍ର ଏବଂ ଶିଶୁ କନ୍ୟା ଭିତରୁ ଜଣଙ୍କୁ ବାଛିବେ ଅଥବା ସେମାନେ କାହାରିକୁ ପ୍ରାଥମିକତା ଦେବେ ନାହିଁ । ଅଧିକାଂଶ ଶିଶୁ କନ୍ୟାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ରୁଚି ଦେଖାଉଛନ୍ତି । ମାତ୍ର କିଛି ସାମାଜିକ କର୍ମୀ କହିଛନ୍ତି ଯେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଶିଶୁ କନ୍ୟାଙ୍କ ସଂଖ୍ୟା ଅଧିକ ରହିଛି ।

ସେଣ୍ଟର ଫର୍ ଆଡଭୋକେସି ଆଣ୍ଡ୍ ରିସର୍ଚ୍ଚର କାର୍ଯ୍ୟକାରୀ ନିର୍ଦ୍ଦେଶକ କହିଛନ୍ତି ଯେ, କୌଣସି ପୋଷ୍ୟ ସନ୍ତାନ ଗ୍ରହଣ କରାଯାଉଥିବା ସଂସ୍ଥାରେ ଆପଣ ଅଧିକାଂଶ ଶିଶୁ କନ୍ୟାଙ୍କୁ ଦେଖିବାକୁ ପାଇବେ । ଏଥିପାଇଁ ଏହାକୁ ପ୍ରଗତିଶୀଳ ମାନସିକତା ଭାବିବା ଭୁଲ ଅଟେ । ସମସ୍ୟାର କିଛି ସରଳୀକରଣ କରିବା ଉଚିତ୍ । ସେ କହିଛନ୍ତି ଯେ, କିଛି ପରିବାରରେ ଶୁଶୁ ପୁତ୍ରଙ୍କୁ ହିଁ ପ୍ରାଥମିକତା ଦିଆଯାଇଥାଏ । ଏପରିକି ଗର୍ଭରେ ଶିଶୁର ଲିଙ୍ଗ ନିରୂପଣ କରାଯାଇଥାଏ । ଗର୍ଭରେ କନ୍ୟା ସନ୍ତାନ ଥିଲେ ଗର୍ଭପାତ ମଧ୍ୟ କରାଇଦିଆଯାଏ । ଏତିମି ଅନେକ ଲୋକ ଅଛନ୍ତି ଶିଶୁ କନ୍ୟା ଜନ୍ମ ହେବା ପରେ ତାକୁ ପରିତ୍ୟାଗ ମଧ୍ୟ କରିଥାନ୍ତି ।

ସଂଖ୍ୟା ଅନୁସାର ଗତ ବର୍ଷ ଅପ୍ରେଲରୁ ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ୦-୫ ବର୍ଷ ବୟସର ୩୧୨୦ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି । ୫-୧୮ ବର୍ଷ ବୟସର ୪୧୧ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୬୧୫ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି । ଏହା ବ୍ୟତୀତ କର୍ଣ୍ଣାଟକରେ ୨୭୨, ତାମିଲନାଡୁରେ ୨୭୧, ଉତ୍ତରପ୍ରଦେଶରେ ୨୬୧ ଏବଂ ଓଡିଶାରେ ୨୫୧ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.