ଶେଷରେ ଇସ୍ତଫା ଦେଲେ ଓୟୁଏଟି କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ

Published By : Prameya-News7 Bureau | March 19, 2019 IST

ଭୁବନେଶ୍ୱର ୧୯/୩ : ଇସ୍ତଫା ଦେଇଛନ୍ତି ଓୟୁଏଟି କୁଳପତି ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ | ଗତକାଲି ଡାକ ଯୋଗେ ଇସ୍ତଫାପତ୍ର ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି | କାର୍ଯ୍ୟକାଳ ସରିବା ପୂର୍ବରୁ ଇସ୍ତଫା ଦେଇଛନ୍ତି ପଶୁପାଳକ |
ସୂଚନାଯୋଗ୍ୟ ଯେ, ଦୁର୍ନୀତି ଅଭିଯୋଗ ଯୋଗୁଁ ଛୁଟିରେ ଯିବା ପାଇଁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଡାକ୍ତର ପଶୁପାଳକଙ୍କୁ ନିର୍ଦେଶ ଦିଆଯାଇଥିଲା | ତେବେ ଡକ୍ଟର ପଶୁପାଳକ ଛୁଟିରେ ନଯାଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ | ଏଥିରେ ସେ ତାଙ୍କ ବିରୋଧରେ କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଚକ୍ରାନ୍ତ ଚଳାଇଥିବା ଅଭିଯୋଗ କରିଥିଲେ | ଏପରିକି ଓୟୁଏଟି କର୍ମଚାରୀ ସଂଘ ମଧ୍ୟ ତାଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପନା କରିଥିଲେ |


ପଶୁପାଳକଙ୍କ ବିରୋଧରେ ବିଶ୍ବ ବିଦ୍ୟାଳୟର ବିଭିନ୍ନ ନିଯୁକ୍ତି ଓ ନଥି ପତ୍ରରେ ଜାଲିଆତି କରୁଥିବା ବିଶ୍ବବିଦ୍ୟାଳୟର ପୂର୍ବତନ ସହକାରୀ ରେଜିଷ୍ଟ୍ରାର ଅଭିଯୋଗ କରିଥିଲେ । ଏହାକୁ ଆଧାର କରି ଭିଜିଲାନ୍ସ ବିଭାଗ ଦ୍ବାରା ଭିସିଙ୍କ ବିରୋଧରେ ତଦନ୍ତ କରି ରିପୋର୍ଟ ଦେବାକୁ ମୁଖ୍ୟଶାସନ ସଚିବଙ୍କୁ ଚିଠିରେ ସୁପାରିଶ କରିଥିଲେ ରାଜ୍ୟପାଳଙ୍କ ସଚିବ ମଧୁସୂଦନ ପାଢୀ । କୁଳପତିଙ୍କ ଅବସରର ୩ ମାସ ପୂର୍ବରୁଏଭଳି ଘଟଣାକୁ ନେଇ ନେଇ ଚର୍ଚ୍ଚାକୁ ଆସିଥିଲା ଓୟୁଏଟି । ଏହି ଚିଠିର ଦେଢ ମାସ ପୂର୍ବରୁ ଭିସି ମଧ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖିଥିଲେ । ସେଥିରେ ଅନେକ ଗୁରୁତ୍ବପୂର୍ଣ୍ଣ ଅଭିଯୋଗ ଆଣି ଆଙ୍ଗୁଳି ଉଠାଇଥିଲେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଆଡ଼କୁ । ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ବିଶ୍ବବିଦ୍ୟାଳୟ ପରିଚାଳନାରେ ଅଯଥା ହସ୍ତକ୍ଷେପ କରିଥିବା ଅଭିଯୋଗ ଉଠାଇଥିଲେ। ବଦଳି, ନିଯୁକ୍ତି ନିଷ୍ପତ୍ତିରେ ଅବାଧ ତାଙ୍କୁ କାର୍ଯ୍ୟ କରିବାକୁ ଦିଆଯାଉ ନଥିବା କହିଥିଲେ । ଏହା ସହ ଆହୁରି ଅନେକ ସଂଗୀନ ଅଭିଯୋଗ ବି ଉଠାଇଥିଲେ କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.