ଅର୍ଡର ଦେଇ ଗ୍ରାହକ ଭକୁଆ : ଘଣ୍ଟାଏ ଭିତରେ ‘ନୋ-ଷ୍ଟକ’, କିଏ ମାଲାମାଲ କିଏ ହତାଶ

Published By : Prameya-News7 Bureau | May 27, 2020 IST

ଭୁବନେଶ୍ୱର ୨୭।୦୫ : ମଦ କିଣାବିକାରେ ଚାଲିଥିବା ଟଣାଓଟରା ଥମିବାର ନାଁ ନେଉନି । ଦୋକାନରୁ ଭିଡ଼ କମିବା ବେଳକୁ ହୋମ୍‌ ଡେଲିଭରିରେ ଗଡ଼ବଡ଼ ଦେଖାଦେଲାଣି । ଦୋକାନ ଖୋଲିବାର ଘଣ୍ଟାଏ ଭିତରେ ମଦ ‘ଆଉଟ୍‌ ଅଫ୍‌ ଷ୍ଟକ୍‌’ ହୋଇଯାଉଛି । ଦୋକାନ ସାମ୍ନାରେ ଡିସ୍‌ପ୍ଲେ ପୋଷ୍ଟର ବି ଦେଖିବାକୁ ମିଳୁନି । ଏ ଦୋକାନରୁ ସେ ଦୋକାନକୁ ଧାଇଁ ଗ୍ରାହକ ନିରାଶ ହେଉନ୍ତି । ଏମିତିକି ଅନ୍‌ଲାଇନ୍‌ରେ ବୁକିଂ କରିବା ସତ୍ତେ୍ୱ ଗ୍ରାହକଙ୍କୁ ମଦ ମିଳୁନଥିବା ଅଭିଯୋଗ ହେଲାଣି ।

ପୂର୍ବ ଦିନ ଅପେକ୍ଷା ରାଜଧାନୀର ପ୍ରାୟ ଦୋକାନ ସାମ୍ନାରେ ଗ୍ରାହକଙ୍କ ଗହଳି କମ ଥିଲା । ପୂର୍ବଭଳି ଗ୍ରାହକଙ୍କ ହୋ ହଲ୍ଲା ଠେଲାପେଲା ନ ଥିଲେ ବି ଅନେକ ଆସି ଦୋକାନ ଆଗରୁ ୨ଥର ଚକ୍କର କାଟି ଯାଉଥିଲେ । ଆଉ କିଛି ମଦ ଦୋକାନରେ ପହଞ୍ଚି ‘ଡିସ୍‌ପ୍ଲେ’ରୁ ହୋମ୍‌ ଡେଲିଭରି ସମ୍ପର୍କିତ ତଥ୍ୟ ଦେଖୁଥିଲେ । ସେହିଠାରେ ମଦ କିଣିବାକୁ ଅର୍ଡର ଦେଉଥିଲେ । ଏମ୍ସ ହସ୍ପିଟାଲ ନିକଟରେ ରହୁଥିବା ପ୍ରୀୟବ ନାୟକ କହଛନ୍ତି, ଆଜି ସକାଳ ସାଢ଼େ ୧୦ଟାରେ ସେ ନିକଟସ୍ଥ ଏକ ମଦ ଦୋକାନରେ ୩ଟି ମଦ ବୋତଲ ଅର୍ଡର ଦେବାକୁ କଲ କଲେ । ହେଲେ ଉକ୍ତ ଦୋକାନୀଙ୍କ ଉତ୍ତର ଦେଇଥିଲେ, ଆଜି ପାଇଁ ଆଉ ଅର୍ଡର ରଖିହେବନି । ଆମ ପାଖରେ ଡେଲିଭରି ବୟ କମ୍‌ ଅଛନ୍ତି । କାଲି ଅର୍ଡର କରନ୍ତୁ । ଏହାପରେ ପ୍ରୀୟବ୍‌ ଅନ୍ୟ ୨-୩ଟି ଦୋକାନ ସହ ଯୋଗାଯୋଗ କରି ସମାନ ଉତ୍ତର ପାଇଥିଲେ । ସେହିପରି ୟୁନିଟ୍‌-୯ ଅଞ୍ଚଳର ଯୁବ ବ୍ୟବସାୟୀ ଉମାଶଙ୍କର ସାହୁଙ୍କ ଅଭିଯୋଗ ମୁତାବକ, ଗତକାଲି ଅନ୍‌ଲାଇନ୍‌ ଯୋଗେ ସହିଦନଗର ଅଞ୍ଚଳର ଏକ ଦୋକାନରେ ୭ଟି ବିୟର୍‌ ବୁକିଂ କରିଥିଲେ । ହେଲେ ବୁକିଂର ଦିନକ ପରେ ବି ବିୟର ହୋମ୍‌ ଡେଲିଭରି ହୋଇନି । ମଦ ଦୋକାନ କର୍ମଚାରୀଙ୍କ ମୋବାଇଲ ନମ୍ବରକୁ ଫୋନ୍‌ କଲେ କୌଣସି ଉତ୍ତର ମିଳୁନି । ଏମିତି ଅଭିଯୋଗର ସଂଖ୍ୟା ବଢ଼ୁଥିବା ସୂଚନା ମିଳିଛି । ଯାହାକୁ ନେଇ ଗ୍ରାହକଙ୍କ ମୁଡ୍‌ ଖରାପ ହେଉଛି ।

