ରାମ ନବମୀ ଉପରେ ଲାଗିଲା କରୋନା ଗ୍ରହଣ, ଏପ୍ରିଲ ୨ ପର୍ଯ୍ୟନ୍ତ ଅଯୋଧ୍ୟାରେ ପ୍ରବେଶ ମନା
21/03/2020 at 9:40 PM

ଅଯୋଧ୍ୟା ୨୧।୦୩: କରୋନା ଭୂତାଣୁର ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମ ନବମୀ ମେଳା ଉପରେ ଅଘୋଷିତ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ଜିଲ୍ଲା ପ୍ରଶାସନ ଶନିବାର ଆଡଭାଇଜରୀ ଜାରି କରି ଏହି ସୂଚନା ଦେଇଛି।
ଆଡଭାଇଜରୀ ମୁତାବକ ଏପ୍ରିଲ ୨ ପର୍ଯ୍ୟନ୍ତ ଅଯୋଧ୍ୟାରେ ବାହାର ଲୋକଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ରାମନବମୀ ମେଳାରେ ସାମିଲ ହେବାକୁ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀଙ୍କୁ ଅଯୋଧ୍ୟା ଜନପଦ ବର୍ଡରରେ ହିଁ ଅଟକାଇ ସେମାନଙ୍କୁ ଫେରାଇ ଦିଆଯିବ।

ଏହା ସହିତ ଏପ୍ରିଲ ୨ ପର୍ଯ୍ୟନ୍ତ ସରୟୁ ନଦୀରେ ସାମୂହିକ ସ୍ନାନ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଅଯୋଧ୍ୟା ଜନପଦର ସମସ୍ତ ହୋଟେଲ, ଧର୍ମଶାଳା ଓ ଲଜ୍ରେ ଏପ୍ରିଲ ୨ ପର୍ଯ୍ୟନ୍ତ କୌଣସି ବୁକିଂ ହୋଇ ପାରିବ ନାହିଁ।
ଏପରିକି ଜନପଦର ସମସ୍ତ ମନ୍ଦିର ଓ ଧାର୍ମିକ ସ୍ଥଳରେ କରୋନା ଭୂତାଣୁର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଭିଡ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଉଲ୍ଲେଖଯୋଗ୍ୟ, ଆଗାମୀ ମାର୍ଚ୍ଚ ୨୯ରୁ ଅଯୋଧ୍ୟାରେ ରାମ ନବମୀ ମେଳା ଆରମ୍ଭ ହେବାକୁ ଯାଉଛି। ୯ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପର୍ବର ଅନ୍ତିମ ଦିନ ଅର୍ଥାତ ଏପ୍ରିଲ ୨ ରାମ ଜନ୍ମୋତ୍ସବ ପାଳନ ହେବ।
ଏହା ସହିତ ଜିଲ୍ଲା ପ୍ରଶାସନ ଲୋକଙ୍କୁ ମାର୍ଚ୍ଚ ୨୨ ଦିନ ଜନତା କର୍ଫ୍ୟୁର ସମର୍ଥନ କରିବାକୁ ଅପିଲ କରିଛନ୍ତି। ଲୋକଙ୍କୁ ଅପିଲ୍ କରାଯାଇଛି ଯେ, ଅତି ଜରୁରୀ ନହେଲେ ଘରୁ ବାହାରନ୍ତୁ ନାହିଁ। ଅନାବଶ୍ୟକ ଯାତ୍ରାରୁ ନିବୃତ ରୁହନ୍ତୁ।