ସାରୁଅ ଜମି ମାମଲାରେ ଟ୍ୱିଷ୍ଟ, ଜେଲରେ ଥିବା ଓଟିଭି ସିଏଫଓ ପଦବୀରୁ ଦେଲେ ଇସ୍ତଫା, ବଦଳାଇଦେଲେ ଓକିଲ, ସେପଟେ ବୈଜୟନ୍ତ ଓ ଜଗି ପଣ୍ଡାଙ୍କ ଗିରଫ ଦାବି କରି ଦଳିତ ମହାସଂଘର ଏତଲା

Published By : Prameya-News7 Bureau | November 06, 2020 IST

ସାରୁଅ, ୦୬୧୧ :   ଖୋର୍ଦ୍ଧା ସାରୁଅ ଜମି ଜାଲିଆତି ଘଟଣାରେ ଗିରଫ ହୋଇଥିବା ଓଡ଼ିଶା ଇନଫ୍ରାଟେକ୍‌ ମୁଖ୍ୟ ତଥା ଓଟିଭି ସିଏଫ୍‌ଓ ମନୋରଞ୍ଜନ ଷଡ଼ଙ୍ଗୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏଥି ସହ ତାଙ୍କ ବିରୋଧରେ ହୋଇଥିବା ମାମଲା ଲଢ଼ିବାକୁ ଓଟିଭି ପକ୍ଷରୁ ଦିଆଯାଇଥିବା ଓକିଲଙ୍କୁ ମଧ୍ୟ ବଦଳାଇଛନ୍ତି ମନୋରଞ୍ଜନ । ଏନେଇ ସୂଚନା ଦେଇଛନ୍ତି ମନୋରଞ୍ଜନଙ୍କ ଶାଳକ ହରିହର ମିଶ୍ର । ସେପଟେ ଓଟିଭିର ଜମି ଜାଲିଆତିକୁ ନେଇ ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଛି ଦଳିତ ମହାସଂଘ ।

ସାରୁଅ ଜମି ଜାଲିଆତି ମାମଲାରେ ନୂଆ ଟ୍ବିଷ୍ଟ୍‌ । ମହୁ ଖାଇଛନ୍ତି ଜଗି ଓ ବୈଜୟନ୍ତ । ହଇରାଣ ହେଉଛୁ ଆମେ । ଏମିତି କହି ଓଟିଭି କର୍ତ୍ତୃପକ୍ଷଙ୍କୁ ସିଧା ଟାର୍ଗେଟ୍‌ କରିଛନ୍ତି ମନୋରଞ୍ଜନ ଷଡ଼ଙ୍ଗୀଙ୍କ ଶାଳକ ହରିହର ମିଶ୍ର । ସେହିଭଳି ଚାକିରିରୁ ଇସ୍ତଫା ଦେଇଛନ୍ତି ଓଡ଼ିଶା ଇନଫ୍ରାଟେକ୍‌ ମୁଖ୍ୟ ତଥା ଓଟିଭି ସିଏଫ୍‌ଓ ମନୋରଞ୍ଜନ ଷଡ଼ଙ୍ଗୀ । ଏଥି ସହ ତାଙ୍କ ବିରୋଧରେ ହୋଇଥିବା ମାମଲା ଲଢ଼ିବାକୁ ଓଟିଭି ପକ୍ଷରୁ ଦିଆଯାଇଥିବା ଓକିଲଙ୍କୁ ମଧ୍ୟ ବଦଳାଇଛି ମନୋରଞ୍ଜନ । ଏନେଇ ସୂଚନା ଦେଇଛନ୍ତି ମନୋରଞ୍ଜନଙ୍କ ଶାଳକ ହରିହର ମିଶ୍ର । ସାରୁଅ ଜମି ଜାଲିଆତି ଘଟଣାରେ ମନୋରଞ୍ଜନଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