ଠକେଇ ରୋକିବାକୁ ମାର୍ଗଦର୍ଶିକା :

ଅନ୍‌ଲାଇନ୍‌ରେ ମଦ କିଣିବାବେଳେ ଠକାମୀରୁ ବର୍ତ୍ତିବା ପାଇଁ ମାର୍ଗଦର୍ଶିକା ଜାରି କରିଛି ଅବକାରୀ ବିଭାଗ । ନକଲି ୱେବ୍‌ସାଇଟ୍‌ ଓ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ଫେକ୍‌ ପୋଷ୍ଟରୁ ଦୂରେଇ ରହିବାକୁ ଗ୍ରାହକଙ୍କୁ ପରାମର୍ଶ ଦେଇଛି ।
ବିଭାଗ ପକ୍ଷରୁ କୁହାଯାଇଛି, ବିଦେଶୀ ମଦ ହୋମ୍‌ ଡେଲିଭରି ପାଇଁ ସରକାରଙ୍କ ପକ୍ଷରୁ ଓଡି଼ଶା ଷ୍ଟେଟ୍‌ ବିଭରେଜ୍‌ କର୍ପୋରେସନସ୍‌ (ଓଏସ୍‌ବିସି)ର ୱେବ୍‌ସାଇଟ୍‌ ଙ୍ଗଙ୍ଗଙ୍ଗ.କ୍ଟଗ୍ଦଭମ.ମକ୍ଟ.ସଦ୍ଭ ଜାରି ହୋଇଛି । ଏହି ୱେବ୍‌ସାଇଟ୍‌ ଜରିଆରେ ମଦ କିଣନ୍ତୁ । ଏହାଛଡ଼ା ମଦ ଦୋକାନ ସାମ୍ନାରେ ଛପା ଯାଇଥିବା ‘ଡିସ୍‌ପ୍ଲେ’ରେ ପ୍ରଦତ୍ତ ମୋବାଇଲ ନମ୍ବର ଓ ତଥ୍ୟ ଅନୁସାରେ ମଦ ପାଇଁ ବୁକିଂ କରନ୍ତୁ । ବିଭାଗ ଦ୍ୱାରା ଅନୁମୋଦିତ ଯୋଗାଣକାରୀ ସଂସ୍ଥା ସ୍ୱିଗି ଓ ଜୋମାଟୋ ବ୍ୟତିତ ଅନ୍ୟ କୌଣସି ସଂସ୍ଥାର ବିଜ୍ଞାପନରେ ଉପରେ ବିଶ୍ୱାସ କରନ୍ତୁନି । ଏହାଛଡ଼ା ପ୍ରତି ଜିଲ୍ଲାର ଅବକାରୀ ସୁପରିଟେଣ୍ଡଙ୍କୁ କୁହାଯାଇଛି, ଯଦି କୌଣସି ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ଏଭଳି ଅନ୍‌ଲାଇନ୍‌ ବିଜ୍ଞାପନ ଦେଖାଦେଉଛି, ତେବେ ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ସୂଚନା ଥାଉ କି, ଦୁଇଦିନ ଭିତରେ ମଦ କିଣିବା ନାଁରେ ସାଇବର ଠକ ଦୁଇଜଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧.୭୨ ଲକ୍ଷ ଟଙ୍କା ଗାଏବ୍‌ କରିନେଇଛନ୍ତି ।

