ଭାରତରେ ୧୫ ଲକ୍ଷରୁ ଅଧିକ ରୋଗୀ କରୋନାକୁ ଦେଲେ ମାତ୍, ସୁସ୍ଥ ହାର ୭୦ ପ୍ରତିଶତରେ

Published By : Prameya-News7 Bureau | August 10, 2020 IST

ନୂଆଦିଲ୍ଲୀ ୧୦।୦୮: କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ଅଦ୍ୟାବଧି ୧୫ ଲକ୍ଷ ୩୫ ହଜାର ୭୪୩ ଜଣ  କରୋନା ଭୂତାଣୁ ସଂକ୍ରମଣରୁ ସୁସ୍ଥ ହୋଇ ସାରିଛନ୍ତି। ଏହା ସହିତ ସୁସ୍ଥହାର ପାଖାପାଖି ୭୦ ପ୍ରତିଶତରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୫୪,୮୫୯ ଜଣ କରୋନାକୁ ମାତ୍ ଦେଇଛନ୍ତି। ସେମାନଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଟ୍ଵିଟ୍‌ କରି କହିଛି, ପରୀକ୍ଷଣ ବୃଦ୍ଧି, ଫାଷ୍ଟ ଟ୍ରାକିଂ ଓ ଚିକିତ୍ସା ସହିତ ଆମ୍ବୁଲାନ୍ସ ସେବା ଏବଂ ଅକ୍ସିଜେନର ଉପଲବ୍ଧତା କାରଣରୁ ଏହା ସମ୍ଭବ ହୋଇ ପାରିଛି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭାରତରେ ଗତ ୨୪ ଘଣ୍ଟାରେ କରୋନା ଭାଇରସ୍ ସଂକ୍ରମଣର ୬୨, ୦୬୪ ନୂତନ କେସ୍ ସାମ୍ନାକୁ ଆସିଛି। ଏହା ସହିତ ଦେଶରେ ମୋଟ୍ ସଂକ୍ରମିତ ସଂଖ୍ୟା ୨୨ ଲକ୍ଷ ଅତିକ୍ରମ କରିଛି। କରୋନା ସଂକ୍ରମଣରେ ଆଉ ୧୦୦୭ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୪,୩୮୬କୁ ବୃଦ୍ଧି ଘଟିଛି।

ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ୬,୩୪, ୯୪୫ ରୋଗୀଙ୍କ କୋଭିଡ୍-୧୯ର ଚିକିତ୍ସା ଜାରି ରହିଛି। ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୨, ୧୫, ୦୭୪ ରହିଛି। ଦେଶରେ କ୍ରମାଗତ ଚତୁର୍ଥ ଦିନ ୬୦ ହଜାରରୁ ଅଧିକ ନୂତନ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଭାରତୀତ ଆୟୁର୍ବିଜ୍ଞାନ ପରିଷଦ(ଆଇସିଏମଆର) ଅନୁଯାୟୀ ଦେଶରେ ଅଦ୍ୟାବଧି ମୋଟ୍ ୨ କୋଟି ୪୫ ଲକ୍ଷ ୮୩ ହଜାର ୫୫୮ ନମୂନା ଯାଞ୍ଚ କରାଯାଇଛି। ଏଥିରୁ ରବିବାର ୪,୭୭,୦୨୩ ନମୂନା ପରୀକ୍ଷଣ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.