{"id":357285,"sizeSlug":"large"}

ହରିହରଙ୍କ ଅଭିଯୋଗ ଅନୁସାରେ, ୨୦୦୮ରେ ଓମ୍‌ଫେଡ୍‌ ଛାଡ଼ି ଓରଟେଲରେ ଯୋଗଦେଇଥିଲେ ମନୋରଞ୍ଜନ ଷଡ଼ଙ୍ଗୀ । ସେତେବେଳେ ଜଗି ମଙ୍ଗତ ପଣ୍ଡା ଓ ବିଭୁ ପ୍ରସାଦ ରଥ ଓଡ଼ିଶା ଇନ୍‌ଫ୍ରାଟେକ୍‌ର ଡାଇରେକ୍ଟର ଥିଲେ । ହେଲେ ଜମି ଜାଲିଆତି ଚକ୍ରାନ୍ତର କ୍ଲାଇମେକ୍ସ ସମୟରେ ଅର୍ଥାତ୍‌ ୨୦୧୦ ବେଳକୁ ଓଡ଼ିଶା ଇନ୍‌ଫ୍ରାଟେକ୍‌ରୁ ଇସ୍ତଫା ଦେଇଥିଲେ ଜଗି ମଙ୍ଗତ ପଣ୍ଡା । ଆଉ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଏହାର ଡାଇରେକ୍ଟର କରିଦେଲେ । ହେଲେ ପାଓ୍ବାର ଅଫ ଆଟର୍ଣ୍ଣି ମନୋରଞ୍ଜନଙ୍କ ନାଁରେ ନଥିଲା । ଦୀପକ ପଣ୍ଡା, ବିଶ୍ବଜିତ୍‌ ସାହୁ, ଶିବ ପ୍ରସାଦ ଶ୍ରୀଚନ୍ଦନ ଏବଂ ଓଟିଭିର ପୂର୍ବତନ ନିର୍ଦେଶକ ବିଭୁ ପ୍ରସାଦ ରଥଙ୍କ ଶାଳକ ରଶ୍ମୀ ମିଶ୍ରଙ୍କ ନାଁରେ ଥିବା ପାଓ୍ବାର ଅଫ ଆଟର୍ଣ୍ଣି । ଏହାରି ମାଧ୍ୟମରେ ହୋଇଥିଲା ଜମିକିଣା । ଆଉ ଜମି କିଣାବିକା ଚକ୍ରାନ୍ତ ପଛରେ ଥିଲେ ନିଜେ ବିଭୁ ପ୍ରସାଦ ରଥ । ତେବେ ୨୦୧୪ ବେଳକୁ ମନୋରଞ୍ଜନଙ୍କ ପାଓ୍ବାର ଅଫ୍‌ ଆଟର୍ଣ୍ଣିରେ ଦୁଇ ଜଣ ସାଧାରଣ ବର୍ଗର ଚାଷୀଙ୍କ ଠାରୁ ଜମି କିଣାଯାଇଥିବା କହିଛନ୍ତି ମନୋରଞ୍ଜନଙ୍କ ଶାଳକ ହରିହର ମିଶ୍ର ।

ଜଗି ମଙ୍ଗତ ପଣ୍ଡା ଏବଂ ବୈଜୟନ୍ତ ପଣ୍ଡା ଚକ୍ରାନ୍ତ କରି ମହୁ ଖାଇଛନ୍ତି ଆଉ ଆମେ  ହଇରାଣ ହେଉଛୁ କହି ସିଧା ନିଶାନା କରିଛନ୍ତି ହରିହର । ଏହି ମାମଲାରେ ଜଗି ମଙ୍ଗତ ପଣ୍ଡା, ବିଭୁ ରଥ, ଦୀପକ ପଣ୍ଡାଙ୍କୁ ଡାକି ଜେରା କରାଯିବା ଦରକାର ବୋଲି କହିଛନ୍ତି । ସେପଟେ ସାରୁଅ ଜମି କେଳେଙ୍କାରୀକୁ ନେଇ ଜଗି ଓ ବୈଜୟନ୍ତଙ୍କ ବିରୋଧରେ ଭୁବନେଶ୍ବର କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ରାଷ୍ଟ୍ରୀୟ ଦଳିତ ମହାସଭାର ରାଜ୍ୟ ସଭାପତି । ଉଭୟଙ୍କୁ ଏସସି/ଏସଟି ଆକ୍ଟରେ ଗିରଫ କରିବାକୁ ଦାବି କରିଛନ୍ତି ।ସାରୁଅରେ ବ୍ୟାପକ ଅନିୟମିତତା କରି ଦଳିତ ଚାଷୀଙ୍କ ଜମି ହଡ଼ପ କରିଥିବା ଓଡ଼ିଶା ଇନଫ୍ରାଟେକ୍‌ର ପ୍ରତିଟି ଗୁମର ଏବେ ଖୋଲିବାରେ ଲାଗିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.