ସ୍ୱିଗି, ଜୋମାଟୋରେ ବୁକିଂ ଆରମ୍ଭ :
ଅବକାରୀ ବିଭାଗଠାରୁ ଅନୁମୋଦିତ ଅନ୍‌ଲାଇନ୍‌ ଯୋଗାଣକାରୀ ସଂସ୍ଥା ସ୍ୱିଗି, ଜୋମାଟୋ ଆଜିଠୁ ରାଜଧାନୀରେ ହୋମ୍‌ ଡେଲିଭରି ବ୍ୟବସ୍ଥା ଆରମ୍ଭ କରିଛି । ଆଜି ସୁଦ୍ଧା ସ୍ୱିଗି ଭୁବନେଶ୍ୱର ୪ଟି ମଦ ଦୋକାନ ଠାରୁ ଅନୁମତି ପାଇଛି । ଦିନକ ମଧ୍ୟରେ ପାଖାପାଖି ୭୦ଟି ଅର୍ଡର ରଖି ଗ୍ରାହକଙ୍କୁ ମଦ ପହଞ୍ଚାଇଛି । ସେହିପରି ଜୋମାଟୋ ମଧ୍ୟ ୫ଟି ମଦ ଦୋକାନ ସହ ଯୋଗାଯୋଗ କରି ଦିନକରେ ୮୫ଟି ବୁକିଂ ପାଇଛି । ସଂସ୍ଥା ପକ୍ଷରୁ କୁହାଯାଇଛି, ଅନ୍ୟ ଦୋକାନ ସହ ଯୋଗାଯୋଗ ଚାଲିଛି । ତେବେ ସାମଗ୍ରୀ ଯୋଗାଇବା ପାଇଁ ମଦ ଦୋକାନର କାଗଜପତ୍ର ଯାଞ୍ଚ ପ୍ରକ୍ରିୟାରେ ସମୟ ଲାଗୁଛି । ଆଗକୁ ଡେଲିଭରି ସଂଖ୍ୟା ବଢ଼ିବ ।

ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ :
ଭିଡ଼ ନିୟନ୍ତ୍ରଣ ପାଇଁ ସମସ୍ତ ମଦ ଦୋକାନରେ ସୁରକ୍ଷା ବଢ଼ାଯାଇଛି । ଥାନାରୁ ୫-୬ଜଣ ପୁଲିସ କନଷ୍ଟେବଳ ପ୍ରତି ଦୋକାନ ସାମ୍ନାରେ ସକାଳୁ ସନ୍ଧ୍ୟା ଯାଏଁ ଡ୍ୟୁଟି କରୁଛନ୍ତି । ଦୋକାନରେ ଗହଳି ଜମିଲେ କିମ୍ବା ଅଫ୍‌ଲାଇନ୍‌ ବିକ୍ରି ଦେଖିଲେ, ପୁଲିସ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ତେବେ ଗତକାଲି ରାତିରେ କିଛି ଦୋକାନ ସାମ୍ନାରୁ ମଦ ଦୋକାନ ସମ୍ପର୍କିତ ତଥ୍ୟ ଲେଖାଥିବା ପୋଷ୍ଟର ଦୁର୍ବୃତ୍ତମାନେ ଚିରି ଦେଇଥିବା ଅଭିଯୋଗ ହୋଇଛି ।

ଦିନ ୧୨ଟାରେ ଖୋଲିବ ଦୋକାନ :
ରାଜଧାନୀରେ ଅନ୍‌ଲାଇନ୍‌ ମଦ ବିକ୍ରିରେ ହେଉଥିବା ଝମେଲାକୁ ରୋକିବାକୁ କମିଶନରେଟ ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ନୂଆ ନିୟମ ଜାରି କରିଛନ୍ତି । ନିୟମ ମୁତାବକ, ସବୁଦିନ ସକାଳ ୮ଟାରୁ ଅପରାହ୍ଣ ୧ଟା ଯାଏଁ ମଦ ଦୋକାନ ପକ୍ଷରୁ ଅର୍ଡର ରଖାଯିବ । ଦିବା ୧୨ଟା ବେଳକୁ ଦୋକାନ ଖୋଲିବା ସହ ଅର୍ଡର ମୁତାବକ ମଦଗୁଡିକର ପ୍ୟାକିଂ କରାଯିବ । ଏହାପରେ ଅପରାହ୍ଣ ୬ଟା ଯାଏଁ ହୋମ୍‌ ଡେଲିଭରି କରାଯିବ । ଯୋଗାଣକାରୀ ସଂସ୍ଥା ପକ୍ଷରୁ କିମ୍ବା ନିଜସ୍ୱ ଡେଲିଭରି ବୟ ଯୋଗେ ଗ୍ରାହକଙ୍କ ଠିକଣାକୁ ମଦ ପଠାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.